ଭାରତରେ ସୋମବାର ସୁଦ୍ଧା ୬୯ ଜଣ କୋଭିଡ୍‌ ଜେଏନ୍‌୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୨୫ ତାରିଖ (ସୋମବାର) ସୁଦ୍ଧା ଦେଶରେ ସମୁଦାୟ ୬୯ଟି କୋଭିଡ୍‌ ଜେଏନ୍‌୧ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ କର୍ଣ୍ଣାଟକରେ ୩୪, ଗୋଆରେ ୧୪, ମହାରାଷ୍ଟ୍ରରେ ୯, କେରଳରୁ ୬, ତାମିଲନାଡୁରୁ ୪ ଏବଂ ତେଲେଙ୍ଗାନାରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଦେଶରେ ଏବେ ସମୁଦାୟ କୋଭିଡ୍‌ ସକ୍ରିୟ ମାମଲା ୪,୧୭୦ ରେକର୍ଡ କରାଯାଇଛି। କର୍ଣ୍ଣାଟକରେ ୪୩୬, କେରଳରେ ୩୦୯୬, ମହାରାଷ୍ଟ୍ରରେ ୧୬୮, ଗୁଜରାଟରେ ୫୬ ଏବଂ ତାମିଲନାଡୁରେ ୧୩୯ ମାମଲା ରହିଛି।

ଅନ୍ୟପକ୍ଷରେ କରୋନା ଭାଇରସର ନୂଆ ଭାରିଏଣ୍ଟର ଆବିର୍ଭାବକୁ ନେଇ ଦେଶରେ ଚିନ୍ତା ବଢ଼ୁଥିବା ବେଳେ ଦିଲ୍ଲୀ ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, ‘ଏହି ଋତୁରେ ଆପଣ ଭାଇରସ୍‌ ସଂକ୍ରମଣ, ଶ୍ୱାସକ୍ରିୟା ସଂକ୍ରମଣ ଅଧିକ ହେଉଥିବା ଦେଖିବେ। ପ୍ରତିବର୍ଷ ଇନଫ୍ଲୁଏଞ୍ଜା, କୋଭିଡ, ଆରଏସଭି କିମ୍ବା ଅନ୍ୟାନ୍ୟ ଭୂତାଣୁ ଜନିତ ସଂକ୍ରମଣ ହେଉ ଆମେ ସେମାନଙ୍କୁ ଦେଖିଥାଉ। ତାପମାତ୍ରା ଏବଂ ଭିଡ଼ କାରଣରୁ ଏହା ହୋଇଥାଏ।’

‘ଏଥିସହ ଏହା ଛୁଟି ଋତୁ ହୋଇଥିବାରୁ ଲୋକମାନେ ଯାତ୍ରା କରନ୍ତି। ତେଣୁ ସେମାନେ ଭୂତାଣୁକୁ ସାଙ୍ଗରେ ନେଇ ଯାଆନ୍ତି। ଥଣ୍ଡା ପାଗ ଯୋଗୁଁ ଅନେକ ଲୋକ ଘର ଭିତରେ ରହୁଥିବାରୁ ସଂକ୍ରମଣ ବ୍ୟାପିଥାଏ, ଯାହା ବିଭିନ୍ନ ଲୋକଙ୍କ ଠାରେ ଅଲଗା ଅଲଗା ହୋଇଥାଏ। ତେଣୁ ମୁଁ କହିବି ଯେ ପ୍ରଥମେ ଆମକୁ କୋଭିଡ୍‌ ଉପଯୁକ୍ତ ଆଚରଣ ପାଳନ କରିବା। ଯେପରିକି କାଶ ଓ ଥଣ୍ଡା ହେଲେ ନିୟମିତ ଭାବେ ହାତ ଧୋଇବା, ଯାହାଦ୍ୱାରା ଆପଣଙ୍କ ଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ନ ବ୍ୟାପିବ।’ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି।

ସମ୍ବନ୍ଧିତ ଖବର