ନୂଆଦିଲ୍ଲୀ: ଭାରତ ପାକିସ୍ତାନରେ ଟାର୍ଗେଟ୍ କରି ହତ୍ୟାକାଣ୍ଡ ଘଟାଉଥିବା ନେଇ ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଖଣ୍ଡନ କରିଛି। ପାକିସ୍ତାନର ଗୁଇନ୍ଦା ଅଧିକାରୀଙ୍କ ବୟାନକୁ ଉଲ୍ଲେଖ କରି ରିପୋର୍ଟରେ କୁହାଯାଇଛି ଯେ ବିଦେଶ ମାଟିରେ ରହୁଥିବା ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତର ଏହି ପଦକ୍ଷେପ ଏକ ବ୍ୟାପକ ରଣନୀତିର ଅଂଶ ବିଶେଷ। ଏହି ଅଭିଯୋଗ ମିଥ୍ୟା ଏବଂ ଭାରତ-ବିରୋଧୀ ପ୍ରଚାର ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ପୂର୍ବ ବୟାନକୁ ମଧ୍ୟ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି, ଯେଉଁଥିରେ ସେ କହିଥିଲେ ଯେ ଅନ୍ୟ ଦେଶରେ ଟାର୍ଗେଟ୍ କିଲିଂ ଭାରତ ସରକାରଙ୍କ ନୀତି ନୁହେଁ।
ରିପୋର୍ଟ ଅନୁଯାୟୀ, କିଛି ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ଦ୍ୱାରା ସେୟାର କରାଯାଇଥିବା ଦସ୍ତାବିଜରୁ ଜଣାପଡିଛି ଯେ ଭାରତର ଗୁଇନ୍ଦା ସଂସ୍ଥା ର (ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ) ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଜାତୀୟ ନିରାପତ୍ତା ପ୍ରତି କଠୋର ଆଭିମୁଖ୍ୟର ଏକ ଅଂଶ ଭାବରେ ବିଦେଶ ମାଟିରେ ଏଭଳି ୨୦ଟି ଟାର୍ଗେଟ କିଲିଂ କରିଥିଲା। ପୁଲୱାମା ଆକ୍ରମଣରେ ୪୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ପରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ୨୦୨୩ରେ ଟାର୍ଗେଟ୍ କିଲିଂ ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ପାକିସ୍ତାନର ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୧୫ ଜଣଙ୍କ ସନ୍ଦେହଜନକ ମୃତ୍ୟୁରେ ଭାରତର ସମ୍ପୃକ୍ତି ରହିଛି। ପାକିସ୍ତାନୀ ତଦନ୍ତକାରୀଙ୍କ କହିବା ଅନୁଯାୟୀ, ଏହି ହତ୍ୟାଗୁଡ଼ିକ ମୁଖ୍ୟତଃ ସଂଯୁକ୍ତ ଆରବ ଏମିରେଟ୍ସରେ କାର୍ଯ୍ୟ କରୁଥିବା ଭାରତୀୟ ଗୁଇନ୍ଦା ସ୍ଲିପର ସେଲ୍ ଦ୍ୱାରା ଘଟାଯାଇଛି। ୨୦୨୩ ଜୁନ୍ ୧୮ ତାରିଖରେ ସରେସ୍ଥିତ ଏକ ଗୁରୁଦ୍ୱାରା ବାହାରେ ନିହତ ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରଙ୍କୁ ହତ୍ୟା କରିବାରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବା ନେଇ କାନାଡାର ଅଭିଯୋଗ ଏହି ରିପୋର୍ଟକୁ ସମର୍ଥନ କରୁଛି।
ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଭାରତ ଇସ୍ରାଏଲର ମୋସାଦ ଏବଂ ରୁଷିଆର କେଜିବି ଭଳି ଗୁଇନ୍ଦା ଏଜେନ୍ସିଠାରୁ ପ୍ରେରଣା ନେଇଛି, ଯାହା ବିଦେଶ ମାଟିରେ ନ୍ୟାୟବିହୀନ ହତ୍ୟାକାଣ୍ଡ ସହିତ ଜଡିତ। ଅନ୍ୟପକ୍ଷରେ ବିଶ୍ଳେଷକମାନେ ବିଶ୍ୱାସ କରୁଛନ୍ତି ଯେ ପାକିସ୍ତାନୀ କର୍ତ୍ତୃପକ୍ଷ ଏହି ହତ୍ୟାକାଣ୍ଡକୁ ସର୍ବସାଧାରଣରେ ସ୍ୱୀକାର କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି କାରଣ ଅଧିକାଂଶ ଟାର୍ଗେଟ୍ ଜଣାଶୁଣା ଆତଙ୍କବାଦୀ ଏବଂ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀର ସହଯୋଗୀ।