ନୂଆଦିଲ୍ଲୀ: ଭାରତ ମହାସାଗର ଅଞ୍ଚଳରେ ଏକ ଜାପାନୀ ମାଲବାହୀ ଜାହାଜରୁ ଲିକ୍ ହେଉଥିବା ତୈଳ ବନ୍ଦ କରିବା ଲାଗି ଭାରତ ମରିସସ୍କୁ ଯନ୍ତ୍ରପାତି ଓ ବୈଷୟିକ କର୍ମଚାରୀ ପଠାଇଥିବା କଥା ରବିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି। ଗତ ମାସରେ ଜାପାନୀ ଜାହାଜ ଏମ୍ଭି ୱାକାଶିଓ ମରିସସ୍ର ଦକ୍ଷିଣ-ପୂର୍ବ ପଟରେ ଥିବା ପ୍ରବାଳ ପ୍ରାଚୀରରେ ଧକ୍କାଖାଇଥିଲା।
ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଦ୍ବୀପ ଦେଶ ମରିସସ୍କୁ ଭାରତୀୟ ବାୟୁସେନାର ଏକ ବିମାନରେ ୩୦ ଟନ୍ ଓଜନର ବୈଷୟିକ ଯନ୍ତ୍ରପାତି ଓ ସାମଗ୍ରୀ ପଠାଯାଇଛି। ମରିସସ୍ ଚଳାଇ ଥିବା ତୈଳ ଲିକ୍ ବନ୍ଦ ଓ ଉଦ୍ଧାର କାର୍ଯ୍ୟରେ ଭାରତ ସେମାନଙ୍କୁ ସାହାଯ୍ୟ କରିବ। ଏହାଛଡ଼ା, ତୈଳ ଲିକ୍ ବନ୍ଦ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ବତନ୍ତ୍ର ଭାବେ ତାଲିମ ପ୍ରାପ୍ତ ଭାରତୀୟ ତଟରକ୍ଷୀ ଦଳର ୧୦ଜଣ ବୈଷୟିକ କର୍ମଚାରୀଙ୍କୁ ପଠାଯାଇଛି।
/sambad/media/post_attachments/wp-content/uploads/2020/08/iaf.jpeg)
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ମାଲ୍ବାହୀ ପୋତ ଏମ୍ଭି ୱାକାଶିଓ ଜୁଲାଇ୨୫ ତାରିଖ ଦିନ ପ୍ରବାଳ ପ୍ରାଚୀରରେ ଧକ୍କା ଖାଇ ଫାଟି ଯିବାରୁ ପ୍ରାୟ ୧୦୦୦ ଟନ୍ ଇନ୍ଧନ ତୈଳ ଲିକ୍ ହୋଇଯାଇଛି। ଏଥିଯୋଗୁଁ ପ୍ରବାଳ, ମାଛ ଓ ଅନ୍ୟାନ୍ୟ ସାମୁଦ୍ରିକ ଜୀବଙ୍କ ଜୀବନ ବିପନ୍ନ ହୋଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।
ମରିସସ୍ କ୍ରାଇସିସ୍ କମିଟି କହିଛି ଯେ, ଶନିବାର ଦିନ ସରକାରୀ କର୍ତ୍ତୃପକ୍ଷଙ୍କ କହିଛନ୍ତି ଯେ, ଜାପାନୀ ଜାହାଜ ଏମ୍ ଭି ୱାକାଶିଓ ଭାଙ୍ଗି ଦୁଇଫାଳ ହୋଇଯାଇଛି। ଶନିବାର ପ୍ରତ୍ୟୁଷରେ ତାହାର ଅବସ୍ଥା ଅତି ଶୋଚନୀୟ ହୋଇଯିବାରୁ ଅପରାହ୍ନ ବେଳକୁ ତେଲ ବୋହିବା ଆରମ୍ଭ ହୋଇଥିଲା।
ଭାରତ ମହାସାଗର ଅଞ୍ଚଳର ପଡ଼ୋଶୀ ଦେଶମାନଙ୍କୁ ମାନବୀୟ ସହାୟତା ଏବଂ ଦୁର୍ବିପାକ ରିଲିଫ୍ ଯୋଗାଇ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ନୀତି ‘ସାଗର’ (ସିକ୍ୟୁରିଟି ଆଣ୍ଡ୍ ଗ୍ରୋଥ୍ ଫର୍ ଅଲ୍ ଇନ୍ ଦି ରିଜନ୍) ଆଧାରରେ ଭାରତ ଏହି ସହାୟତା ଯୋଗାଇ ଦେଇଥିବା କଥା ଏକ ବିବୃତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।