ନ୍ୟୁୟର୍କ: ପାଶ୍ଚାତ୍ୟ ସାମରିକ ମିଳିତ ମଞ୍ଚ ‘ନାଟୋ’ର ମହାସଚିବ ମାର୍କ ରୁଟ୍ ଗୁରୁବାର ଦାବି କରିଛନ୍ତି ଯେ, ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ଯୋଗୁଁ ଭାରତ ରୁଷ୍‌କୁ ଏହାର ୟୁକ୍ରେନ୍ ଯୁଦ୍ଧ ରଣନୀତି ବୁଝାଇବାକୁ କହିଥିଲା। ସେ ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସିଧାସଳଖ କଥା ହୋଇଥିଲେ। ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା ଅବସରରେ ସିଏନ୍ଏନ୍ ସହିତ କଥାବାର୍ତ୍ତା କରି ରୁଟ୍ କହିଛନ୍ତି, ଭାରତ ଉପରେ ଟ୍ରମ୍ପଙ୍କ ଶୁଳ୍କ ରୁଷ୍‌ ଉପରେ ବଡ଼ ପ୍ରଭାବ ପକାଇଛି। ଦିଲ୍ଲୀ ପୁଟିନଙ୍କ ସହ ଫୋନରେ ଯୋଗଯୋଗ କରିଛି ଏବଂ ନରେନ୍ଦ୍ର ମୋଦୀ ତାଙ୍କୁ ୟୁକ୍ରେନ ଉପରେ ତାଙ୍କର ରଣନୀତି ବୁଝାଇବାକୁ କହିଛନ୍ତି କାରଣ ଭାରତ ଶୁଳ୍କ ଦ୍ୱାରା ପ୍ରଭାବିତ ହେଉଛି।  

Advertisment

ଅନ୍ୟ ପକ୍ଷରେ ନାଟୋ ମୁଖ୍ୟଙ୍କୁ ଏଭଳି ଦାବିକୁ ଭାରତ ମିଥ୍ୟା ଓ ବିଭ୍ରାନ୍ତିକର ବୋଲି କହି ଭର୍ତ୍ସନା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଧାନମନ୍ତ୍ରୀ  ମୋଦୀ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ଫୋନ୍ କଲ୍ ସମ୍ବନ୍ଧରେ ନାଟୋ ମୁଖ୍ୟ ମିଥ୍ୟା ବୟାନ ଦେଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ଜୟସ୍ବାଲ କହିଛନ୍ତି,  ପ୍ରଧାନମନ୍ତ୍ରୀ ମୋଦୀ  ରାଷ୍ଟ୍ରପତି ପୁଟିନଙ୍କ ସହ ଏଭଳି ପ୍ରସଙ୍ଗରେ  ଆଦୌ କଥାବାର୍ତ୍ତା କରିନାହାନ୍ତି।  ନାଟୋ ପରି ଏକ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ମାନଜନକ ଅନୁଷ୍ଠାନର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ଏଭଳି  ବେପରୁଆ ବୟାନ ଗ୍ରହଣୀୟ ନୁହେଁ।  ନାଟୋ ମୁଖ୍ୟ ତାଙ୍କ ବୟାନରେ  ସଠିକତା ପ୍ରଦର୍ଶନ କରିବା ଉଚିତ ବୋଲି ଭାରତ ଚେତାଇ ଦେଇଛି।   

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ରୁଷ୍‌ ଉପରେ ବ୍ୟାପକ ପ୍ରତିବନ୍ଧକ ଲଗାଇବେ କି ବୋଲି ନାଟୋ ମୁଖ୍ୟଙ୍କୁ ପଚରାଯିବାରୁ ସେ  କହିଛନ୍ତି ଯେ ଟ୍ରମ୍ପ ପଦକ୍ଷେପ ନେଇସାରିଛନ୍ତି। ସେ କ’ଣ କରିଛନ୍ତି ତାହା ଆମେ ଦେଖିଛୁ।  ରୁଟ୍ ଦୃଢ଼ ଯୁକ୍ତି କରିଛନ୍ତି ଯେ, ଏହି ପଦକ୍ଷେପ ରୁଷ୍‌ ଉପରେ ପ୍ରଭାବ ପକାଇଛି। ତେବେ ଯୁଦ୍ଧ ଶେଷ କରିବା ପାଇଁ ଏଭଳି ପଦକ୍ଷେପର ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ ବୋଲି ସେ ସ୍ବୀକାର କରିଛନ୍ତି।