ଦେଶରେ କେବଳ ଇ-ସିଗାରେଟର ବିକ୍ରି ନୁହେଁ, ସେବନକୁ ମଧ୍ୟ ନିଷିଦ୍ଧ କରାଯାଇଛି, ସରକାରଙ୍କ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ : ଭାରତରେ କେବଳ ଇ-ସିଗାରେଟ ଆମଦାନୀ, ଉତ୍ପାଦନ ଓ ବିକ୍ରୟ ନୁହେଁ, ସେବନକୁ ମଧ୍ୟ ନିଷିଦ୍ଧ କରାଯାଇଛି ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି । କୋଲକତାର ଏକ କୋର୍ଟରେ ଆଗତ ଏକ ମାମଲାର ଶୁଣାଣି ବେଳେ ଏକ ସତ୍ୟପାଠ ଦେଇ ସରକାର କହିଛନ୍ତି ଯେ ଭାରତରେ ଇ-ସିଗାରେଟ୍‌ ନିଷିଦ୍ଧ ହେବା ଅର୍ଥ ହେଉଛି ତାହାର ସେବନ ମଧ୍ୟ ନିଷିଦ୍ଧ ହୋଇଛି । ଗତ ସେପ୍ଟେମ୍ବର ମାସରେ ସରକାର ଏକ ଅଧ୍ୟାଦେଶ ଆଣି ଇ-ସିଗାରେଟର ଆମଦାନୀ, ଉତ୍ପାଦନ, ବିତରଣ ଓ ବିକ୍ରି ନିଷିଦ୍ଧ କରାଯାଇଥିଲା । ପ୍ରଥମ ଥର ପାଇଁ ଏହି ଆଇନର ଉଲ୍ଲଙ୍ଘନ କଲେ ୧ ବର୍ଷ ପର୍ଯ୍ୟନ୍ତ ଜେଲ ଓ ୧ ଲକ୍ଷ ଟଙ୍କା ଜରିମାନା ଓ ୨ୟ ଥର ପାଇଁ ଉଲ୍ଲଙ୍ଘନ କଲେ ଦୋଷୀକୁ ୫ ଲକ୍ଷଟଙ୍କା ଜରିମାନା ଓ ୩ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ ।
ତେବେ ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ବ୍ୟକ୍ତିଗତ ଭାବେ ଏହାର ସେବନକୁ ନିଷିଦ୍ଧ କରାଯାଇନାହିଁ । କିନ୍ତୁ ସରକାରଙ୍କ ଉପରୋକ୍ତ ନିଷେଧାଜ୍ଞା ବିରୁଦ୍ଧରେ ଗତ ନଭେମ୍ବର ୫ ତାରିଖରେ କୋଲକତା ହାଇକୋର୍ଟରେ ୨ଟି ମାମଲା ରୁଜ୍ଜୁ ହୋଇଥିଲା । ଏହି ମାମଲାର ଶୁଣାଣିବେଳେ ସରକାର ଏହି ସ୍ପଷ୍ଟୀକରଣ ଦେଇଛନ୍ତି ଯେ ସେବନକୁ ମଧ୍ୟ ନିଷିଦ୍ଧ କରାଯାଇଛି ।

ସମ୍ବନ୍ଧିତ ଖବର