ଚୀନକୁ କହିଲା‌ ଭାରତ, ମତପାର୍ଥକ୍ୟ ବିବାଦରେ ପରିଣତ ନହେଉ

ବେଜିଂ: ‌ଚୀନ ଗସ୍ତରେ ଥିବା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ଚୀନ ପ୍ରତିପକ୍ଷ ୱାଙ୍ଗ୍ ୱିଙ୍କ ସହ ଆଜି ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଯେକୌଣସି ପ୍ରକାର ମତପାର୍ଥକ୍ୟକୁ ବିବାବ ଭାବେ ବିବେଚନା କରାଯିବା ଉଚିତ ନୁହେଁ ବୋଲି ତାହାକୁ ନିଶ୍ଚିତ କରିବାକୁ ଭାରତ ଚୀନକୁ କହିଛି। ଏଥିସହିତ କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଏବଂ ଏହାର ପ୍ରଭାବକୁ ଚୀନ୍ ଅତି ନିକଟରୁ ନିରୀକ୍ଷଣ କରୁଛି। ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତ ଗଠନମୂଳକ ଭୂମିକା ନିଭାଇବାକୁ ଚୀନ୍ ନୂଆଦିଲ୍ଲୀକୁ ଏହି ଅବସରରେ କହିଛି। ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହିତ ପ୍ରତିନିଧି ମଣ୍ଡଳ ସ୍ତରୀୟ ବୈଠକରେ ଜୟଶଙ୍କରକୁ ସ୍ବାଗତ କରାଯାଇଥିଲା। ବୈଠକରେ ଚୀନ ବିଦେଶ ମନ୍ତ୍ରୀ ସିଧାସଳଖ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ଉଠାଇ ନଥିଲେ ମଧ୍ୟ ଭାରତ ପାକିସ୍ତାନ ଉତ୍ତେଜନା ପ୍ରସଙ୍ଗ ଉତ୍‌ଥାପିତ ଥିଲେ। ପଞ୍ଚଶୀଳ ନୀତି ଆଧାରରେ ଦୁଇ ଦେଶ ଉପକୃତ ହୋଇପାରିବେ ବୋଲି ୱାଙ୍ଗ୍ କହିଥିଲେ। ଚୀନ୍ ଏବଂ ଭାରତ ଦୁଇଟି ବଡ଼ ଦେଶ ହୋଇଥିବାରୁ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ରକ୍ଷା କରିବାରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି ବୋଲି ସେ କହିଥିଲେ। ତିନି ଦିନିଆ ଚୀନ ଗସ୍ତରେ ଯାଇଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନର ଉପରାଷ୍ଟ୍ରପତି ୱାଙ୍ଗ କ୍ବିସାନଙ୍କୁ ସାକ୍ଷାତ କରିଛନ୍ତି। କ୍ବିସାନଙ୍କୁ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କର ଅନ୍ୟନ୍ତ ଘନିଷ୍ଠ ବୋଲି ବିବେଚନା କରାଯାଉଛି। ଏହା ପରେ ‌ଜୟ ଶଙ୍କର ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହିତ ପ୍ରତିନିଧିମଣ୍ଡଳୀ ବୈଠକ କରିଥିଲେ। ଚଳିତବର୍ଷ ଚୀନ ରା‌ଷ୍ଟ୍ରପତି ଜିନପିଙ୍ଗ ଭାରତ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କ ଦ୍ବିତୀୟ ଅଣଆନୁଷ୍ଠାନିକ ବୈଠକ ହେବ। ସେହି ବୈଠକର କାର୍ଯ୍ୟସୂଚୀକୁ ଚୂଡ଼ାନ୍ତ କରିବା ଜୟଶଙ୍କରର ଚୀନ ଗସ୍ତର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର