କାଶ୍ମୀର ମାମଲାରେ ମଧ୍ୟସ୍ଥତା ପାଇଁ ଜାତିସଂଘ ମୁଖ୍ୟଙ୍କ ପ୍ରସ୍ତାବକୁ ଭାରତର ପ୍ରତ୍ୟାଖ୍ୟାନ

ଲାହୋର : ପାକିସ୍ତାନ ଗସ୍ତରେ ଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟ୍‌ରେସ୍‌ କାଶ୍ମୀର ମାମଲାରେ ମଧ୍ୟସ୍ଥତା ‌କରିବା ପାଇଁ ଆଜି ଦେଇଥିବା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। କେବଳ ପାକ୍‌ ଅଧିକୃତ କାଶ୍ମୀରକୁ ପାକିସ୍ତାନ କବ୍‌ଜାରୁ ମୁକ୍ତ କରିବା ମାମଲାରେ ହିଁ ଆଲୋଚନା ହୋଇପାରିବ ବୋଲି ଭାରତ କହିଛି। ୪ ଦିନିଆ ଗସ୍ତରେ ଆସି ଜାତିସଂଘ ମୁଖ୍ୟ ଆଜି ପାକିସ୍ତାନରେ ପହଞ୍ଚିଛନ୍ତି। ଆଣ୍ଟୋନିଓ ଆଫଗାନ ଶରଣାର୍ଥୀଙ୍କୁ ନେଇ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ସହିତ କର୍‌ତାରପୁର ଗୁରୁଦ୍ବାର ଯିବା କାର୍ଯ୍ୟକ୍ରମ ରହିଛି। ଆଜି ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସିଙ୍କୁ ସାକ୍ଷାତ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ କାଶ୍ମୀର ମାମଲାରେ ମଧ୍ୟସ୍ଥା ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ। ଏହାର ଜବାବରେ ଭାରତର ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, କାଶ୍ମୀର ମାମଲାରେ ଭାରତର ଆଭିମୁଖ୍ୟ କେବେ ବି ପରିବର୍ତ୍ତନ ହେବନାହିଁ। ପାକିସ୍ତାନ କାଶ୍ମୀରର ଯେଉଁ ଅଂଚଳକୁ ବଳପୂର୍ବକ ନିଜ ଦଖଲରେ ରଖିଛି ତାହାକୁ ଖାଲି କରାଯିବା ନେଇ ଆଲୋଚନା ହେବା ଉଚିତ ବୋଲି ଭାରତ କହିଛି।

ସମ୍ବନ୍ଧିତ ଖବର