ପିଓକେ ନେଇ ଚୀନ୍‌-ପାକ୍‌ ମିଳିତ ବିବୃତିକୁ ପ୍ରତ୍ୟାଖ୍ୟାନ, ସିପିଇସି ବନ୍ଦ ପାଇଁ କହିଲା ଭାରତ

ଜେନେଭା: ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର (ସିପିଇସି) ନେଇ ଉଭୟ ରାଷ୍ଟ୍ରର ମିଳିତ ବୟାନକୁ ଭାରତ ପ୍ରତ୍ୟାଖ୍ୟାନ କରିବା ସହ ପାକିସ୍ତାନ ଅଧିକୃତ କଶ୍ମୀରରେ ଏ ବାବଦ ସମସ୍ତ କାର୍ଯ୍ୟ ବନ୍ଦ କରିବାକୁ ଆଜି ଭାରତ କହିଛି। ନିକଟରେ ଚୀନ୍‌ ବିଦେଶ ମନ୍ତ୍ରୀ ୱାଙ୍ଗ ୱି ପାକିସ୍ତାନ ଗସ୍ତ କରିବା ଅବସରରେ ଚୀନ୍‌-ପାକିସ୍ତାନର ଏକ ମିଳିତ ବିବୃତିରେ ପିଓକେକୁ ପାକିସ୍ତାନର ବୋଲି ଦର୍ଶାଯାଇଥିଲା। ଏହାକୁ ବିରୋଧ କରି ଭାରତ କହିଛି ଯେ ପାକିସ୍ତାନ ଅଧିକୃତ କଶ୍ମୀରରେ ସିପିଇସି କାର୍ଯ୍ୟ ସଂପୂର୍ଣ୍ଣ ବେଆଇନ। ଜମ୍ମୁ କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଏବଂ ପାକିସ୍ତାନ ବେଆଇନ ଭାବେ ୧୯୪୭ରୁ କିଛି ଅଂଚଳ ଜବରଦଖଲରେ ରଖିଛି। ପାକ୍‌ ଅଧିକୃତ କଶ୍ମୀରର ଅସଲ ସ୍ଥିତିକୁ ପାକିସ୍ତାନ ବଦଳାଇ ପାରିବ ନାହିଁ ଏବଂ ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ଆଜି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର କହିଛନ୍ତି। ଗିଲ୍‌ଗିଟ୍‌ ବାଲତିସ୍ତାନରେ ଚୀନ୍‌ ୫୦ ବିଲିୟନ ଡଲାର ୧୫ ବର୍ଷରେ ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛି। ପିଓକେରେ ଚାଲିଥିବା ବିଶାଳ ନିର୍ମାଣ କାର୍ଯ୍ୟରୁ ଚୀନ୍‌ ଓହରିଯିବା ଉଚିତ ଏବଂ ପାକିସ୍ତାନ ମଧ୍ୟ ବାସ୍ତବ ସ୍ଥିତି ସଂପର୍କରେ ସଚେତନ ହେବା ଆବଶ୍ୟକ ବୋଲି ଭାରତ ଚେତାଇ ଦେଇଛି।

ସମ୍ବନ୍ଧିତ ଖବର