କରତାରପୁର କରିଡର ଖୋଲିବା ପ୍ରସ୍ତାବକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : ଆସନ୍ତା ଜୁନ୍‌ ୨୯ ତାରିଖରେ କରତାରପୁର କରିଡର ପୁନଃ ଖୋଲିବା ନେଇ ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଦେଇଛି। ସରକାରୀ ସୂତ୍ରରୁ କୁହାଯାଇଛି ଯେ, କରତାରପୁର କରିଡର ପୁନଃ ଖୋଲିବାର ମାତ୍ର ୨ ଦିନ ପୂର୍ବରୁ ପାକିସ୍ତାନ ଭାରତକୁ ଅବଗତ କରି ଅଯଥା ସମସ୍ୟା ବଢ଼ାଇବାକୁ ଚାହୁଛି। ଏହାଦ୍ବାରା ଦ୍ବିପାକ୍ଷିକ ଚୁକ୍ତିର ଅସମ୍ମାନ ହେବ। ଚୁକ୍ତି ଅନୁଯାୟୀ ପାକିସ୍ତାନ ଯାତ୍ରାର ଅତି କମ୍‌ରେ ସପ୍ତାହକ ପୂର୍ବରୁ ଭାରତକୁ ସୂଚନା ଦେବା ଉଚିତ୍‌। କିନ୍ତୁ ପାକିସ୍ତାନ ଏହା ନକରି ମାତ୍ର ୨ ଦିନ ପୂର୍ବରୁ ଭାରତକୁ ଏନେଇ ଅବଗତ କରିଛି। ତେଣୁ ଭାରତ ପାକିସ୍ତାନର ଏହି ପ୍ରସ୍ତାବକୁ ଗ୍ରହଣ କରିନାହିଁ।ଏଭଳି କଲେ ଦ୍ବିପାକ୍ଷିକ ଚୁକ୍ତିର ଉଲ୍ଲଂଘନ ହେବ ବୋଲି ଭାରତ ସ୍ପଷ୍ଟ କରିଦେଇଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶି ଆଜି ଏକ ଘୋଷଣା କରି କହିଥିଲେ ଯେ, ପାକିସ୍ତାନ ମହାରାଜା ରଂଜିତ ସିଂହଙ୍କ ଶ୍ରାଦ୍ଧ ବାର୍ଷିକୀରେ କରିଡର ପୁନଃ ଖୋଲିବାପାଇଁ ପ୍ରସ୍ତୁତ ରହିଛି। ଉଲ୍ଲେଖଯୋଗ୍ୟ କରୋନା ମହାମାରୀ ପାଇଁ ପାକିସ୍ତାନରେ କରତାରପୁର ଗୁରୁଦ୍ବାରକୁ ତୀର୍ଥଯାତ୍ରା ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର