ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ସଂଘର୍ଷ ଏଡ଼ାଇବା ପାଇଁ ଆମେରିକା ମଧ୍ୟସ୍ଥତାରେ ଅସ୍ତ୍ରବିରତି ହୋଇଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଥିବା ଦାବିକୁ ଭାରତ ସରକାର ଆଜି ଖଣ୍ଡନ କରିଛନ୍ତି। ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଭାବେ ପାରମ୍ପରିକ ପ୍ରକ୍ରିୟାରେ ସୀମିତ ରହିଥିଲା ଏବଂ ଅସ୍ତ୍ରବିରତି ଆଲୋଚନାରେ କୌଣସି ପରମାଣୁ ଧମକ କଥା ଉଠିନଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରି ସେ କହିଛନ୍ତି ଯେ ପାକିସ୍ତାନର ନ୍ୟାସ୍ନାଲ କମାଣ୍ଡ୍ ଅଥରିଟି ମେ ୧୦ରେ ବୈଠକ କରିବ ବୋଲି କିଛି ଖବର ଆସିଥିଲା। କିନ୍ତୁ ପରେ ସେମାନେ ଏହାକୁ ଅସ୍ୱୀକାର କରିଥିଲେ। ଭାରତ କୌଣସି ପରମାଣୁ ଧମକ ଆଗରେ ନଇଁବ ନାହିଁ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ନିଜେ ପରମାଣୁ ଯୁଦ୍ଧ ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି ବୋଲି ଜୟସ୍ବାଲ କହିଛନ୍ତି। ଭାରତର ଆଭିମୁଖ୍ୟ ସ୍ପଷ୍ଟ କରି ସେ କହିଛନ୍ତି, ଭାରତ କଦାପି କାହାର ପରମାଣୁ ବ୍ଲାକ୍ମେଲକୁ ଗ୍ରହଣ କରେନାହିଁ କିମ୍ବା ଏଭଳି ଧମକରେ କେହି ସୀମାପାର ଆତଙ୍କବାଦ ଜାରି ରଖିଲେ ତାହାକୁ ଅନୁମତି ଦେବ ନାହିଁ।
ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ଅସ୍ତ୍ରବିରତି ନେଇ ଟ୍ରମ୍ପ ଦାବି କରିଥିଲେ ଯେ ଆମେରିକା କେବଳ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି କରିନାହିଁ ବରଂ ପରମାଣୁ ସଂଘର୍ଷକୁ ମଧ୍ୟ ଏଡ଼ାଇ ଦେଇଛି। ସେ କହିଥିଲେ, ଆମେ ପରମାଣୁ ସଂଘର୍ଷ ବନ୍ଦ କରିଥିଲୁ । ପରମାଣୁ ଯୁଦ୍ଧ ହୋଇଥିଲେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତେ ବୋଲି ଟ୍ରମ୍ପ କହିଥିଲେ। ଏଭଳି ସମ୍ଭାବନାକୁ ଆଜି ଭାରତ ପ୍ରତ୍ୟାଖ୍ୟାନ କରିବା ସହ ଏଭଳି କୌଣସି ସ୍ଥିତି ଉତ୍ପନ୍ନ ହୋଇନଥିବା କହିଛି। ଭାରତ ଆଜି ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନକୁ ସ୍ପଷ୍ଟ ଭାବେ କହିଛି ଯେ ପ୍ରଥମେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ଖାଲି କରିବାକୁ ପଡ଼ିବ। ପାକିସ୍ତାନ ପିଓକେ ଖାଲି କରିବା ପରେ ହିଁ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହେବ ଏବଂ ଅନ୍ୟ ଦ୍ବିପାକ୍ଷିକ ସମସ୍ୟା ସମାଧାନ ଦିଗରେ ଆଗକୁ ବଢ଼ିହେବ। ସାମ୍ବାଦିକ ସମ୍ମିଳନୀରେ ଜୟସ୍ବାଲ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଭାବେ କଶ୍ମୀର ସମସ୍ୟାର ସମାଧାନ ହେବା ଉଚିତ ବୋଲି ଆମର ଦୀର୍ଘଦିନର ଆଭିମୁଖ୍ୟ ରହିଛି। ଏହି ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ଆମପାଇଁ କଦାପି