ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ସରକାର ପାକିସ୍ତାନକୁ ଅନୁରୋଧ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି। ବାଗଚୀ କହିଛନ୍ତି ଯେ ସଂପୃକ୍ତ ଆତଙ୍କବାଦୀକୁ ଦେଶରେ ବିଚାର ପ୍ରକ୍ରିୟାର ସମ୍ମୁଖୀନ ହେବା ପାଇଁ ହସ୍ତାନ୍ତର କରିବାକୁ ପାକିସ୍ତାନକୁ ଅନୁରୋଧ କରାଯାଇଛି ଏବଂ ସୟିଦ ଭାରତରେ ଅନେକ ମାମଲାରେ ୱାଣ୍ଟେଡ୍ ଅଛି।
ସୟିଦକୁ ଭାରତର ଅନ୍ୟତମ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରାଯାଇଛି ଏବଂ ୨୦୦୮ ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତି ଅଭିଯୋଗରେ ଆମେରିକା ତା’ ଉପରେ ୧୦ ନିୟୁତ ଡଲାର ପୁରସ୍କାର ରାଶିର ଘୋଷଣା କରିଛି। ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ୪ ଦିନ ଧରି ହୋଇଥିବା ଏହି ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ ଜଣ ଆହତ ହୋଇଥିଲେ।
ହାଫିଜ ସୟିଦ ମଧ୍ୟ ଜାତିସଂଘ ଦ୍ୱାରା ନିଷିଦ୍ଧ ଆତଙ୍କବାଦୀ ବୋଲି ବାଗଚୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ବାଗଚୀ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ମାମଲାରେ ବିଚାରର ସମ୍ମୁଖୀନ ହେବା ପାଇଁ ତାକୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଆମେ ପାକିସ୍ତାନ ସରକାରଙ୍କୁ ଆନୁସଙ୍ଗିକ ସହାୟକ ଦସ୍ତାବିଜ ସହିତ ଅନୁରୋଧ କରିଛୁ।