ନୂଆଦିଲ୍ଲୀ: ଏପ୍ରିଲ ୨୨, ୨୦୨୫ରେ କାଶ୍ମୀରରେ ଭାରତୀୟ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଦୁଇ ସପ୍ତାହ ପରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ପାକିସ୍ତାନରେ ଭୀଷଣ ଅସ୍ଥିରତା ସୃଷ୍ଟି କରିଛି। ଭାରତର କାର୍ଯ୍ୟାନୁଷ୍ଠାନରେ ଥରହର ପାକିସ୍ତାନ ପାଲଟା ଜବାବ ଧମକ ଦେଇ ନିଷ୍ପତ୍ତି ସେନା ହାତରେ ଛାଡ଼ିଦେଇଛି। ଏଭଳି ସ୍ଥିତିରେ ଦୁଇ ପରମାଣୁ ଶକ୍ତିସମ୍ପନ୍ନ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଯୁଦ୍ଧରେ ପରିଣତ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଭାରତ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରର ଏକାଧିକ ସ୍ଥାନରେ କ୍ଷେପଣାସ୍ତ୍ର ଆକ୍ରମଣ କରି ୯ ଆତଙ୍କୀ ଶିବର ଓ ତାଲିମ କେନ୍ଦ୍ରକୁ ମାଟିରେ ମିଶାଇ ଦେବା ପାକିସ୍ତାନର ସାମରିକ ଦୁର୍ବଳତାକୁ ମଧ୍ୟ ପଦାରେ ପକାଇ ଦେଇଛି। ଯଦି ପାକିସ୍ତାନ କୌଣସି ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରେ ତା’ହେଲେ ଉଭୟ ଦେଶ ଏକ ପୂର୍ଣ୍ଣସ୍ତରୀୟ ଯୁଦ୍ଧ ଆଡ଼କୁ ମୁହାଁଇବେ ବୋଲି ଆଶଙ୍କା କରାଯାଉଛି। ଏଭଳି ସ୍ଥିତି ସମଗ୍ର ବିଶ୍ବ ପାଇଁ ବିପଜ୍ଜନକ ସ୍ଥିତି ଆଣିପାରେ ବୋଲି ଭୟ ବଢ଼ୁଥିବାରୁ ଅନ୍ତର୍ଜାତୀୟ ସମୁଦାୟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଇସଲାମାବାଦ କହିଛି ଯେ ଭାରତର କ୍ଷେପଣାସ୍ତ୍ର ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏହି ଆକ୍ରମଣକୁ ଏକ ଯୁଦ୍ଧ କାର୍ଯ୍ୟ ବୋଲି କହିବା ସହ ଏହାର ଉଚିତ ଜବାବ ଦେବା ତାଙ୍କ ଦେଶର ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି କହିଛନ୍ତି। ତେବେ କେବଳ ଆତଙ୍କୀ ଆଶ୍ରୟସ୍ଥଳୀକୁ ଆକ୍ରମଣ କରାଯାଇଛି ଏବଂ କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରାଯାଇ ନାହିଁ ବୋଲି ଭାରତ କହିଛି। ଲକ୍ଷ୍ୟ ଚୟନ ଓ କାର୍ଯ୍ୟକାରିତା ପଦ୍ଧତିରେ ଭାରତ ଯଥେଷ୍ଟ ସଂଯମ ପ୍ରଦର୍ଶନ କରିଛି ବୋଲି ସରକାର ଏକ ବିବୃତିରେ କହିଛନ୍ତି।

