ପ୍ରତିଶୋଧ: ଦମ୍ ଦେଖାଇଲା ଭାରତ, ପାକିସ୍ତାନରେ ପଶିଲା ୧୨ ମିରାଜ ବିମାନ

ଜୈସ ଶିବିର ଧ୍ବସ୍ତ, ୨୧ ମିନିଟ୍ ଆକ୍ରମଣ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ୧୨ ଦିନ ପରେ ଆଜି ଭାରତ ଏହାର ପ୍ରତିଶୋଧ ନେଇଛି। ଭାରତୀୟ ବାୟୁସେନାର ମିରାଜ ବିମାନ ପାକିସ୍ତାନରେ ପଶି ସେଠାରେ ଚାଲିଥିବା ବିଶାଳ ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକୁ ଛାରଖାର କରିଦେଇଛି। ୧୯୭୧ ଯୁଦ୍ଧ ପରେ ଭାରତୀୟ ବାୟୁସେନା ପ୍ରଥମ ଥର ପାଇଁ ଏଭଳି ବିମାନ ଆକ୍ରମଣ କରିଛି। ଭାରତୀୟ ବାୟୁସେନାର ୧୨ଟି ମିରାଜ୍-୨୦୦୦ ଯୁଦ୍ଧ ବିମାନ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦର ତିନିଟି ଶିବିରକୁ ଧ୍ବଂସ କରିଦେଇଛନ୍ତି। ଏଥିରେ ପ୍ରାୟ ୩୫୦ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ଜଣାପଡ଼ିଛି। ଆଜି ଭୋର୍‌ ସାଢ଼େ ୩ଟା ପରେ ଦେଶର ବିଭିନ୍ନ ବାୟୁସେନା ଘାଟିରୁ ଏକ ସମୟରେ ୧୨ଟି ମିରାଜ-୨୦୦୦ ଯୁଦ୍ଧ ବିମାନଗୁଡ଼ିକର ଉଡ଼ାଣ ଆରମ୍ଭ ହୋଇଥିଲା । ସମସ୍ତ ଯୁଦ୍ଧ ବିମାନ ଏକସମୟରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକିସ୍ତାନର ବାଲାକୋଟ, ମୁଜାଫରବାଦ ଏବଂ ଚାକୋଟିରେ ଯୋଜନାବଦ୍ଧ ଆକ୍ରମଣ କରି ଜୈସ୍‌ର ସମସ୍ତ କ୍ୟାମ୍ପ୍‌କୁ ମାଟିରେ ମିଶାଇ ଦେଇଥିଲେ। ଏହି ଆକ୍ରମଣରେ ବାୟୁସେନା ୧୦ଟି ଇସ୍ରାଏଲ ତିଆରି ଲେଜର ବୋମା ବ୍ୟବହାର କରାଯାଇଥିଲା। ଏହି ବୋମାର ଓଜନ ୧୦୦୦ କିଲୋ ବୋଲି କୁହାଯାଉଛି। ଜୈସ୍‌ ମୁଖିଆ ମାସୁଦ୍‌ ଆଝାରର ଶାଳକ ମୌଲାନା ୟୁସୁଫ ଆଝାର ପରିଚାଳନା କରୁଥିବା ବାଲାକୋଟ ଶିବିରକୁ ବାୟୁସେନା ସଂପୂର୍ଣ୍ଣ ଧ୍ବସ୍ତ କରିଦେଇଛି ଏବଂ ଏଥିରେ ୟୁସୁଫ୍‌ ମଧ୍ୟ ନିପାତ ହୋଇଥିବା ଜଣାପଡ଼ିଛି। ଭୋର୍‌ ୩ଟା ୪୩ରୁ ୪ଟା ୪ ଟା ମଧ୍ୟରେ ମାତ୍ର ୨୧ ମିନିଟ୍‌ରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇ ବାୟୁସେନାର ସମସ୍ତ ବିମାନ ସୁରକ୍ଷିତ ଫେରି ଆସିଛନ୍ତି। ପାକିସ୍ତାନରେ ଏହାଥିଲା ଭାରତର ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌। ଏହାପରେ ଦେଶର ସମସ୍ତ ବାୟୁସେନା ଘାଟିକୁ ସର୍ବାଧିକ ଆଲର୍ଟରେ ରଖାଯାଇଛି। ଗତ ୧୪ ତାରିଖରେ ପୁଲୱାମାରେ ଜୈସ୍‌ର ଆତ୍ମଘାତୀ ଆକ୍ରମଣ ପରେ ଯେଉଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ତାହାକୁ ବଢ଼ାଇ ଦିଆଯାଇଛି।