ଗ୍ରହଣୀୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଜୟସ୍ବାଲ କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ଇସଲାମାବାଦ ପାଇଁ ବଡ଼ ସମସ୍ୟା ହେଉଛି ଏହାର ବେଆଇନ ଦଖଲ । ପାକିସ୍ତାନ ଅଧିକୃତ ଅଞ୍ଚଳ ଭାରତକୁ ଫେରିବା ପରେ ଦ୍ବିପାକ୍ଷିକ ସଂପର୍କରେ ସୁଧାର ପାଇଁ ବାଟ ଫିଟିବ। ମେ ୧୦ରେ ଭାରତ ଓ ପାକିସ୍ତାନର ଡିଜିଏମ୍ଓଙ୍କ ମଧ୍ୟରେ ଆଲୋଚନା ପରେ ହିଁ ଅସ୍ତ୍ରବିରତି କରିବାକୁ ଉଭୟ ଦେଶ ରାଜି ହୋଇଥିଲେ ବୋଲି ଜୟସ୍ୱାଲ କହିଛନ୍ତି। ସେହିଦିନ ମଧ୍ୟାହ୍ନ ୧୨ଟା ୩୭ମିନିଟରେ ପାକିସ୍ତାନ ପକ୍ଷରୁ ପ୍ରଥମେ ଏହି ଅନୁରୋଧ କରାଯାଇଥିଲା। ବୈଷୟିକ କାରଣରୁ ସେହି ସମୟରେ ଦୁଇ ଡିଜିଏମ୍ଓଙ୍କ ସହ ହଟ୍ଲାଇନ୍ରେ ଯୋଗାଯୋଗ ହୋଇପାରି ନଥିବାରୁ ଅପରାହ୍ଣ ୩ଟା ୩୫ରେ ପୁଣି ଉଭୟଙ୍କ ମଧ୍ୟରେ ଫୋନ୍ରେ ଯୋଗାଯୋଗ ହୋଇଥିଲା। ସେହିଦିନ ସକାଳେ ଭାରତର ଜବାବୀ ଏୟାର ଷ୍ଟ୍ରାଇକ୍ରେ ପାକିସ୍ତାନର ଏୟାରବେସ୍ ନଷ୍ଟ ହୋଇଯାଇଥିଲା। ଅସ୍ତ୍ରବିରତି ପାଇଁ ବାଣିଜ୍ୟ ଚୁକ୍ତିକୁ ମଧ୍ୟ ଆଧାର କରାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କରିଥିବା ଦାବିକୁ ଜୟସ୍ୱାଲ ଖଣ୍ଡନ କରିଛନ୍ତି। ଆମେରିକୀୟ ନେତାଙ୍କ ସହ ଆଲୋଚନାରେ ବାଣିଜ୍ୟ ବିଷୟରେ କୌଣସି ଉଲ୍ଲେଖ ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।
ଟ୍ରମ୍ପଙ୍କ ଦାବିକୁ ପ୍ରତ୍ୟାଖ୍ୟାନ, ତୃତୀୟ ପକ୍ଷ ଗ୍ରହଣୀୟ ନୁହେଁ
ପାକ୍ କୂଟନୀତିଜ୍ଞଙ୍କୁ ‘ଅଲୋଡ଼ା’ ଘୋଷଣା କଲା ଭାରତ, ୨୪ ଘଣ୍ଟାରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନରେ କାର୍ଯ୍ୟରତ ଜଣେ ପାକ୍ କୂଟନୀତିଜ୍ଞଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭାରତ ସରକାର ତାଙ୍କୁ ‘ପର୍ସନା ନନ୍ ଗ୍ରାଟା’(ଅଲୋଡ଼ା ବ୍ୟକ୍ତି) ଘୋଷଣା କରିଛନ୍ତି। ଏହି ଅଧିକାରୀ ଭାରତବିରୋଧୀ କାର୍ଯ୍ୟକଳାପରେ ନିୟୋଜିତ ଥିବା ଜଣାପଡ଼ିବା ପରେ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ମଙ୍ଗଳବାର ପାକିସ୍ତାନ ହାଇକମିସନର କର୍ତ୍ତୃପକ୍ଷଙ୍କୁ ଏକ କୂଟନୈତିକ ଚିଠି ଜାରି କରାଯାଇଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ଥିବା ବେଳେ ପାକିସ୍ତାନୀ ଅଧିକାରୀଙ୍କ ବିରୋଧରେ ଭାରତର ଏହି କାର୍ଯ୍ୟାନୁଷ୍ଠାନ ବେଶ୍ ଗୁରୁତ୍ବପୂର୍ଣ୍ଣ। ଭାରତ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ଦର୍ଶାଉଛି ଯେ ଉକ୍ତ ପାକିସ୍ତାନୀ ଅଧିକାରୀ ଭାରତର ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିଛନ୍ତି। ଏହା ଏକ ଆନୁଷ୍ଠାନିକ କୂଟନୈତିକ ବାର୍ତ୍ତା ଯାହା ମାଧ୍ୟମରେ ଭାରତ ନିଜର ଆପତ୍ତି ଓ କାର୍ଯ୍ୟାନୁଷ୍ଠାନ ପାକିସ୍ତାନକୁ ଜଣାଇବା ସହ ଏ ବାବଦ ନିର୍ଦ୍ଦେଶ ତତ୍କାଳ କାର୍ଯ୍ୟକାରୀ କରିବାକୁ କହିଛି।