ନୂଆଦିଲ୍ଲୀ: ଭୂକମ୍ପଜନିତ ଭୟାବହ ବିପର୍ଯ୍ୟୟ ସାମ୍ନା କରୁଥିବା ତୁର୍କୀକୁ ଭାରତ ଆଜି ଦୁଇଟି ପର୍ଯ୍ୟାୟରେ ମାନବୀୟ ସହାୟତା ପଠାଇଛି। ଭାରତୀୟ ବାୟୁସେନାର ବିମାନ ସି-୧୭ରେ ଆଜି ସକାଳେ ପ୍ରଥମେ ଏନଡିଆରଏଫ୍ର ୫୦ ସଦସ୍ୟ ଏବଂ ସ୍ବତନ୍ତ୍ର ତାଲିମପ୍ରାପ୍ତ ଡଗ୍ ସ୍କ୍ବାଡ୍ , ଆବଶ୍ୟକୀୟ ଉପକରଣ ଓ ମେଡିକାଲ ସହାୟତା, ଡ୍ରିଲିଂ ମେସିନ୍ ତୁର୍କୀକୁ ପଠାଯାଇଥିଲା। ପ୍ରଥମ ପର୍ଯ୍ୟାୟ ମାନବୀୟ ସହାୟତା ତୁର୍କୀର ଅଦାନାରେ ପହଞ୍ଚିଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ସେହିପରି ଦ୍ବିତୀୟ ପର୍ଯ୍ୟାୟ ସହାୟତା ନେଇ ଆଉ ଏକ ବିମାନ ତୁର୍କୀ ଅଭିମୁଖେ ଉଡ଼ାଣ କରିଛି। ତୁର୍କୀ ଭୂକମ୍ପ ସ୍ଥିତିର ମୁକାବିଲା ପାଇଁ ଭାରତ ସରକାର ତୁର୍କୀକୁ ବିମାନ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ସହ ଏକ ଜରୁରୀ ବୈଠକ କରିଛନ୍ତି। ଭାରତଠାରୁ ସାହାଯ୍ୟ ପାଇବାପରେ ତୁର୍କୀ ଧନ୍ୟବାଦ ଜଣାଇଛି। ଭାରତରେ ତୁର୍କୀର ରାଷ୍ଟ୍ରଦୂତ ଫିରାଟ ସୁନେଲ କହିଛନ୍ତି, ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ଭାରତର ଏହି ସହାୟତା ପାଇଁ ଅଶେଷ ଧନ୍ୟବାଦ ବୋଲି ସେ କହିଛନ୍ତି।
ଭାରତୀୟ ବିମାନକୁ ବାୟୁସୀମା ଛାଡ଼ିଲାନି ପାକିସ୍ତାନ
ନୂଆଦିଲ୍ଲୀ: ତୁର୍କୀ ଅଭିମୁଖେ ଉଡ଼ାଣ କରୁଥିବା ଭାରତୀୟ ବାୟୁସେନାର ଏକ ବିମାନକୁ ଆଜି ପାକିସ୍ତାନ ଏହାର ବାୟୁସୀମା ଛାଡ଼ିନାହିଁ। ତୁର୍କୀକୁ ମାନବୀୟ ସହାୟତା ପଠାଇବା ପାଇଁ ଭାରତୀୟ ବାୟୁସେନାର ସି-୧୭ ବିମାନ ବ୍ୟବହାର ହୋଇଛି। ତେବେ ଏହି ବିମାନକୁ ପାକିସ୍ତାନ ଆଜି ଏହାର ବାୟୁସୀମା ନଛାଡ଼ିବାରୁ ଭାରତୀୟ ବିମାନ ଅନ୍ୟ ବାୟୁସୀମା ଦେଇ ତୁର୍କୀକୁ ଉଡ଼ାଣ କରିଛି। ତେବେ ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ପାକିସ୍ତାନ ଭାରତକୁ ଏହାର ବାୟୁସୀମା ଛାଡ଼ି ନଥିଲା।