ଦେଶରେ କୋଭିଡ୍‌-୧୯ ଆରୋଗ୍ୟ ହାର ୭୭.୮୮ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ରହିଛି ୧.୬୫ ପ୍ରତିଶତ: ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୩,୮୦୯ ନୂତନ କୋଭିଡ୍‌-୧୯ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂକ୍ୟା ୪୯ ଲକ୍ଷ ଅତିକ୍ରମ କରି ଯାଇଥିବା ବେଳେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ୮୦,୭୭୬କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୫୪ ଜଣଙ୍କର କୋଭିଡ୍‌-୧୯ରେ ମୃତ୍ୟୁ ଘଟିଛି।
ଆଜି ଏସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଆଜି ସୁଦ୍ଧା ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତ ସଂଖ୍ୟା ୪୯,୩୦, ୨୩୭ରେ ପହଞ୍ଚିଛି। ଏଗୁଡ଼ିକ ମଧ୍ୟରୁ ଦେଶରେ ବର୍ତ୍ତମାନ ୯,୯୦,୦୬୧ଟି ସକ୍ରିୟ ମାମଲା ଥିବାବେଳେ ୩୮,୫୯,୪୦୦ ରୋଗୀ ଦେଶର ବିଭିନ୍ନ ଡାକ୍ତରଖାନାରୁ ଆରୋଗ୍ୟ ଲାଭକରି ନିଜ ନିଜ ଘରକୁ ଫେରି ଯାଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୫୪ ନୂତନ ମୃତ୍ୟୁ ସହିତ ଭାରତରେ କରୋନାଭାଇରସ୍‌ ମୃତ୍ୟୁ ୮୦,୭୭୬କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି।


ସଂପ୍ରତି ଦେଶରେ କୋଭିଡ୍‌-୧୯ ଆରୋଗ୍ୟ ହାର ୭୭.୮୮ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧.୬୫ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତଥ୍ୟରୁ ଜଣାପଡିଛ। ସୋମବାର ଦିନ ମୋଟ ୧ହ,୭୭,୩୭୪ଟି କୋଭିଡ୍‌-୧୯ ମାମଲା ସହିତ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ରାଜ୍ୟ ଭାବରେ ରହିଛି। ୩୬୩ ନୂତନ ମୃତ୍ୟୁ ସହିତ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୯,୮୯୪ କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ବ୍ୟତୀତ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶ ସମେତ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ବ୍ୟାପକ ଭାବେ କୋଭିଡ୍‌-୧୯ ମହାମାରୀର ଶିକାର ହୋଇଛନ୍ତି।
ସେହିପରି ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର)ର ତଥ୍ୟ ଅନୁଯାୟୀ, ସୋମବାର ଦିନ ଭାରତ ଗୋଟିଏ ଦିନରେ ୧୦,୭୨,୮୪୫ କୋଭିଡ୍‌-୧୯ ନମୁନା ପରୀକ୍ଷା କରାଯାଇଛି। ଏବଂ ଏପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ମୋଟ ନମୁନା ସଂଖ୍ୟା ୫,୮୩,୧୨,୨୭୩ ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର