ନୂଆଦିଲ୍ଲୀ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତହବ୍ବୁର ହୁସେନ ରାଣା ଭାରତକୁ ପ୍ରତ୍ୟର୍ପଣ ଏଡ଼ାଇବା ପାଇଁ ଆମେରିକାରେ ନିଜର ଶେଷ ଆଇନଗତ ଲଢ଼େଇରେ ପରାଜିତ ହୋଇଛି। ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ଶନିବାର ରାଣାର ପ୍ରତ୍ୟର୍ପଣକୁ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ଆତଙ୍କବାଦୀ ମାଷ୍ଟରମାଇଣ୍ଡକୁ ଭାରତରେ କାଠଗଡ଼ାକୁ ଆଣି ଦଣ୍ଡ ଦେବାର ବାଟ ସଫା ହୋଇଛି। ରାଣା ବ୍ୟତୀତ ଭାରତ ଅନ୍ୟ ଅନେକ ଅପରାଧୀଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି, ଯେଉଁମାନେ ଆଇନରୁ ବର୍ତ୍ତିବା ପାଇଁ ପଳାତକ ହୋଇଯାଇଥିଲେ। ଗତ ମାସରେ ସରକାର କହିଥିଲେ ଯେ ସମସ୍ତ ପଳାତକଙ୍କ ମଧ୍ୟରୁ ଏକ ତୃତୀୟାଂଶ ଆମେରିକାରେ ଲୁଚି ରହିଛନ୍ତି, ଯାହା ଅପରାଧୀ ଓ ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଛି। ବିଦେଶକୁ ପଳାଇଥିବା ଯେଉଁ ପାଞ୍ଚ ପ୍ରମୁଖ ଅପରାଧୀଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ଚେଷ୍ଟା କରୁଛି, ସେମାନଙ୍କ ତାଲିକା ନିମ୍ନରେ ଦିଆଗଲା।

Advertisment

ତହବ୍ବୁର ହୁସେନ ରାଣା: ପାକିସ୍ତାନୀ ବଂଶୋଦ୍ଭବ କାନାଡାର ବ୍ୟବସାୟୀ ରାଣା ୨୦୦୮ ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଥିଲା।‌ ସେ ପାକିସ୍ତାନ ସେନାରେ କାର୍ଯ୍ୟ କରିଥିବା ଜଣେ ପୂର୍ବତନ ସାମରିକ ଡାକ୍ତର। ୨୦୦୯ରେ ଡେନମାର୍କରେ ତାକୁ ଗିରଫ କରାଯାଇଥିଲା। ଏହି ମାମଲା ବ୍ୟତୀତ ଲସ୍କର-ଏ-ତୋଇବାକୁ ସାମଗ୍ରିକ ସହାୟତା ଯୋଗାଇଥିବା ଅଭିଯୋଗରେ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସଦ୍ୟତମ ଅପ୍‌ଡେଟ୍‌ରେ ଆମେରିକାର ସୁପ୍ରିମ୍‌କୋର୍ଟ ତାକୁ ଭାରତ ପ୍ରତ୍ୟର୍ପଣ ପାଇଁ ମଞ୍ଜୁରି ଦେଇଛନ୍ତି।

ଅର୍ଶ ଦଲ୍ଲା: ନିଷିଦ୍ଧ ସଂଗଠନ ଖଲିସ୍ତାନ ଟାଇଗର ଫୋର୍ସର ନେତା ଅର୍ଶଦୀପ ସିଂହ ଗିଲ୍ ଓରଫ ଅର୍ଶ ଦଲ୍ଲା କାନାଡାରେ ରହୁଛି। ସେ ଭାରତରେ ୫୦ରୁ ଅଧିକ ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ ଓ ଆତଙ୍କବାଦୀ କାର୍ଯ୍ୟକଳାପ ମାମଲାରେ ୱାଣ୍ଟେଡ୍ ରହିଛି। ୨୦୦୪ ମସିହା ଜାନୁଆରି ମାସରେ ତାକୁ ‘ଆତଙ୍କବାଦୀ’ ଘୋଷଣା କରାଯାଇଥିଲା। ସେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ସହ ଯୋଗାଯୋଗରେ ଥିବା ଜଣାପଡିଛି। ଗତ ଅକ୍ଟୋବରରେ ଏକ ଆକ୍ରମଣରେ ଆହତ ହେବା ପରେ ଦଲ୍ଲାକୁ ଗିରଫ କରାଯାଇଥିଲା। ସେବେଠାରୁ ଭାରତ ତାକୁ ପ୍ରତ୍ୟର୍ପଣ ପାଇଁ ଚେଷ୍ଟା କରୁଥିଲା, କିନ୍ତୁ ଡିସେମ୍ବରରେ ତାକୁ ଜାମିନ ମିଳିଥିଲା।

ଅନମୋଲ ବିଷ୍ଣୋଇ: ଗୁଜରାଟର ଏକ ଜେଲରୁ ଦୁର୍ଦ୍ଦାନ୍ତ ବିଷ୍ଣୋଇ ଗ୍ୟାଙ୍ଗ ଚଳାଉଥିବା ଲରେନ୍ସ ବିଷ୍ଣୋଇର ସାନ ଭାଇ ହେଉଛି ଅନମୋଲ ବିଷ୍ଣୋଇ। ସେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଓ ରାଜନେତା ବାବା ସିଦ୍ଦିକିଙ୍କ ହତ୍ୟା ସମେତ ଅନେକ ହାଇପ୍ରୋଫାଇଲ ମାମଲାରେ ଭାରତର ୱାଣ୍ଟେଡ ଅଛି। ବିନା ବୈଧ କାଗଜପତ୍ରରେ ଦେଶରେ ପ୍ରବେଶ କରିଥିବାରୁ ଅନମୋଲକୁ ଗତ ନଭେମ୍ବରରେ ଆମେରିକାରେ ଗିରଫ କରାଯାଇଥିଲା। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରୁ ଅନୁରୋଧ ସତ୍ତ୍ୱେ ତାକୁ ଏତେ ଶୀଘ୍ର ପ୍ରତ୍ୟର୍ପଣ କରାଯିବାର ସମ୍ଭାବନା ନାହିଁ।

ବିଜୟ ମାଲ୍ୟା: ୯,୦୦୦ କୋଟି ଟଙ୍କାରୁ ଅଧିକ ଋଣ ଖିଲାପ ମାମଲାର ସମ୍ମୁଖୀନ ହୋଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ୨୦୧୬ରେ ଭାରତ ଛାଡ଼ି ଏବେ ବ୍ରିଟେନରେ ଅଛନ୍ତି। ତାଙ୍କର ଅଚଳ ହୋଇପଡ଼ିଥିବା କିଙ୍ଗଫିସର ଏୟାରଲାଇନ୍ସର ପତନ ପରେ ଠକେଇ ଅଭିଯୋଗରେ ଭାରତ ତାଙ୍କୁ ଖୋଜୁଛି। ୨୦୧୯ରେ ତାକୁ ପଳାତକ ଘୋଷଣା କରାଯାଇଥିଲା। ଗତ ବର୍ଷ ସିବିଆଇ କୋର୍ଟ ତାଙ୍କ ବିରୋଧରେ ୧୮୦ କୋଟି ଟଙ୍କାର ଋଣ ଖିଲାପ ମାମଲାରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ। 

ନିରବ ମୋଦୀ: ୧୪,୦୦୦ କୋଟି ଟଙ୍କାର ପିଏନ୍‌ବି ଋଣ ଠକେଇ ମାମଲାରେ ହୀରା ବ୍ୟବସାୟୀ ନିରବ ମୋଦୀ ଓ ତାଙ୍କ ମାମୁ ମେହୁଲ ଚୋକସି ମୁଖ୍ୟ ଅଭିଯୁକ୍ତ। ଠକେଇରେ ସାହାଯ୍ୟ କରିଥିବା ବ୍ୟାଙ୍କ ଅଧିକାରୀଙ୍କ ସହ ମିଶିଥିବା ଅଭିଯୋଗରେ ଉଭୟଙ୍କ ବିରୋଧରେ ତଦନ୍ତ ଚାଲିଛି। ନିରବ ମୋଦୀ ୨୦୧୮ରେ ଦେଶ ଛାଡିଥିଲେ ଏବଂ ସେହି ବର୍ଷ ଲଣ୍ଡନରେ ତାଙ୍କୁ ଗିରଫ କରାଯାଇଥିଲା। ଏବେ ବ୍ରିଟେନର ଏକ ଜେଲରେ ବନ୍ଦୀ ଥିବା ନୀରବ ମୋଦୀ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଏଯାବତ୍ କରିଥିବା ସମସ୍ତ ଆବେଦନ ହାରି ଯାଇଛନ୍ତି। ମେହୁଲ ଚୋକ୍ସି ଏବେ ଆଣ୍ଟିଗୁଆରେ ଅଛନ୍ତି।
ଏହାବ୍ୟତୀତ ଆହୁରି ଅନେକ ଅପରାଧୀଙ୍କ ତାଲିକା ରହିଛି ଯାହାଙ୍କୁ ଭାରତ ଫେରାଇ ଆଣିବାକୁ ଚେଷ୍ଟା କରୁଛି। ଏହି ତାଲିକାରେ ବ୍ରିଟେନରେ ଥିବା ଅସ୍ତ୍ରଶସ୍ତ୍ର ଚୁକ୍ତି ପରାମର୍ଶଦାତା ସଞ୍ଜୟ ଭଣ୍ଡାରୀଙ୍କ ବିରୋଧରେ ଟିକସ ଠକେଇ ଓ ମନିଲଣ୍ଡରିଂ ଅଭିଯୋଗ ରହିଛି। ମହାଦେବ ବେଟିଂ ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରାକର ୨୦୨୩ରେ ଦୁବାଇରେ ଗିରଫ ହେବା ପରେ ମନିଲଣ୍ଡରିଂ ଅଭିଯୋଗରେ ପ୍ରତ୍ୟର୍ପଣର ସମ୍ମୁଖୀନ ହେଉଛନ୍ତି।  ଭାରତୀୟ ଏଜେନ୍ସିମାନେ ଏହି ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।