ନୂଆଦିଲ୍ଲୀ: ଗିଲ୍ଗିଟ୍-ବଲ୍ତିସ୍ତାନକୁ ଅସ୍ଥାୟୀ ପ୍ରାଦେଶିକ ମାନ୍ୟତା ଦେବା ଲାଗି ପାକିସ୍ତାନର ପଦକ୍ଷେପକୁ ରବିବାର ଦିନ ଭାରତ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ତଥାକଥିତ ଗିଲ୍ଗିଟ୍-ବଲ୍ତିସ୍ତାନ ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଂଶ।
ପାକିସ୍ତାନ ବେଆଇନ ଭାବେ ବଳପୂର୍ବକ ଏହି ଅଞ୍ଚଳକୁ ଦଖଲ କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ରିଲିଜ୍ କରିଥିବା ଏକ ବିବୃତିରେ ଉଲ୍ଲେଖ ଅଛି, ମୁଁ ପୁନର୍ବାର କହୁଛି ଯେ, ୧୯୪୭ରେ ‘ୟୁନିୟନ୍ ଅଫ୍ ଇଣ୍ଡିଆ’ରେ ଆଇନତଃ, ସମ୍ପୂର୍ଣ୍ଣ ଓ ଚୂଡ଼ାନ୍ତ ଭାବେ ମିଶ୍ରଣ କରାଯିବା ପରେ ତଥାକଥିତ ଗିଲ୍ଗିଟ୍-ବଲ୍ତିସ୍ତାନ ଅଞ୍ଚଳ ସମେତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଂଶ ପାଲଟି ଯାଇଛି। ବେଆଇନ ଏବଂ ବଳପୂର୍ବକ ଦଖଲ କରିଥିବା ଅଞ୍ଚଳ ଉପରେ ପାକିସ୍ତାନ ସରକାରଙ୍କର କୌଣସି ଆଇନଗତ ଅଧିକାର ନାହିଁ।
/sambad/media/post_attachments/wp-content/uploads/2020/11/pok-kashmir.jpg)
ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, ବେଆଇନ ଦଖଲକୁ ଘୋଡ଼ାଇବା ଲାଗି ପାକିସ୍ତାନର ଏଭଳି ଉଦ୍ୟମ ମାନବିକ ଅଧିକାର ଉଲ୍ଲଂଘନ, ଶୋଷଣ ଏବଂ ସାତ ଦଶନ୍ଧି ଧରି ପାକ୍ ଅଧିକୃତ ଅଞ୍ଚଳମାନଙ୍କରେ ବସବାସ କରୁଥିବା ଜନତାଙ୍କୁ ସ୍ବାଧୀନତା ନ ଦେବା ଆଦି ପ୍ରସଙ୍ଗକୁ ଲୁଚାଇ ପାରିବ ନାହିଁ।
ଏହି ଭାରତୀୟ ଅଞ୍ଚଳଗୁଡ଼ିକର ମାନ୍ୟତା ପରିବର୍ତ୍ତନ କରିବା ପରିବର୍ତ୍ତେ ବେଆଇନ ଦଖଲରେ ରଖିଥିବା ଅଞ୍ଚଳଗୁଡ଼ିକୁ ତୁରନ୍ତ ଛାଡ଼ି ଦେବାକୁ ଆମେ ପାକିସ୍ତାନକୁ ଆହ୍ବାନ କରୁଛୁ ବୋଲି ଏହି ବିବୃତିରେ ଲେଖାଯାଇଛି।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ରବିବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଗିଲ୍ଗିତ୍-ବଲ୍ତିସ୍ତାନକୁ ପ୍ରାଦେଶିକ ମାନ୍ୟତା ଦିଆଯାଇଥିବା କଥା ସରକାରୀ ଭାବେ ଘୋଷଣା କରିଥିଲେ। କିନ୍ତୁ, ଏହା ପାକ୍ ଅଧିକୃତ କଶ୍ମୀରର ଅଞ୍ଚଳ ବୋଲି ନୂଆଦିଲ୍ଲୀ କହି ଆସୁଛି।