ସମୃଦ୍ଧ ଦେଶ ଭାରତ ଗରିବ ଜନସଂଖ୍ୟାରେ ଭର୍ତ୍ତି: ନୀତୀନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର କହିଛନ୍ତି ଯେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହୋଇଛି। ତେବେ, ଯଦିଓ ଦେଶ ଧନୀ; ତଥାପି ଏହାର ଜନସଂଖ୍ୟା ଦାରିଦ୍ର୍ୟ, ଅନାହାର, ବେରୋଜଗାରୀ, ଜାତିବାଦ, ଅସ୍ପୃଶ୍ୟତା ଏବଂ ମୁଦ୍ରାସ୍ଫୀତି ପରି ସମସ୍ୟାର ସମ୍ମୁଖୀନ ହେଉଛି। ଦେଶରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଛି, ଯାହାକୁ ଦୂର କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଦ୍ୱାରା ଅନୁପ୍ରାଣିତ ସଂଗଠନ ଭାରତ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରବା ଅବସରରେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରି କହିଛନ୍ତି, ‘ଆମେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ପଞ୍ଚମ ବୃହତ୍ତମ ଅର୍ଥନୀତି। ଆମେ ଗରିବ ଜନସଂଖ୍ୟା ବିଶିଷ୍ଟ ଏକ ସମୃଦ୍ଧ ରାଷ୍ଟ୍ର। ଆମ ଦେଶ ସମୃଦ୍ଧ, କିନ୍ତୁ ଆମ ଦେଶର ଜନସଂଖ୍ୟା ଅନାହାର, ବେରୋଜଗାରୀ, ଦାରିଦ୍ର୍ୟ, ମୁଦ୍ରାସ୍ଫୀତି, ଜାତିବାଦ, ଅସ୍ପୃଶ୍ୟତା ଏବଂ ଅନ୍ୟାନ୍ୟ କାରଣର ସମ୍ମୁଖୀନ ହେଉଛି ଯାହା ସମାଜର ପ୍ରଗତି ପାଇଁ ଶୁଭଙ୍କର ନୁହେଁ’ ବୋଲି ସେ କହିଛନ୍ତି।

ସମାଜରେ ସାମାଜିକ ଏବଂ ଅର୍ଥନୈତିକ ସମାନତା ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି। କାରଣ, ଏବେ ସମାଜର ଏହି ଦୁଇ ବର୍ଗ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଛି। ସାମାଜିକ ବୈଷମ୍ୟ ପରି ଅର୍ଥନୈତିକ ଅସମାନତା ମଧ୍ୟ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଉଲ୍ଲେଖ କରିବା ସହ ଧନୀ-ଗରିବ ବ୍ୟବଧାନକୁ ଦୂର କରିବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସେବା କ୍ଷେତ୍ରରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗଡକରୀ ଗୁରୁତ୍ୱାରୋପ କରିଛନ୍ତି।

ଭାରତ ବିକାଶ ପରିଷଦର ଉଦ୍ଦେଶ୍ୟ ଅତ୍ୟନ୍ତ ସ୍ପଷ୍ଟ। କିନ୍ତୁ ଆମ ସମ୍ମୁଖରେ ସବୁଠାରୁ ବଡ ଆହାନ ହେଉଛି ସମାଜରେ ପରିବର୍ତ୍ତନ ଆଣିବା ପାଇଁ ସାମାଜିକ ଦାୟିତ୍ୱ ଏବଂ ସାମାଜିକ ଚେତନା ସହିତ ବିଭିନ୍ନ କ୍ଷେତ୍ରରେ କିପରି କାର୍ଯ୍ୟ କରାଯିବ ସେଥିପାଇଁ ମାର୍ଗଦର୍ଶନ। ତଥାପି, ଆମେ ଏପର୍ଯ୍ୟନ୍ତ ଆମର ଉଦ୍ଦେଶ୍ୟଠାରୁ ବହୁତ ଦୂରରେ ଅଛୁ ଏବଂ ଏହାକୁ ହାସଲ କରିବା ପାଇଁ ଆମର ପ୍ରୟାସକୁ ତ୍ୱରାନ୍ଵିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର