ଚୀନ୍‌ର ଦାବିକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ : ଚୀନର ଗବେଷଣା ଜାହାଜକୁ ହମବନତୋଟା ବନ୍ଦରରେ ପ୍ରବେଶ ପାଇଁ ଅନୁମତି ନଦେବାକୁ ଶ୍ରୀଲଙ୍କା ଉପରେ ଭାରତ ଚାପ ପକାଉଛି। ଚୀନ କରିଥିବା ଏହି ଦାବିକୁ ଭାରତ ଖଣ୍ଡନ କରିଛି। ଏଥିସହିତ ଭାରତ-ଚୀନ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପରସ୍ପରକୁ ସମ୍ମାନ ଦେବାର ଆବ୍ୟକତା ଉପରେ ଭାରତ ଗୁରୁତ୍ବାରୋପ କରିଛି।

ଆମେରିକା ସଂସଦର ଅଧ୍ୟକ୍ଷ ନାନ୍ସି ପେଲୋସି ତାଇୱାନକୁ ଯିବା ପରେ ଏହି ଦେଶ ସହିତ ଚୀନର ସଂପର୍କ ଖରାପ ହୋଇଛି। ସାଟେଲାଇଟ ଓ ବାଲିଷ୍ଟିକ ମିସାଇଲ ଉପରେ ନଜର ରଖିବା ପାଇଁ ଚୀନ ସେନାର ଯାହାଜ ‘ୟୁଆନ ୱାଙ୍ଗ ୫’କୁ ବେଜିଂ ଶ୍ରୀଲଙ୍କାକୁ ପଠାଇଥିଲା। ଜୁଲାଇରେ ଶ୍ରୀଲଙ୍କା ଏଥିପାଇଁ ଅନୁମତି ଦେଇଥିଲେ ମଧ୍ୟ ପରେ ଏସଂପର୍କରେ ଅଧିକ ବିଚାରବିମର୍ଶର ଆବଶ୍ୟକ ରହିଥିବା କହି ଏଥିପାଇଁ ଅନୁମତି ଦେଇ ନଥିଲା।

ଭାରତର ନାଁ ନନେଇ ଚୀନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଗତ ସୋମବାର କହିଥିଲେ ସୁରକ୍ଷା ଚିନ୍ତା ପ୍ରକଟ କରି ଶ୍ରୀଲଙ୍କାକୁ ଜାହାଜ ପ୍ରବେଶ ଅନୁମତି ନଦେବା ଚାପ ପକାଇବା ଅଯୌକ୍ତିକ। ଏହା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଭାରତର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି, ଭାରତ ସଂପର୍କରେ ଯେଉଁ ପରୋକ୍ଷ ଆକ୍ଷେପମୂଳକ ବିବୃତି ଦେଇଛି ତାହାକୁ ଆମେ ଖଣ୍ଡନ କରୁଛୁ। ଶ୍ରୀଲଙ୍କା ଏକ ସାର୍ବଭୌମ ଦେଶ ଏବଂ ସେ ତାହାର ନିଜସ୍ବ ନିଷ୍ପତ୍ତି ନେଇଥାଏ।

ସମ୍ବନ୍ଧିତ ଖବର