ବାୟୁସେନାର ରାଫେଲ ଅଫିସରେ ଚୋରୀ ଉଦ୍ୟମ, ପ୍ୟାରିସକୁ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ପଠାଇଲା ଭାରତ

ନୂଆଦିଲ୍ଲୀ : ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଥିବା ଭାରତୀୟ ବାୟୁସେନାର ରାଫେଲ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଅଫିସରେ ଚୋରୀ ଉଦ୍ୟମକୁ ବେଶ ଗୁରୁତ୍ୱର ସହ ନେଇଛି ଭାରତ । ଏହି ଘଟଣା ରାଷ୍ଟ୍ରୀୟ ସୁରକ୍ଷା ସହ ଜଡିତ ହୋଇଥିବାରୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ପ୍ୟାରିସ ପଠାଯାଇଛି । ଏହି ଦଳରେ ଫୋରେନସିକ ଏକସପର୍ଟ ମଧ୍ୟ ଅଛନ୍ତି ।

ଗତ ୨୨ ତାରିଖରେ ପ୍ୟାରିସରେ ଥିବା ଭାରତୀୟ ବାୟୁସେନାର ରାଫେଲ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଅଫିସରେ କେହି ଜଣେ ଝରକା ଭାଙ୍ଗି ଚୋରୀ ଉଦ୍ୟମ କରିଥିବା ଜଣାପଡିଥିଲା । ପ୍ୟାରିସ ଉପକଣ୍ଠରେ ଥିବା ଏହି ଅଫିସଟି ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଡିଲ ସଂପର୍କିତ କାର୍ଯ୍ୟ, ଭାରତୀୟ ପାଇଲଟ ଓ ଇଂଜିନିୟରଙ୍କ ଟ୍ରେନିଂ, ବିମାନର ରକ୍ଷଣାବେକ୍ଷଣ ଆଦି ସଂପର୍କିତ କାର୍ଯ୍ୟ କରିଥାଏ । ରାଫେଲ ବିମାନ ସଂପର୍କିତ ଗୋପନୀୟ ତଥ୍ୟ ହାସଲ କରିବା ପାଇଁ ଏହି ଉଦ୍ୟମ କରାଯାଇଥିବା ସଂଦେହ କରାଯାଉଛି । ଏଥିପାଇଁ ଭାରତ ଟିମ ପଠେଇଛି । ଏହି ଘଟଣାକୁ ଫ୍ରାନ୍ସ ସରକାର ମଧ୍ୟ ଅତ୍ୟନ୍ତ ଗୁରୁତ୍ୱର ସହ ନେବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କିଣିବା ପାଇଁ ଚୁକ୍ତି କରିଛି ।

ସମ୍ବନ୍ଧିତ ଖବର