ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଅତି ଭୟଙ୍କର ରୂପ ନେଉଥିବାରୁ ଭାରତ ଉକ୍ତ ୨ ରାଷ୍ଟ୍ରରୁ ଉଦ୍ଧାର ପ୍ରକ୍ରିୟା ଜୋରଦାର କରିଛି। ଅପରେସନ୍ ସିନ୍ଧୁ ଅଧୀନରେ ଭାରତ ସରକାର ଇରାନ ଓ ଇସ୍ରାଏଲରୁ ୩୧୭୦ ନାଗରିକଙ୍କୁ ଉଦ୍ଧାର କଲେଣି। ଇସ୍ରାଏଲରୁ ପ୍ରଥମ ବ୍ୟାଚ୍ରେ ୧୬୧ ଭାରତୀୟ ସଡ଼କପଥ ଦେଇ ଜୋର୍ଡାନ ପହଞ୍ଚିବାପରେ ସେମାନଙ୍କୁ ଆଜି ଅମାନ୍ରୁ ନୂଆଦିଲ୍ଲୀ ଅଣାଯାଇଛି। ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ସେମାନଙ୍କୁ ବିମାନବନ୍ଦରରେ ସ୍ବାଗତ କରିଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ୍ କହିଛନ୍ତି। ସେହିପରି ଅନ୍ୟ ଏକ ବ୍ୟାଚ୍ରେ ୧୬୫ ଭାରତୀୟ ଇସ୍ରାଏଲରୁ ଜୋର୍ଡାନ ଯିବାପରେ ସେମାନଙ୍କୁ ଅମ୍ମାନ ଦେଇ ସି-୧୭ ବିମାନ ଯୋଗେ ଦିଲ୍ଲୀ ଫେରାଯାଇଛି। ସେମାନେ ଆଜି ନୂଆଦିଲ୍ଲୀରେ ପହଞ୍ଚିବାପରେ ମନ୍ତ୍ରୀ ଏଲ୍ ମୁରୁଗାନ୍ ସେମାନଙ୍କୁ ସ୍ବାଗତ କରିଥିଲେ। ସେହିପରି ଅନ୍ୟ ୩୦୦ ଜଣ ଇସ୍ରାଏଲ ଛାଡ଼ିଛନ୍ତି। ସେମାନଙ୍କୁ ତାବା ସ୍ଥଳ ସୀମା ଦେଇ ଇଜିପ୍ଟ ନିଆଯାଇଛି। ସେଠାରୁ ସେମାନଙ୍କୁ ସି-୧୭ ବିମାନରେ ଉଦ୍ଧାର କରାଯିବ। ପଶ୍ଚିମ ଏସୀୟ ରାଷ୍ଟ୍ରଗୁଡ଼ିକର କଟକଣା ପାଇଁ ଜୋର୍ଡାନରୁ ବିମାନ ବିଳମ୍ବ ହେଉଛି। ଅନ୍ୟପକ୍ଷେ ଇରାନରୁ ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଇରାନର ମଶହଦରୁ ୨୯୨ ଭାରତୀୟଙ୍କୁ ଧରି ଆସିଥିବା ଏକ ଚାର୍ଟାଡ ବିମାନ ଆଜି ଭୋର୍ ୩.୩୦ ସମୟରେ ନୂଆଦିଲ୍ଲୀରେ ପହଞ୍ଚିଛି। ଏଥିସହ ଭାରତ ସରକାର ଗତ ସପ୍ତାହରୁ ଇରାନରୁ ମୋଟ୍ ୨,୨୯୫ ନାଗରିକଙ୍କୁ ଉଦ୍ଧାର କଲେଣି।
ଉଲ୍ଲେଖଯୋଗ୍ୟ, ଭାରତ ଇସ୍ରାଏଲରେ ଥିବା ଏହାର ନାଗରିକଙ୍କୁ କହିଥିଲା ଯେ ଯେଉଁମାନେ ଇସ୍ରାଏଲ ଛାଡ଼ିବାକୁ ଚାହୁଛନ୍ତି ସେମାନେ ସ୍ଥଳ ସୀମା ଅତିକ୍ରମ କରି ଜୋର୍ଡାନ ଏବଂ ଇଜିପ୍ଟରେ ପହଞ୍ଚିଲେ ସେଠାରୁ ସେମାନଙ୍କୁ ସ୍ବତନ୍ତ୍ର ବିମାନରେ ଭାରତ ଅଣାଯିବ। ଗତ ସପ୍ତାହରେ ଭାରତ ଇରାନ ଏବଂ ଇସ୍ରାଏଲରୁ ଏହାର ନାଗରିକଙ୍କୁ ଖାଲି କରିବାପାଇଁ ଅପରେସନ୍ ସିନ୍ଧୁ ଆରମ୍ଭ କରିଛି। ତେହରାନ ସ୍ଥିତ ଭାରତୀୟ ଦୂତାବାସ ଇତିମଧ୍ୟରେ କହିଛି ଯେ ଇରାନରେ ଥିବା ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଖାଲି କରାଯିବ। ଇରାନରେ ପାଖାପାଖି ୧୦ ହଜାର ଭାରତୀୟ ଏବଂ ଇସ୍ରାଏଲରେ ୩୨ ହଜାରରୁ ଅଧିକ ଭାରତୀୟ ଅଛନ୍ତି।
ଇରାନ, ଇସ୍ରାଏଲରୁ ୩୦୦୦ ନାଗରିକଙ୍କୁ ଫେରାଇଲାଣି ଭାରତ
ଇରାନ-ଇସ୍ରାଏଲ ଯୁଦ୍ଧ ଅତି ଭୟଙ୍କର ରୂପ ନେଉଥିବାରୁ ଭାରତ ଉକ୍ତ ୨ ରାଷ୍ଟ୍ରରୁ ଉଦ୍ଧାର ପ୍ରକ୍ରିୟା ଜୋରଦାର କରିଛି। ଅପରେସନ୍ ସିନ୍ଧୁ ଅଧୀନରେ ଭାରତ ସରକାର ଇରାନ ଓ ଇସ୍ରାଏଲରୁ ୩୧୭୦ ନାଗରିକଙ୍କୁ ଉଦ୍ଧାର କଲେଣି। ଇସ୍ରାଏଲରୁ ପ୍ରଥମ ବ୍ୟାଚ୍ରେ ୧୬୧ ଭାରତୀୟ ସଡ଼କପଥ ଦେଇ ଜୋର୍ଡାନ...
/sambad/media/media_files/2025/06/25/jqpaotygbsvf-2025-06-25-06-31-45.jpg)