ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାର ପାଇଁ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଆସୁଥିବା ବେଳେ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଭାରତ ଆରମ୍ଭରୁ ଗୋଟିଏ ନୀତିରେ ରହି ଆସିଛି। ଆତଙ୍କବାଦ ଏବଂ କଥାବାର୍ତ୍ତା ଏକ ସମୟରେ ହୋଇପାରିବନି। ପାକିସ୍ତାନକୁ ପ୍ରଥମେ ଆତଙ୍କବାଦର ମୂଳୋତ୍ପାଟନ କରିବାକୁ ପଡ଼ିବ। ତେବେ ଆଜି ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂହ। ରାଜନାଥ କହିଛନ୍ତି ଜମ୍ମୁ କଶ୍ମୀର ଏକ ପ୍ରସଙ୍ଗ ନୁହେଁ। ଏହା ଭାରତର ଏକ ଅବିଚ୍ଛେଦ୍ୟ ଅଂଶ। ତେବେ ମୁଖ୍ୟ ପ୍ରସଙ୍ଗ ହେଉଛି ଆତଙ୍କବାଦ ଏବଂ ପାକିସ୍ତାନ ଏ ସଂକ୍ରାନ୍ତରେ ଆଲୋଚନା କରିବା ଆବଶ୍ୟକ। ଯଦି ପାକିସ୍ତାନ ଏକାକୀ ଆତଙ୍କବାଦ ବିରୋଧରେ ଲଢ଼ିପାରୁନି ତେବେ ଏହା ଭାରତର ସହଯୋଗ ନେଇପାରିବ। ଜୟପୁରରେ ଏକ ‌ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଜନାଥ ଏହି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି। ରାଜନାଥ ପୁଣି କହିଛନ୍ତି ଯେ, ସେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହାନ୍ତି ଯଦି ଆମେରିକା ସହାୟତାରେ ଆଫଗାନିସ୍ତାନରେ ଆତାଙ୍କବାଦ ବିରୋଧରେ ଲଢ଼େଇ ଜାରି ରହିଛି ତେବେ ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଭାରତର ସହାୟତା ନେଇପାରିବ।