ନୂଆଦିଲ୍ଲୀ : ଶ୍ରୀଲଙ୍କାକୁ ପୁଣି ସହାୟତାର ହାତ ବଢ଼ାଇଛି ଭାରତ। ଶ୍ରୀଲଙ୍କାରେ ତୈଳ କ୍ଷେତ୍ରରେ ଘୋର ଅଭାବ ଦେଖାଦେଇଛି। ତେଣୁ ଭାରତ ଦୁଇଟି ଜାହାଜରେ ଶ୍ରୀଲଙ୍କାକୁ ତୈଳ ପଠାଇଛି। ପ୍ରଥମ ଜାହାଜଟି ଜୁଲାଇ ୧୩ ରୁ୧୫ ଏବଂ ଦ୍ବିତୀୟଟି ଜୁଲାଇ ୨୯ରୁ ୩୧ ଭିତରେ ପହଞ୍ଚିଯିବାର ସମ୍ଭାବନା ରହିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହର୍ଦିପ୍ ସିଂ ପୁରୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରଦୂତ ମିଲିଣ୍ଡା ମାରାଗୋଡାଙ୍କ ମଧ୍ୟରେ ଆଲୋଚନା ପରେ ଭାରତ ଶ୍ରୀଲଙ୍କାକୁ ତୈଳ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲା।
ଶ୍ରୀଲଙ୍କାକୁ ତେଲ ନିହାତି ଦରକାର ବୋଲିମାରାଗୋଡା ପୁରୀଙ୍କୁ ଅବଗତ କରିଥିଲେ। ଗତ ତିନି ମାସରେ ଶ୍ରୀଲଙ୍କା ଭାରତଠାରୁ ପ୍ରାୟ ୪,୦୦,୦୦୦ ଟନ୍ରୁ ଅଧିକ ତୈଳ ଆମଦାନୀ କରିଛି। ପେଟ୍ରୋଲିୟମ, ତୈଳ, ଗ୍ୟାସ୍ ଓ ଆନୁଷଙ୍ଗିକ ଯୋଗାଣ କ୍ଷେତ୍ରରେ ଦୀର୍ଘମିଆଦୀ ସଂପର୍କ ସ୍ଥାପନ ପାଇଁ ମଧ୍ୟ ଦୁଇ ମନ୍ତ୍ରୀ ଆଲୋଚନା କରିଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କାରେ ଗଚ୍ଛିତ ଥିବା ଡିଜେଲ କେବଳ ଜରୁରୀ ସେବାରେ ବ୍ୟବହାର ହେବ। ପ୍ରାୟ ୩୩,୦୦୦ ଟନ୍ ଗ୍ୟାସ ଜୁଲାଇ ମାସ ମଧ୍ୟରେ ଶ୍ରୀଲଙ୍କାରେ ପହଞ୍ଚିବାର ଥିବାବେଳେ ୧,୦୦,୦୦୦ ଟନ୍ ଗ୍ୟାସ ଆସନ୍ତା ଚାରି ମାସ ମଧ୍ୟରେ ଶ୍ରୀଲଙ୍କାରେ ପହଞ୍ଚିବ ବୋଲି ଜଣାପଡ଼ିଛି। ୧୯୪୮ ମସିହାରେ ସ୍ବାଧୀନ ହେବା ପରଠାରୁ ଶ୍ରୀଲଙ୍କା ସବୁଠାରୁ ଖରାପ ଅର୍ଥନୈତିକ ସଂକଟ ଦେଇ ଗତି କରୁଛି।