ନୂଆଦିଲ୍ଲୀ: ଦ୍ରୁତଗାମୀ ଆମେରିକୀୟ ପୁଲିସ ଗାଡ଼ି ଧକ୍କାରେ ଜୀବନ ହରାଇଥିବା ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ବିଷୟରେ ସିଆଟିଲ୍ ପୁଲିସ ବିଦ୍ରୂପ କରୁଥିବା ‘ବଡିକ୍ୟାମ୍ ଫୁଟେଜ୍’ ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ସାନ୍ ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ କନ୍ସୁଲେଟ୍ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛି।
ବୁଧବାର ଦିନ ସାନ୍ ଫ୍ରାନ୍ସିସ୍କୋସ୍ଥିତ ଭାରତର କନ୍ସୁଲେଟ୍ ଜେନେରାଲ୍ ଏହି ଘଟଣା ଓ ପୁଲିସର ପ୍ରତିକ୍ରିୟାକୁ ‘ଖୁବ୍ ବିଚଳିତକାରକ’ ବୋଲି କହିଛନ୍ତି।
‘ଏକ୍ସ୍’ କରି ଭାରତୀୟ ମିସନ୍ ଲେଖିଛି: ଏହି ଦୁଃଖଦ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆମେ ସିଆଟିଲ୍ ଓ ୱାସିଂଟନ୍ ଷ୍ଟେଟ୍ର ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ୱାସିଂଟନ୍ ଡି.ସି.ର ପଦସ୍ଥ ଅଧିକାରୀଙ୍କ ନିକଟରେ ଦୃଢ଼ ଦାବି କରିଛୁ। ଏ ବାବଦରେ ‘କନ୍ସୁଲେଟ୍’ ଓ ‘ଦୂତାବାସ’ ସମସ୍ତ କର୍ତ୍ତୃପକ୍ଷଙ୍କ ସହିତ ଯୋଗସୂତ୍ର ରକ୍ଷା କରି ତଦନ୍ତ ମାମଲାର ଅଗ୍ରଗତି ବିଷୟରେ ତଥ୍ୟ ସଂଗ୍ରହ କରିବ।
ଉଲ୍ଲେଖଯୋଗ୍ୟ, ଉତ୍ତରପୂର୍ବ ବିଶ୍ବବିଦ୍ୟାଳର ସିଆଟିଲ୍ କ୍ୟାମ୍ପସ୍ରେ ସ୍ନାତକତ୍ତୋର କରୁଥିବା ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶର ୨୩ ବର୍ଷୀୟ ଜାହ୍ନବୀ କଣ୍ଡୁଲା ଗତ ଜାନୁଆରି ମାସରେ ପୁଲିସ ଅଧିକାରୀ କେବିନ୍ ଡେଭ୍ ଘଣ୍ଟାପ୍ରତି ୧୨୦ କିଲୋମିଟର୍ ବେଗରେ ଚଳାଉଥିବା ପୁଲିସ ଗାଡ଼ି ଧକ୍କାରେ ପ୍ରାଣ ହରାଇଥିଲେ ବୋଲି ‘ସିଆଟିଲ୍ ଟାଇମ୍ସ୍’ ସମ୍ବାଦପତ୍ର ରିପୋର୍ଟ କରିଥିଲା।
କିନ୍ତୁ, ଗତ ସୋମବାର ଦିନ ସାମାଜିକ ଗଣମାଧ୍ୟମରେ ପ୍ରାସାରିତ ହୋଇଥିବା ଉକ୍ତ ଦୁର୍ଘଟଣା ପର ସମୟରେ ପୁଲିସ ଅଧିକାରୀମାନଙ୍କ ବିଦ୍ରୂପାତ୍ମକ କଥାବାର୍ତ୍ତାର ଫୁଟେଜ୍ ବିଶ୍ବବ୍ୟାପୀ ଭାରତୀୟମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଉଦ୍ରେକ କରାଇଛି।
ଉକ୍ତ ‘ଫୁଟେଜ୍’ରେ ସିଆଟିଲ୍ ପୋଲିସ୍ ଅଫିସର୍ସ ଗିଲ୍ଡ୍’ର ଉପାଧ୍ୟକ୍ଷ ଡାନିଏଲ୍ ଅଡରର୍ କଣ୍ଡୁଲାଙ୍କ ମୃତ୍ୟୁ ଘଟଣାରେ ତାଚ୍ଛଲ୍ୟ କରି କହୁଛନ୍ତି ଯେ, ତା’ର ମୂଲ୍ୟ ସୀମିତ। ତେଣୁ, ଅଧ୍ୟକ୍ଷ ମାତ୍ର ୧୧,୦୦୦ ଡଲାର୍ର ଖଣ୍ଡେ ଚେକ୍ ଲେଖି ଦେବା ଉଚିତ।