ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ୍ ସୈନିକଙ୍କ ଅତିକ୍ରମଣ ଉଦ୍ୟମ ସାଙ୍ଗକୁ ସେନା ପ୍ରତ୍ୟାହାର ପାଇଁ ପଛଘୁଞ୍ଚା ଦେଇଥିବା ଚୀନ୍ ନିଜ ଆଭିମୁଖ୍ୟକୁ ସମର୍ଥନ କରିବାକୁ ଯାଇ ଭାରତ ବିରୋଧରେ ଦେଇଥିବା ସଫେଇକୁ ଭାରତ ତୀବ୍ର ଖଣ୍ଡନ କରିଛି। ଭାରତ ଲଦାଖରେ ଚଳାଇଥିବା ଭିତ୍ତିଭୂମି ବିକାଶ ଚୀନ୍-ପାକିସ୍ତାନ ର୍ଥନୈତିକ କରିଡର୍ (ସିପିଇସି) ପାଇଁ ସାମରିକ ବିପଦ ଆଣିବ ବୋଲି ଚୀନ୍ ଆଶଙ୍କା କରୁଛି ବୋଲି କହିଥିବା ବେଳେ ଭାରତ ତାହାକୁ ଗ୍ରହଣ କରିନାହିଁ। ଚୀନ୍ ସେନା ୩,୪୮୮ କିମି ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭିତ୍ତିଭୂମି ସୁଦୃଢ଼ କରିବା ସହ ରାସ୍ତାଘାଟ ନିର୍ମାଣ ଓ ଯୋଗାଯୋଗ ମାଧ୍ୟମ ସ୍ଥାପନ ସାରିଥିବା ବେଳେ ଭାରତ ମଧ୍ୟ ଦ୍ବିପାକ୍ଷିକ ଆଲୋଚନାର ଅଂଶବିଶେଷ ନିଜ ପାର୍ଶ୍ବରେ ଅନୁରୂପ ଭିତ୍ତିଭୂମି ବିକାଶ କରିବାକୁ ଆଶାୟୀ ବୋଲି ଭାରତ ସ୍ପଷ୍ଟ କରିଛି।
ଗତ ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେଉଁ ପୋଲଗୁଡ଼ିକର ଉଦ୍ଘାଟନ କରିଛନ୍ତି, ତାହା ସବୁ ପ୍ରକୃତ ନିୟନ୍ତ୍ରଣ ରେଖାଠାରୁ ଯଥେଷ୍ଟ ଦୂରରେ ଏବଂ ତାହା ଦେଇ ସାଧାରଣ ଜନତାଙ୍କ ଯାତାୟାତ ସୁଗମ ହୋଇପାରିବ ବୋଲି ଭାରତ କହିଛି। ଅପରପକ୍ଷେ, ନିୟନ୍ତ୍ରଣ ରେଖାକୁ ଲାଗି ଚୀନ୍ ରାସ୍ତାଘାଟ, ପୋଲ ନିର୍ମାଣ, ଅପ୍ଟିକାଲ ଫାଇବର ବିଛାଇବା ଏବଂ ସୌରତାପଚାଳିତ କଣ୍ଟେନର ସ୍ଥାପନ କରିବା ସହ କ୍ଷେପଣାସ୍ତ୍ର ମଧ୍ୟ ମୁତୟନ କରିଛି।