ନୂଆଦିଲ୍ଲୀ : ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳାଇବା ପାକିସ୍ତାନର ଏକ ଅଭ୍ୟାସ ହୋଇଗଲାଣି । ଭାରତର ନାଗରିକତା (ସଂଶୋଧନ) ଆଇନ ବିରୁଦ୍ଧରେ ପାକିସ୍ତାନ ସଂସଦରେ ସୋମବାର ଦିନ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି । ଏହା ଦ୍ୱିପାକ୍ଷିକ ରାଜିନାମାର ବିରୁଦ୍ଧାଚରଣ କରୁଛି ବୋଲି ଏହି ପ୍ରସ୍ତାବରେ କୁହାଯିବା ସହ ଏହାର ପ୍ରତ୍ୟାହାର କରିବାକୁ କୁହାଯାଇଛି ।

Advertisment

ତେବେ ପାକିସ୍ତାନ ସରକାରଙ୍କ ଏହି କାର୍ଯ୍ୟକୁ ଭାରତ ସରକାର ମଙ୍ଗଳବାରଦିନ ତୀବ୍ର ବିରୋଧ କରିଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ପ୍ରସଙ୍ଗରୁ ବିଶ୍ୱ ସମୁଦାୟର ଦୃଷ୍ଟି ଏଡ଼େଇବାକୁ ଏହା ଏକ ଉଦ୍ୟମ । ଏହି ନିନ୍ଦା ପ୍ରସ୍ତାବ ମାଧ୍ୟମରେ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ କରୁଥିବା ପ୍ରମାଣିତ ହୋଇଛି । ଏହି ବିବୃତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଚଳାଉଥିବା ମିଥ୍ୟା ପ୍ରଚାରର ଏହା ଏକ ଅଂଶ । କିନ୍ତୁ ପାକିସ୍ତାନର ସବୁ ଉଦ୍ୟମ ବିଫଳ ହେବ ।

ସୂଚନାଯୋଗ୍ୟ ଯେ ଭାରତର ନୂଆ ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।