୨୦୨୦ରେ ପ୍ରତିଦିନ ଆତ୍ମହତ୍ୟା କରିଛନ୍ତି ୩୧ ଜଣ ପିଲା: ପାରିବାରିକ ସମସ୍ୟା ଓ ପ୍ରେମ ପାଇଁ ଯାଇଛି ଅଧିକ ଜୀବନ

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି ପାଖାପାଖି ୩୧ ଜଣ ପିଲା । ଅର୍ଥାତ ଦେଶରେ ପ୍ରତି ଘଣ୍ଟାରେ ଆତ୍ମହତ୍ୟା କାରଣରୁ ଚାଲିଯାଉଛି ଜଣେ ପିଲାର ଜୀବନ । ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋର ଏହି ତଥ୍ୟ ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ରିପୋର୍ଟ ମୁତାବକ, ଗତବର୍ଷ ସାରା ଦେଶରେ ମୋଟ ୧୧ ହଜାର ୩୯୬ ଜଣ ପିଲା ଆତ୍ମହତ୍ୟା ଉଦ୍ୟମ କରି ମୃତ୍ୟୁବରଣ କରିଛନ୍ତି, ଯାହା ୨୦୧୮ ତୁଳନାରେ ୨୧ ପ୍ରତିଶତ ଓ ୨୦୧୯ ତୁଳନାରେ ୧୮ପ୍ରତିଶତ ଅଧିକ ।

ଏନସିଆରବିର ରିପୋର୍ଟ ମୁତାବକ ୨୦୧୮ରେ କେବଳ ୯୪୧୩ ଜଣ ପିଲା ଆତ୍ମହତ୍ୟା କରିଥିଲେ । ଏହାପରେ ୨୦୧୯ରେ ଏହି ସଂଖ୍ୟା ୯୬୧୩ କୁ ବୃଦ୍ଧି ପାଇଥିଲା । ହେଲେ ୨୦୨୦ ଅର୍ଥାତ ଗତବର୍ଷ ଏହି ସଂଖ୍ୟା ୧୧ ହଜାର ପାର୍ କରିଯାଇଛି । ତେବେ ଏତେ ସଂଖ୍ୟାରେ ପିଲା ଆତ୍ମହତ୍ୟା କରିବା ପଛର କାରଣ ଦେଶରେ ପାରିବାରିକ ସମସ୍ୟା, ପ୍ରେମ ସସମ୍ୟା ବୋଲି କୁହାଯାଇଛି ।

ଗତବର୍ଷ ଦେଶରେ ପାରିବାରିକ ସସମ୍ୟା କାରଣରୁ ମୋଟ ୪୦୦୬ ଜଣ ପିଲା ଆତ୍ମହତ୍ୟା କରିଛନ୍ତି । ସେହିପରି ପ୍ରେମ ପାଇଁ ୧୩୩୭ ଜଣ ପିଲା ଦେଶରେ ଆତ୍ମହତ୍ୟା କରିଛନ୍ତି । ଏହା ସହିତ ରୋଗରେ ପଡିଥିବା କାରଣରୁ ମଧ୍ୟ ଦେଶର ୧୩୨୭ ଜଣ ପିଲା ଆତ୍ମହତ୍ୟା କରି ନିଜର ଜୀବନ ହାରିଥିବା ଏନସିଆରବି ରିପୋର୍ଟ ଦେଇଛି । ତେବେ ବିଶେଷଜ୍ଞମାନଙ୍କ କହିବା କଥା, କୋଭିଡ୍ କାଳରେ ସ୍କୁଲ ବନ୍ଦ ରହିଲା । ଏହି ସମୟରେ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ରହିଲା । ତେଣୁ ପିଲାମାନେ ଏହି ସମୟରେ ଅଧିକ ଆତ୍ମହତ୍ୟା କରିଛନ୍ତି । ତେବେ ଗତବର୍ଷ ଆତ୍ମହତ୍ୟା କରିଥିବା ପିଲାଙ୍କ ଭିତରେ ୫୩୯୨ ଜଣ ପୁଅ ଥିବାବେଳେ ୬୦୦୪ ଜଣ ଝିଅ ସାମିଲ ଅଛନ୍ତି । ଅର୍ଥାତ ପୁଅଙ୍କ ତୁଳନାରେ ଝିଅ ଅଧିକ ଆତ୍ମହତ୍ୟା କରିଛନ୍ତି ।

ସମ୍ବନ୍ଧିତ ଖବର