ୱାଶିଂଟନ୍: ବେଆଇନ ଭାବେ ଆମେରିକାରେ ରହୁଥିବା ସମସ୍ତ ନାଗରିକଙ୍କୁ ଚିହ୍ନଟ କରି ଫେରାଇ ଆଣିବା ପାଇଁ ଭାରତ ସରକାର ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସହ ମିଶି କାମ କରିବାକୁ ଯାଉଛନ୍ତି । ଦୁଇ ଦେଶ ମିଳିତ ଭାବେ ଆମେରିକାରେ ଥିବା ପ୍ରାୟ ୧୮,୦୦୦ ବେଆଇନ ଭାବେ ପ୍ରବେଶ କରିଥିବା ଭାରତୀୟଙ୍କୁ ଦେଶାନ୍ତର କରିବା ପାଇଁ ଚିହ୍ନଟ କରିଛନ୍ତି । ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ । ଅନ୍ୟାନ୍ୟ ଦେଶ ଭଳି ଭାରତ ମଧ୍ୟ ଟ୍ରମ୍ପ ପ୍ରଶାସନକୁ ଖୁସି କରିବା ଏବଂ ଏହାର ବାଣିଜ୍ୟ ବିପଦର ପ୍ରଭାବକୁ ଏଡ଼ାଇବା ପାଇଁ ପରଦା ପଛରେ କାମ କରୁଛି । ବେଆଇନ ପ୍ରବାସ ବିରୋଧରେ କାର୍ୟ୍ୟାନୁଷ୍ଠାନ ଟ୍ରମ୍ପଙ୍କ ପାଇଁ ଏକ ପ୍ରମୁଖ ପ୍ରଚାର ପ୍ରତିଶ୍ରୁତି ହୋଇଛି । ସୋମବାର ଦାୟିତ୍ୱ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ନୂତନ ରାଷ୍ଟ୍ରପତି ସେହି ପ୍ରତିଶ୍ରୁତି ପୂରଣ କରିବାକୁ ଆଗେଇ ଆସିଥିଲେ, କାରଣ ସେ ଜନ୍ମଗତ ନାଗରିକତା ଉଚ୍ଛେଦ କରିବା ଏବଂ ଆମେରିକା-ମେକ୍ସିକୋ ସୀମାରେ ସୈନ୍ୟ ମୁତୟନ କରିବା ପାଇଁ କାର୍ୟ୍ୟ ଆରମ୍ଭ କରିଥିଲେ ।
ଭାରତ ଆଶା କରୁଛି ଯେ ଟ୍ରମ୍ପ ପ୍ରଶାସନ ତା'ର ନାଗରିକମାନଙ୍କ ଦ୍ୱାରା ଆମେରିକାରେ ପ୍ରବେଶ କରିବା ପାଇଁ ବ୍ୟବହୃତ ଆଇନଗତ ଇମିଗ୍ରେସନ ଚ୍ୟାନେଲ, ବିଶେଷକରି ଷ୍ଟୁଡେଣ୍ଟ ଭିସା ଏବଂ କୁଶଳୀ ଶ୍ରମିକଙ୍କ ପାଇଁ ଏଚ -୧ବି କାର୍ୟ୍ୟକ୍ରମକୁ ସୁରକ୍ଷା ଦେବ । ସରକାରୀ ତଥ୍ୟ ଅନୁଯାୟୀ, ୨୦୨୩ରେ ଦିଆଯାଇଥିବା ୩ଲକ୍ଷ ୮୬ହଜାର ଏଚ୍-୧ବି ଭିସା ମଧ୍ୟରୁ ପ୍ରାୟ ତିନି ଚତୁର୍ଥାଂଶ ଭାରତୀୟ ନାଗରିକଙ୍କ ଥିଲା।ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ପ୍ରବାସ ଓ ଗମନାଗମନ କ୍ଷେତ୍ରରେ ଭାରତ-ଆମେରିକା ସହଯୋଗର ଏକ ଅଂଶ ଭାବରେ ଉଭୟ ପକ୍ଷ ବେଆଇନ ପ୍ରବାସକୁ ରୋକିବା ପ୍ରକ୍ରିୟାରେ ନିୟୋଜିତ ଅଛନ୍ତି। ତେବେ ବିଗତ କିଛି ବର୍ଷ ମଧ୍ୟରେ ବେଆଇନ ଭାବେ ଆସୁଥିବା ଭାରତୀୟଙ୍କ ସଂଖ୍ୟା ଓ ଭାଗରେ ସାମାନ୍ୟ ବୃଦ୍ଧି ଘଟିଛି । ବିଶେଷ କରି ଉତ୍ତର ଆମେରିକାର ସୀମାରେ ଏହି ସଂଖ୍ୟା ବୃଦ୍ଧି ପାଇଛି, ଯେଉଁଠାରେ ବେଆଇନ ଭାବେ ପ୍ରବେଶ କରୁଥିବା ଲୋକଙ୍କ ସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଭାରତୀୟ ରହିଛନ୍ତି ।