Advertisment

ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ଜୈସ-ଏ-ମହମ୍ମଦର ଗଡ଼ ବାହାବଲପୁର ଓ ମୁରିଦକେରେ ଦୁଇଟି ବଡ଼ ଧରଣର ଆକ୍ରମଣ କରାଯାଇଥିଲା, ଯେଉଁଥିରେ ପ୍ରତ୍ୟେକ ସ୍ଥାନରେ ଆନୁମାନିକ ୨୫-୩୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ମୁରିଦକେରେ ଟାର୍ଗେଟ୍ ଥିଲା ଲସ୍କର-ଏ-ତୋଇବାର ମୁଖ୍ୟ କମା‌ଣ୍ଡ୍‌ କେନ୍ଦ୍ର ଓ ଆଦର୍ଶଗତ ମୁଖ୍ୟାଳୟ ମସଜିଦ୍ ୱା ମର୍କଜ୍ ତୈବା, ଯାହାକୁ ବହୁଦିନ ଧରି ପାକିସ୍ତାନର ‘ଆତଙ୍କୀ ନର୍ସରି’ ଭାବେ ବିବେଚନା କରାଯାଉଥିଲା। ଅନ୍ୟ ଟାର୍ଗେଟ୍ ସ୍ଥାନରେ କେତେ ମୃତାହତ ହୋଇଛନ୍ତି ତାହା ଗୁଇନ୍ଦା ଏଜେନ୍ସିମାନେ ଯାଞ୍ଚ କରୁଛନ୍ତି। ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ ସମୁଦାୟ ୮୦ରୁ ୯୦ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏଥିରେ ଲଞ୍ଚ୍‌ପ୍ୟାଡ୍, ପ୍ରଶିକ୍ଷଣ ଶିବିର ଏବଂ ଜୈସ ଓ ଲସ୍କର-ଏ-ତୋଇବା ଦ୍ୱାରା ପରିଚାଳିତ ଆତଙ୍କବାଦୀ କେନ୍ଦ୍ର ମଧ୍ୟ ରହିଛି।

ଜୈସ-ଏ-ମହମ୍ମଦ ସହ ସଂପୃକ୍ତ ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟରେ ତେହରା କଲାନର ସର୍ଜଲ, କୋଟଲିର ମର୍କଜ ଆବ୍ବାସ ଏବଂ ମୁଜାଫରାବାଦର ସୟଦନା ବିଲାଲ କ୍ୟାମ୍ପକୁ ଟାର୍ଗେଟ୍ କରାଯାଇଥିଲା। ବରନାଲାର ମର୍କଜ ଆହଲେ ହାଦିଥ ଓ ମୁଜାଫରାବାଦର ଶ୍ୱୱାଇ ନାଲା କ୍ୟାମ୍ପ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ହିଜବୁଲ ମୁଜାହିଦ୍ଦିନର ପ୍ରଶିକ୍ଷଣ କେନ୍ଦ୍ର କୋଟଲିର ମକାଜ ରାହିଲ ସହିଦ ଓ ସିଆଲକୋଟର ମେହମୁନା ଜୋୟା ଅନ୍ୟ ଟାର୍ଗେଟ୍‌ରେ ଥିଲେ। ୯ଟି ସ୍ଥାନ ମଧ୍ୟରୁ ୪ଟି ପାକିସ୍ତାନ ଭିତରେ ଥିବା ବେଳେ ବାକି ୫ଟି ପିଓକେରେ ଥିଲା।

ଏହି ଅପରେସନ୍‌ ସମୟରେ ଭାରତ ଅତ୍ୟାଧୁନିକ, ଲମ୍ବା ଦୂରତାବିଶିଷ୍ଟ ଅସ୍ତ୍ରଶସ୍ତ୍ର ନିକ୍ଷେପ କରିଥିଲା। ପାକ୍ ସୀମା ଭିତରେ ଏହି ଏୟାର୍ ଷ୍ଟ୍ରାଇକ୍ ରାଫେଲ ଲଢୁଆ ବିମାନ ଦ୍ୱାରା କରାଯାଇଥିଲା, ଯେଉଁଥିରେ ଅଧିକ ଦୂରତାରେ ଲକ୍ଷ୍ୟଭେଦ କରିବାରେ ସକ୍ଷମ ସ୍କାଲ୍ପ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ନିର୍ଦ୍ଦିଷ୍ଟ ଭାବେ ଆକାଶରୁ ସ୍ଥଳଭାଗକୁ ମାଡ଼ କରାଯାଇ ପାରୁଥିବା ହାମର ବୋମା ସାମିଲ ଥିଲା। ଏହି ଆକ୍ରମଣ ପରେ ପାକିସ୍ତାନ ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେ ପ୍ରବଳ ଗୁଳିଚାଳନା କରିଥିଲା, ଯାହାର ଭାରତୀୟ ସେନା କଡ଼ା ଜବାବ ଦେଇଥିଲା। ପାକିସ୍ତାନ ଗୁଳିଗୋଳା ମାଡ଼ରେ ୧୫ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ କହିଛନ୍ତି। ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଗ୍ରାମରୁ ସାଧାରଣ ନାଗରିକଙ୍କୁ ବଙ୍କରକୁ ସ୍ଥାନାନ୍ତର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।