ଭାରତରେ ଆଉ ୨୦ ବ୍ରିଟେନ୍ ଷ୍ଟ୍ରେନ୍‌, ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫୮ ଛୁଇଁଲା

ନୂଆଦିଲ୍ଲୀ: ଦେଶରେ ପୁଣି ୨୦ ଜଣ ବ୍ରିଟେନ୍‌ କୋଭିଡ୍‌-୧୯ ଷ୍ଟ୍ରେନ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦେଶରେ ସମୁଦାୟ ୫୮ ଜଣ ବ୍ରିଟେନ୍‌ ଷ୍ଟ୍ରେନ୍‌ ଦ୍ବାରା ଏଯାବତ୍‌ ସଂକ୍ରମିତ ହୋଇଛନ୍ତି।

ସୋମବାର ସୁଦ୍ଧା ଦେଶରେ ୩୮ ଜଣ ନୂତନ ବ୍ରିଟେନ୍‌ ଷ୍ଟ୍ରେନ୍‌ ଦ୍ବାରା ସଂକ୍ରମିତ ହୋଇଥିବା ରିପୋର୍ଟ ରହିଥିଲା। ମନ୍ତ୍ରାଳୟ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ସଂକ୍ରମିତମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ମିତ ପୃଥକ୍‌ବାସ ଗୃହରେ ଅଲଗା କରି ରଖାଯାଇଛି। ସେମାନେ ଯେଉଁମାନଙ୍କ ସହ ସଂପର୍କରେ ଆସିଛନ୍ତି ସେମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି।

ଏହି ନୂତନ ବ୍ରିଟେନ୍‌ ଷ୍ଟ୍ରେନ୍‌ ଏବେ ସୁଦ୍ଧା ଭାରତ ବ୍ୟତୀତ ଡେନମାର୍କ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲି, ସ୍ୱିଡେନ, ଫ୍ରାନ୍ସ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ୍ ଏବଂ ସିଙ୍ଗାପୁରରେ ସଂକ୍ରମଣ କରିଥିବା ସୂଚନା ମିଳିସାରିଛି।

ଏହି ନୂତନ ଷ୍ଟ୍ରେନ୍‌ ସଂପର୍କରେ ସୂଚନା ପାଇବା ସରକାର ଭାରତ ସରକାର ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବ୍ରିଟେନ୍‌ ଷ୍ଟ୍ରେନ୍‌ କବଳରୁ ଦେଶକୁ ରକ୍ଷା କରିବା ପାଇଁ ଡିସେମ୍ବର ୨୩ ତାରିଖ ମଧ୍ୟ ରାତ୍ରରୁ ଜାନୁଆରି ୭ ତାରିଖ ମଧ୍ୟରେ ବ୍ରିଟେନ୍‌ରୁ ଭାରତ ଆସିବାକୁ ଥିବା ସମସ୍ତ ବିମାନକୁ ଅସ୍ଥାୟୀ ଭାବେ ବାତିଲ୍‌ କରାଯିବା ସହ ଡିସେମ୍ବର ୯ରୁ ୨୨ ତାରିଖ ମଧ୍ୟରେ ବିଟ୍ରେନ୍‌ ଫେରନ୍ତାଙ୍କ ପାଇଁ ବାଧ୍ୟତାମୂଳକ ଆର୍‌ଟି-ପିସିଆର୍‌ ପରୀକ୍ଷଣ ନିୟମ କରିଛନ୍ତି ଭାରତ ସରକାର।

ସମ୍ବନ୍ଧିତ ଖବର