ଭାରତରେ ପ୍ରଥମ କରୋନା ମୃତ୍ୟୁ

ଦିଲ୍ଲୀରେ ଶିକ୍ଷାନୁଷ୍ଠାନ, ସିନେମା ହଲ୍‌ ବନ୍ଦ

ଦେଶରେ ସଂକ୍ରମିତ ସଂଖ୍ୟା ୭୪ ଛୁଇଁଲା
ଜନତାଙ୍କ ପାଇଁ ବନ୍ଦ ହେଲା ରାଷ୍ଟ୍ରପତି ଭବନ
ଆତଙ୍କିତ ନ ହେବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
ଟିକା ଆସିବାକୁ ପ୍ରାୟ ୨ ବର୍ଷ ଲାଗିଯିବ

ନୂଆଦିଲ୍ଲୀ : ବିଶ୍ବର ବିଭିନ୍ନ ଦେଶରେ ଏଯାଏ ୪୭୦୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା କରୋନା ଭାଇରସ୍‌ ଏବେ ଭାରତରେ ପ୍ରଥମ ମୁଣ୍ଡ ନେଇଛି। ଗତ ମଙ୍ଗଳବାର କର୍ଣ୍ଣାଟକର କଲ୍‌ବର୍ଗୀ ଅଞ୍ଚଳର ୭୬ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ସନ୍ଦେହ କରାଯାଉଥିଲା। ଆଜି ତାଙ୍କର କରୋନା ରିପୋର୍ଟ ପଜିଟିଭ ବୋଲି କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ବ୍ୟକ୍ତି ଜଣକ କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ଦୁବାଇରୁ ଭାରତକୁ ଆସିଥିଲେ ଏବଂ ଅସୁସ୍ଥ ହୋଇ ପଡ଼ିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ରଖି ଚିକିତ୍ସା କରାଉଥିଲା। ଶେଷରେ ଗତ ମଙ୍ଗଳବାର ଦିନ ସେ ପ୍ରାଣ ହରାଇଥିଲେ। ତେବେ ଆଜି ସେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହେବା ପରେ ସରକାରଙ୍କ ପକ୍ଷରୁ ତାଙ୍କ ମୃତ୍ୟୁ ନେଇ ଔପଚାରିକ ଘୋଷଣା କରାଯାଇଛି।

ଅନ୍ୟପକ୍ଷରେ ଆଜି ସୁଦ୍ଧା ଭାରତରେ ୭୪ ଜଣ କରୋନା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଗତକାଲି କରୋନାକୁ ବିଶ୍ବ ମହାମାରୀ ଘୋଷଣା କରିବା ପରେ ଭାରତ ସରକାର ସବୁ ଦେଶ ପାଇଁ ୧୫ ଏପ୍ରିଲ୍‌ ପର୍ଯ୍ୟନ୍ତ ଭିସା କଟକଣା ଲଗାଇଛନ୍ତି। ଇତିମଧ୍ୟରେ ଦିଲ୍ଲୀ ସରକାର ମଧ୍ୟ କରୋନାକୁ ମହାମାରୀ ଘୋଷଣା କରି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଏବଂ ସିନେମା ହଲ୍‌ ବନ୍ଦ ଘୋଷଣା କରିଛନ୍ତି। ହରିୟାଣା ସରକାର ମଧ୍ୟ କରୋନାକୁ ମହାମାରୀ ଘୋଷଣା କରି ଯୁଦ୍ଧକାଳୀନ ଭିତ୍ତିରେ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଛୁଇଁବା ପରେ ବିଭିନ୍ନ ରାଜ୍ୟରେ ଏହାର ମୁକାବିଲା ପାଇଁ ତତ୍ପରତା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ପାଇଁ ଲୋକେ ଆତଙ୍କିତ ନ ହୋଇ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି। ଭାରତୀୟମାନେ ବିଦେଶ ଯାତ୍ରା ନ କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ କୌଣସି ମନ୍ତ୍ରୀ ମଧ୍ୟ ବିଦେଶ ଗସ୍ତରେ ଯାଉନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି। ସମସ୍ତେ ମିଳିମିଶି କରୋନା ଭୂତାଣୁର ମୁକାବିଲା କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର କ୍ବାରେଣ୍ଟାଇନ ଶିବିର ଅଧିକ ସଂଖ୍ୟାରେ ପ୍ରସ୍ତୁତ ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଜୈସଲମେର, ଜୋଧପୁର, ଝାନ୍‌ସୀ, ଗୋରଖପୁର, କୋଲକାତା, ଚେନ୍ନାଇ, ସୁରତଗଡ଼ ଆଦି ସହରରେ ସ୍ବତନ୍ତ୍ର କ୍ବାରେଣ୍ଟାଇନ ଶିବିର ଏବେ ପ୍ରସ୍ତୁତ ହୋଇଛି। ଅନ୍ୟପକ୍ଷରେ କରୋନା ପାଇଁ ରାଷ୍ଟ୍ରପତି ଭବନକୁ ସର୍ବସାଧାରଣଙ୍କ ପାଇଁ ଆଜିଠାରୁ ବନ୍ଦ ରଖାଯାଇଛି। ଇରାନ୍‌ରୁ ୨ ଦିନ ମଧ୍ୟରେ ଆଉ ୪ ଶହ ଲୋକ ଭାରତ ଫେରିବେ ଏବଂ ସେମାନଙ୍କୁ ଜୈସଲମେର୍‌ରେ ସେନା ଶିବିରରେ ରଖାଯିବ। ବିଭିନ୍ନ ବିମାନବନ୍ଦରରେ ଏବେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍କ୍ରିନିଂ ପରେ ମଧ୍ୟ ସନ୍ଦିଗ୍ଧ ଲୋକଙ୍କ ଉପରେ ଲଗାତାର ନଜର ରଖାଯାଉଛି ।

ଆଜି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ କୁହାଯାଇଛି ଯେ କରୋନା ଭୂତାଣୁର ମୁକାବିଲା ପାଇଁ ଟିକା ବାହାରିବାକୁ ଅତି କମ୍‌ରେ ଦେଢ଼ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିବ। ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି କରୋନାର ପ୍ରତିକାର ପାଇଁ ମାସ୍କ ସର୍ବଦା ଆବଶ୍ୟକ ନୁହେଁ। ଏ ଦିଗରେ ସତର୍କତା ଅବଲମ୍ବନ କଲେ ମାସ୍କ ଆଦୌ ଆବଶ୍ୟକ ନାହିଁ ବୋଲି ବୋଲି ସେ କହିଛନ୍ତି। ସରକାରଙ୍କ ପାଖରେ ଏବେ ପ୍ରାୟ ୧ ଲକ୍ଷ ଟେଷ୍ଟିଂ କିଟ୍‌ ରହିଛି ଏବଂ ଅଧିକ କିଟ୍‌ କିଣାଯାଉଛି। ଏବେ ଦେଶରେ ୫୨ଟି ଟେଷ୍ଟିଂ ସେଣ୍ଟର ରହିଛି ଏବଂ ୫୬ଟି କେନ୍ଦ୍ରରେ କରୋନା ନମୁନା ସଂଗ୍ରହ କରାଯାଉଛି ।

ସମ୍ବନ୍ଧିତ ଖବର