ନୂଆଦିଲ୍ଲୀ: ‘ମୁଁ ଶୁଣିବାକୁ ପାଇଲି ଯେ ଭାରତ କୁଆଡେ ରୁଷ୍ଠାରୁ ତେଲ କିଣିବା ବନ୍ଦ କରିଦେଇଛି । କିନ୍ତୁ ଏହା କେତେ ସତ୍ୟ ମୋତେ ଜଣାନାହିଁ । ଯଦି ଏହା ସତ, ତେବେ ଏହା ଏକ ବହୁତ ଭଲ ପଦକ୍ଷେପ’ । ଏକ ସାକ୍ଷାତ୍କାରରେ ଟ୍ରମ୍ପ୍ ଦେଇଥିବା ଏହି ବୟାନ ଖୁବ୍ ଚର୍ଚ୍ଚାରେ ରହିଛି। ଏହାରି ଭିତରେ ଭାରତ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସରକାରୀ ସୂତ୍ର ଏଏନ୍ଆଇକୁ କହିଥିବା ଜାଣିବାକୁ ମିଳିଛି ଯେ ‘‘ଏହି ଦାବି ଭ୍ରମିତ କରିବା ପରି ଏବଂ ଭାରତ ଏବେ ବି ରୁଷଠାରୁ ତେଲ କିଣୁଛି।’’ ଭାରତ ସ୍ପଷ୍ଟ କରିଛନ୍ତି ଯେ ଭାରତର ତୈଳ ଆମଦାନୀ ସମ୍ପୂର୍ଣ୍ଣ ଭାବରେ ମୂଲ୍ୟ, ଅଶୋଧିତ ତୈଳର ଗୁଣବତ୍ତା, ବିଦ୍ୟମାନ ଭଣ୍ଡାର, ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ଆର୍ଥିକ କାରଣ ଉପରେ ନିର୍ଭର କରୁଛି।
ସୂତ୍ର ଅନୁସାରେ ରୁଷ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅଶୋଧିତ ତୈଳ ଉତ୍ପାଦକ ଏବଂ ରପ୍ତାନିକାରୀ ଦେଶ। ଯାହାର ଦୈନିକ ଉତ୍ପାଦନ କ୍ଷମତା ପ୍ରାୟ ୯.୫ ନିୟୁତ ବ୍ୟାରେଲ; ଯାହାକି ବିଶ୍ୱ ଚାହିଦାର ପ୍ରାୟ ୧୦%। ରୁଷ ପ୍ରତିଦିନ ପ୍ରାୟ ୪.୫ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଏବଂ ୨.୩ ନିୟୁତ ବ୍ୟାରେଲ ବିଶୋଧିତ ଉତ୍ପାଦ ରପ୍ତାନି କରେ।
ଉଲ୍ଲେଖଯୋଗ୍ୟ, ଏଏନ୍ଆଇ ରିପୋର୍ଟ ଅନୁଯାଇ ଏକ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ, "ମୁଁ ଶୁଣିବାକୁ ପାଇଛି ଯେ ଭାରତ ଋଷରୁ ତେଲ କିଣିବା ବନ୍ଦ କରିଦେଇଛି । ମୁଁ ଏହା ଶୁଣିଛି, କିନ୍ତୁ ମୁଁ ଜାଣେ ନାହିଁ ଏହା ସତ କି ନୁହେଁ। ଯଦି ଏହା ସତ, ତେବେ ଏହା ଏକ ବହୁତ ଭଲ ପଦକ୍ଷେପ ।" ଟ୍ରମ୍ପଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି, ଯେତେବେଳେ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଋଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ସେମାନେ ଚାହୁଁଛନ୍ତି ଯେ ଭାରତ ଭଳି ଦେଶ ମଧ୍ୟ ଋଷ ସହ ବ୍ୟବସାୟିକ ସମ୍ପର୍କ କମ୍ କରନ୍ତୁ ।