ପ୍ରଥମ ଥର ପାଇଁ ଭାରତୀୟ ରେଳବାଇ ବାଂଲାଦେଶକୁ ପଠାଇଲା ସ୍ୱତନ୍ତ୍ର ପାର୍ସଲ ଟ୍ରେନ

ରେଡ୍ଡିପାଲମରୁ ଶୁଖିଲା ଲଙ୍କା ଗଲା ବେନାପୋଲ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଭାରତୀୟ ରେଳବାଇ ବାଂଲାଦେଶର ବେନାପୋଲକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ରେଡ୍ଡିପାଲମରୁ ଶୁଖିଲା ଲଙ୍କା ଏକ ସ୍ୱତନ୍ତ୍ର ପାର୍ସଲ ଟ୍ରେନ ଯୋଗେ ପଠାଇଛି।
ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଓ ଏହାର ଆଖପାଖ ଅଞ୍ଚଳ ଲଙ୍କା ଚାଷ ପାଇଁ ବିଶେଷ ପ୍ରସିଦ୍ଧି ଲାଭ କରିଛି। ଗୁଣବତ୍ତା ଓ ସ୍ୱାଦ ଦୃଷ୍ଟିରୁ ଏହି ଲଙ୍କାର ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ରହିଛି। ଆଗରୁ ଗୁଣ୍ଟୁର ଅଞ୍ଚଳର ବ୍ୟବସାୟୀ ଓ ଚାଷୀମାନେ ସଡ଼କ ପଥରେ ବାଂଲାଦେଶକୁ ଲଙ୍କା ରପ୍ତାନି କରୁଥିଲେ। ଟନ ପିଛା ଏଥିପାଇଁ ୭ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା।

News Nation

ହେଲେ, ଲକଡାଉନ ଯୋଗୁଁ ସେମାନେ ସଡକ ପଥରେ ଲଙ୍କା ପଠାଇବା ସମ୍ଭବ ହେଲା ନାହିଁ। ରେଳ କର୍ତ୍ତୃପକ୍ଷ ସେମାନଙ୍କ ସହ କଥାବାର୍ତ୍ତା କରି ରେଳ ଦ୍ୱାରା ଏହା ପଠାଯାଇପାରିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ, ମାଲବାହୀ ଟ୍ରେନ ଯୋଗେ ଏହି ଲଙ୍କା ପଠାଯିବା ପାଇଁ ବ୍ୟବସ୍ଥା କରାଗଲା।

News Nation

ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଗୁଣ୍ଟୁର ମଣ୍ଡଳ ପକ୍ଷରୁ ଥରକେ ସର୍ବାଧିକ ୫୦୦ ଟନ ପର୍ଯ୍ୟନ୍ତ ଲଙ୍କା ପଠାଇବାକୁ ନିଷ୍ପତ୍ତି ହେବା ପରେ ୧୬ଟି ଡବା ବିଶିଷ୍ଟ ଏକ ସ୍ୱତନ୍ତ୍ର ପାର୍ସଲ ଏକ୍ସପ୍ରେସ ଟ୍ରେନ ବାଂଲାଦେଶର ବେନାପୋଲ ଅଭିମୁଖେ ଯାତ୍ରା କରିଥିଲା। ପ୍ରତ୍ୟେକ ଡବାରେ ୪୬୬ଟି ବସ୍ତା ଲେଖାଏଁ ଶୁଖିଲା ଲଙ୍କା ବୋଝେଇ ହୋଇଥିଲା। ବସ୍ତା ପିଛା ୧୯.୯ ଟନ ଶୁଖିଲା ଲଙ୍କା ଏହିପରି ମୋଟ ୩୮୪ ଟନ ସ୍‌ତନ୍ତ୍ର ପାର୍ସଲ ଟ୍ରେନ ଯୋଗେ ପରିବହନ ପରିବହନ କରାଯାଇଛି। ପାର୍ସଲ ଟ୍ରେନରେ ଟନ ପିଛା ୪୬୦୮ ଟଙ୍କା ଦେୟ ଦେବାକୁ ପଡୁଥିବା ବେଳେ ସଡକ ପଥରେ ଟନ ପିଛା ୭ ହଜାର ଟଙ୍କା ଭଡା ବାବଦକୁ ଖର୍ଚ୍ଚ ହେଉଥିଲା।

କୋଭିଡ-୧୯ ଲକଡାଉନ କାଳରେ ଭାରତୀୟ ରେଳବାଇ ଅଧିକରୁ ଅଧିକ ପାର୍ସଲ ଟ୍ରେନ ଚଳାଇବା ପାଇଁ ଅନେକ ପଦକ୍ଷେପ ନେଇଛି। ମେଡିକାଲ ଯନ୍ତ୍ରପାତି, ଖାଦ୍ୟ ପଦାର୍ଥ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିଭିନ୍ନ ସ୍ଥାନକୁ ପାର୍ସଲ ଟ୍ରେନ ଯୋଗେ ପରିବହନ କରାଯାଉଛି। ଗତ ମାର୍ଚ୍ଚ ୨୨ରୁ ଚଳିତ ମାସ ୧୧ ତାରିଖ ମଧ୍ୟରେ ରେଳବାଇ ପକ୍ଷରୁ ୪୪୩୪ଟି ପାର୍ସଲ ଟ୍ରେନ ଚଳାଯାଇଛି।

ସମ୍ବନ୍ଧିତ ଖବର