ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କ ତିକ୍ତତାର ଚରମ ସୀମାରେ ପହଞ୍ଚିଛି। ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ଭାରତ ଅପରେସନ୍ ସିନ୍ଦୂର ଜରିଆରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ଼ାଗୁଡ଼ିକୁ ଧ୍ବଂସ କରିବା ସହିତ ପାକିସ୍ତାନ ସେନାକୁ ମୁହଁତୋଡ଼ ଜବାବ ଦେଇଛି। ଭାରତ ମଧ୍ୟ ବହୁ ପୂର୍ବରୁ କାର୍ଯ୍ୟକାରୀ ହୋଇ ଆସୁଥିବା ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି। ଏତେସବୁ ପରେ ବି ଭାରତ ତାହାର ମାନବିକତାକୁ ଭୁଲିନାହିଁ। କୌଣସି ପ୍ରକାର ସମ୍ଭାବ୍ୟ ଜରୁରୀ ସ୍ଥିତି ଉପୁଜିବା ଆଶଙ୍କା କରି ଜମ୍ମୁ କାଶ୍ମୀରରେ ତାୱି ନଦୀର ବନ୍ୟା ସ୍ଥିତି ସଂକ୍ରାନ୍ତରେ ପାକିସ୍ତାନକୁ ସୂଚନା ପ୍ରଦାନ କରିଛି।
ବିଦେଶ ବ୍ୟାପାର ମନ୍ତ୍ରାଳୟ ଅନୁଯାୟୀ ସମ୍ପୂର୍ଣ୍ଣ ଭାବେ ମାନବୀୟ ଦୃଷ୍ଟିକୋଣରୁ ଏହି ସୂଚନା ପ୍ରଦାନ କରାଯାଇଛି। ଇସଲାମାବାଦ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ପାକିସ୍ତାନୀ ବିଦେଶ ମନ୍ତ୍ରାଳୟକୁ ସମ୍ଭାବ୍ୟ ବନ୍ୟା ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ଏଭଳି ବିଷୟ ଉପରେ ଉଚ୍ଚାୟୁକ୍ତଙ୍କ ଦ୍ବାରା ସୂଚନା ପ୍ରଦାନ କରାଯାଇଛି। ସାଧାରଣତଃ ସିନ୍ଧୁ ଜଳ କମିସନରଙ୍କ ଦ୍ବାରା ଏହି ସୂଚନା ପ୍ରଦାନ କରାଯାଇଥାଏ। ମିଳିଥିବା ସୂଚନାନୁଯାୟୀ ଭାରତ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନା ଆଧାରରେ ପାକିସ୍ତାନ ସର୍ତକତା ଜାରି କରିଛି।