ଟା‌ର୍ଗେଟ: ବାଲା‌େକାଟ, ମୁଜାଫରାବାଦ, ଚାକୋଟି, ୩୫୦ ଆତଙ୍କବାଦୀ ନିପାତ, ଭାରତ ସାରା ହାଇଆଲର୍ଟ

ଭାରତୀୟ ବାୟୁସେନାର ଅପରେସନ ସଂପର୍କରେ ପ୍ରଥମେ ପାକିସ୍ତାନ ସେନାର ମେଜର ଜେନେରାଲ ଆସିଫ୍‌ ଗଫୁର ଟ୍ବିଟ୍‌ କରି ସୂଚନା ଦେଇଥିଲେ। ସେ କହିଥିଲେ ଯେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମୁଜାଫରାବାଦରେ ଅନୁପ୍ରବେଶ କରି ବୋମାମାଡ଼ କରିବାକୁ ପ୍ରୟାସ କରିଥିଲା। କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ପାକିସ୍ତାନ ସେନାର ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭାରତୀୟ ବାୟୁସେନାର ବିମାନ ଫେରିଯାଇଥିଲା ବୋଲି ସେ ପୁଣି ଏକ ଟ୍ବିଟ୍‌ରେ କହିଥିଲେ। ତେବେ ସତ୍ୟ ସାମ୍ନାକୁ ଆସିବା ପରେ ପାକିସ୍ତାନ ସ୍ତବ୍ଧ ହୋଇଯାଇଛି। ଇମ୍ରାନ୍‌ ଖାନ୍‌ ସରକାରକୁ ବିରୋଧୀ ଦଳଗୁଡ଼ିକ ଘେରିଥିବା ବେଳେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମୁଦ କୁରେସି ଭାରତକୁ ଧମକ ଦେଇଛନ୍ତି। ଭାରତ ଯେଉଁ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନେଇଛି ତାହାର ଜବାବ ଦେବାପାଇଁ ପାକିସ୍ତାନର ଅଧିକାର ରହିଛି ବୋଲି ସେ କହିଛନ୍ତି। ଆଜି ଅପରାହ୍ନରେ ଇମ୍ରାନ କହିଛନ୍ତି ଯେ ପାକିସ୍ତାନ ମଧ୍ୟ ଏହାର ପ୍ରତିଶୋଧ ନେବ ଏବଂ କେବେ ଓ କେଉଁଠି ଆକ୍ରମଣ ହେବ ତାହା ପାକିସ୍ତାନ ସ୍ଥିର କରିବ। ଭାରତୀୟ ସେନା ମୁଖ୍ୟ ବିପିନ ରାୱତ ଏବଂ ବାୟୁସେନା ମୁଖ୍ୟ ବି.ଏସ୍‌. ଧନୋଆ ଏଲ୍‌ଓସିରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଜମ୍ମୁକଶ୍ମୀର ଏବଂ ପଂଜାବ ସୀମାରେ ସୈନ୍ୟ ମୁତୟନ ବଢ଼ାଇ ଦିଆଯାଇଥିବା ବେଳେ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏକ ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ବାୟୁସେନାର ଅପରେସନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଥ୍‌ ବ୍ଲକ୍‌ ସ୍ଥିତ ୱାର୍‌ ରୁମ୍‌ରେ ଉପସ୍ଥିତ ଥିଲେ। ଅପରେସନ୍‌ ଶେଷ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏ ସଂକ୍ରାନ୍ତ ସବିଶେଷ ରିପୋର୍ଟ ଦେଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକ ଡକାଇଥିଲେ। ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି, ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ, ଗୃହମନ୍ତ୍ରୀ ରାଜନାଥ ସିଂହ , ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ସଂପର୍କରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ଏହାପରେ ବିଦେଶ ସଚିବ ବିଜୟ ଗୋଖଲେ ବାୟୁସେନାର କାର୍ଯ୍ୟାନୁଷ୍ଠାନ ସଂପର୍କରେ ଗଣମାଧ୍ୟମକୁ ତଥ୍ୟ ଅବଗତ କରାଇଥିଲେ। ଅପରାହ୍ନ ୨ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଚୁରୁରେ ଅନୁଷ୍ଠିତ ଏକ ରୢାଲିରେ ଉଦ୍‌ବୋଧନ ଦେଇ କହିଥିଲେ, ମୁଁ ଦେଶବାସୀଙ୍କୁ ବିଶ୍ବାସ ଦେବାକୁ ଚାହୁଛି ଯେ ଦେଶ ଏବେ ସୁରକ୍ଷିତ ହାତରେ ରହିଛି ଏବଂ ଦେଶକୁ କେବେ ନତମସ୍ତକ ହେବାକୁ ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର