ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ନିକଟରେ କାଶ୍ମୀର ପ୍ରସଙ୍ଗ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଭାରତକୁ ପ୍ରସ୍ତାବ ଦେଇଥିଲେ। ଭାରତ ଆଜି ଏହାର ଜବାବ ଦେଇଛି। ଭାରତ କହିଛି, ଏହା ସବୁବେଳେ ପାକିସ୍ତାନ ସହ ଏକ ସ୍ବାଭାବିକ ପଡ଼ୋଶୀ ସମ୍ପର୍କ ଚାହିଛି। କିନ୍ତୁ ଏଭଳି ଏକ ସମ୍ପର୍କ ଏବଂ ଆଲୋଚନା ପାଇଁ ହିଂସାମୁକ୍ତ ଓ ଆତଙ୍କମୁକ୍ତ ବାତାବରଣ ଲୋଡ଼ା। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୟୁଏଇର ଏକ ନ୍ୟୁଜ୍ ଚ୍ୟାନେଲରେ ସାକ୍ଷାତକାର ଦେଇ ସରିଫ୍ ନିକଟରେ କହିଥିଲେ ଯେ ପାକିସ୍ତାନ ଭାରତ ସହ ୩ଟି ଯୁଦ୍ଧ ଲଢ଼ିବାପରେ ଶିକ୍ଷା ଗ୍ରହଣ କରିଛି। ପାକିସ୍ତାନ ଏବେ ଭାରତ ସହ ଶାନ୍ତିରେ ରହିବାକୁ ଚାହୁଛି। କାଶ୍ମୀର ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାର୍ତ୍ତା ଦେଇଥିଲେ। ତେବେ ପରେ ପାକିସ୍ତାନ ପିଏମ୍ଓ ପକ୍ଷରୁ କୁହାଯାଇଥିଲା ଯେ ଭାରତ ଜମ୍ମୁ କାଶ୍ମୀରରେ ଧାରା ୩୭୦ ପୁନଃ ଲାଗୁ ନକରିବା ପର୍ଯ୍ୟନ୍ତ ଆଲୋଚନା ଏବଂ କଥାବାର୍ତ୍ତା ସମ୍ଭବ ନୁହେଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp