ଭାରତରେ ଦୈନିକ ରିପୋର୍ଟ ହେଉଛି ୮୭ଟି ଦୁଷ୍କର୍ମ ଘଟଣା: ‘ଏନ୍‌ସିଆର୍‌ବି’ ଡାଟା

ନୂଆଦିଲ୍ଲୀ: ୨୦୧୯ରେ ଭାରତରେ ମହିଳାଙ୍କ ବିରୋଧରେ ୪, ୦୫, ୮୬୧ଟି ଅପରାଧ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ କ୍ରାଇମ୍ ରେକର୍ଡ ବ୍ୟୁରୋ’ର ‘‘କ୍ରାଇମ୍ ଇନ୍‌ ଇଣ୍ଡିଆ’ ସେପ୍ଟେମ୍ବର ୨୯ ତାରିଖ ଦିନ ରିଲିଜ୍ କରିଥିବା ଡାଟା ବା ତଥ୍ୟାବଳିରୁ ଜଣାପଡ଼ିଛି। ଉପରୋକ୍ତ ତଥ୍ୟ ହିସାବରେ, ୨୦୧୯ରେ ଭାରତରେ ପ୍ରତିଦିନ ହାରାହାରି ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ କରାଯାଇଛି।

‘ଏନ୍‌ସିଆର୍‌ବି’ ଡାଟାରୁ ଜଣାପଡୁଛି ଯେ, ୨୦୧୮ ମସିହାର ଏହି ସମୟ ତୁଳନାରେ ୨୦୧୯ରେ ମହିଳାଙ୍କ ବିରୋଧରେ ୭.୩% ଅପରାଧ ବୃଦ୍ଧି ପାଇଛି।

ଦେଶରେ ମହିଳାମାନଙ୍କ ବିରୋଧରେ ସବୁଠୁ ଅଧିକ ଅପରାଧ ହେଉଥିବା ରାଜ୍ୟ ତାଲିକାର ଶୀର୍ଷରେ ଉତ୍ତରପ୍ରଦେଶ ରହିଥିବା କଥା ଏହି ତଥ୍ୟାବଳିରୁ ଜଣାପଡ଼ିଛି। ସେଠାରେ ମହିଳାମାନଙ୍କ ବିରୋଧରେ ଏଭଳି ୫୯, ୮୫୩ଟି ଅପରାଧିକ ଘଟଣା ଘଟିଛି।

ସେହିଭଳି ଆସାମରେ ମହିଳାମାନଙ୍କ ବିରୋଧରେ ଅପରାଧ ହାର ସର୍ବାଧିକ ଥିବା ଜଣାପଡ଼ିଛି। ଆସାମରେ ପ୍ରତି ଏକ ଲକ୍ଷ ମହିଳାଙ୍କ ମଧ୍ୟରୁ ୧୧୭.୮ ମହିଳା ଅପରାଧିକ ଘଟଣାର ଶରବ୍ୟ ‌ହୋଇଛନ୍ତି। ୨୦୧୮ରେ ଆସାମରେ ପ୍ରତି ଏକ ଲକ୍ଷ ମହିଳାରେ ଅପରାଧ ହାର ୫୮.୮ ଥିବା ବେଳେ ୨୦୧୯ରେ ତାହା ୬୨.୪କୁ ବୃଦ୍ଧି ପାଇଛି।

Image Courtesy of National Herald

‘ଏନ୍‌ସିଆର୍‌ବି’ ରିପୋର୍ଟ ଅନୁସାରେ, ଭାରତୀୟ ପିଙ୍ଗଳ କୋଡ୍‌ରେ ପଞ୍ଜିକୃତ କରାଯାଇଥିବା ଦେଶର ଅଧିକଂଶ ମହିଳା ବିରୋଧୀ ଅପରାଧିକ ମାମଲା ମଧ୍ୟରେ ରହିଛି ‘ସ୍ବାମୀ କିଂବା ତାଙ୍କ ସମ୍ପର୍କୀୟଙ୍କ ନିଷ୍ଠୁରତା’ (୩୦.୯%), ‘ମର୍ଯ୍ୟାଦାହାନୀ କରିବା ଉଦ୍ଦେଶ୍ୟରେ ମହିଳାଙ୍କ ଉପରେ ଆକ୍ରମଣ’ (୨୧.୮%), ‘ମହିଳାମାନଙ୍କୁ ଅପହରଣ ଓ ବଳପୂର୍ବକ ଅପହରଣ’ (୧୭.୯%) ଏବଂ ‘ଦୁଷ୍କର୍ମ’ (୭.୯%)

ଏହା ବ୍ୟତିରେକେ, ଦୁଷ୍କର୍ମ ମାମଲାର ଶୀର୍ଷରେ ରହିଛି ରାଜସ୍ଥାନ। ରାଜସ୍ଥାନରେ ୫,୯୯୭ ଦୁଷ୍କର୍ମ ମାମଲା ରେକର୍ଡ କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ୩, ୦୬୫ ଦୁଷ୍କର୍ମ ମାମଲା ରେକର୍ଡ କରାଯାଇଛି। ୨, ୪୮୫ ଦୁଷ୍କର୍ମ ମାମଲା ଥାଇ ମଧ୍ୟପ୍ରଦେଶ ଦେଶର ତୃତୀୟ ଦୁଷ୍କର୍ମବହୁଳ ରାଜ୍ୟ ତାଲିକାରେ ରହିଛି।

ପ୍ରତି ଏକ ଲକ୍ଷ ମହିଳାରେ ରାଜସ୍ଥାନରେ ୧୫.୯ ଦୁଷ୍କର୍ମ ମାମଲାରେ ଶରବ୍ୟ ହେଉଥିବା ବେଳେ କେରଳରେ ଏହି ସଂଖ୍ୟା ୧୧.୧ ଥିବା କଥା ରିପୋର୍ଟରେ ପ୍ରକାଶ ପାଇଛି।

ବାଳିକାଙ୍କ ବିରୋଧରେ ଅପରାଧ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବା କଥା ‘ଏନ୍‌ସିଆର୍‌ବି’ ଡାଟାରୁ ଜଣାପଡ଼ିଛି। ୨୦୧୮ ତୁଳନାରେ ୨୦୧୯ରେ ବାଳିକାଙ୍କ ବିରୋଧରେ ଅପରାଧ ୪.୫% ବୃଦ୍ଧି ପାଇଛି। ୨୦୧୯ରେ ବାଳିକାମାନଙ୍କ ବିରୋଧରେ ସମୁଦାୟ ୧.୪୮ ଲକ୍ଷ ଅପରାଧ ହୋଇଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର