ଆଫଗାନିସ୍ତାନରେ ବଳପୂର୍ବକ ଆସିଥିବା ସରକାରକୁ ସ୍ବୀକୃତି ଦେବେ ନାହିଁ ଭାରତ ଓ ଅନ୍ୟ ଦେଶ

 

କାବୁଲ : ସାମରିକ ଶକ୍ତି ବଳରେ ଆଫଗାନିସ୍ତାନରେ କ୍ଷମତାକୁ ଆସିଥିବା କୌଣସି ସରକାରକୁ ସ୍ବୀକୃତି ଦିଆଯିବ ନାହିଁ ବୋଲି ଭାରତ, ତୁର୍କୀ, କାତାର, ଜର୍ମାନି ଆଦି ଦେଇ ସ୍ପଷ୍ଟ କରିଦେଇଛନ୍ତି । ଏହାସହିତ ଆଫଗାନିସ୍ତାନରେ ତୁରନ୍ତ ହିଂସା ବନ୍ଦ କରିବାକୁ ଏହି ଦେଶମାନେ ଦାବି କରିଛନ୍ତି ।

ତୁରନ୍ତ ଯୁଦ୍ଧବିରତି କରି ଆଲୋଚନା କରିବା ସହ ସମସ୍ୟାର ଏକ ରାଜୈନିତିକ ସମାଧାନ ଖୋଜିବାକୁ ଏହି ଦେଶମାନେ ପରାମର୍ଶ ଦେଇଛନ୍ତି । ଦୁଇପକ୍ଷ ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ହେଲେ ଓ ଯୁଦ୍ଧବିରତି ହେଲେ ଆଫଗାନିସ୍ତାନର ପୁନର୍ଗଠନ ପାଇଁ ସହାୟତା ଦିଆଯିବ ବୋଲି ଏହି ଦେଶମାନେ କହିଛନ୍ତି ।

ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଏବେ କାତାରଠାରେ ବିଶ୍ବର ବିଭିନ୍ନ ଦେଶମାନେ ଆଲୋଚନା କରୁଛନ୍ତି । ଗତ ୧୧ ତାରିଖରେ ହୋଇଥିବା ଆଲୋଚନାରେ ଆମେରିକା, ବ୍ରିଟେନ,ପାକିସ୍ତାନ, ଚୀନ, ଉଜବେକିସ୍ତାନ, କାତାର, ୟୁରୋପୀୟ ସଂଘ, ଜାତିସଂଘ ପ୍ରମୁଖ ଯୋଗଦେଇଥିଲେ । ସେହିପରି ୧୨ ତାରିଖରେ ଅନୁଷ୍ଠିତ ଆଲୋଚନାରେ ଭାରତ,ତୁର୍କୀ, ଜର୍ମାନୀ, ତାଜିକିସ୍ତାନ,ତୁର୍କମେନିସ୍ତାନ, ନରଓ୍ବେ, ଆମେରିକା, ବ୍ରିଟେନ ଆଦି ଯୋଗଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନ ଉପରେ ନିଜର ନିୟନ୍ତ୍ରଣକୁ ଆହୁରି ଦୃଢ କରିଛି ତାଲିବାନ । ଏହି କଠୋରପନ୍ଥୀ ସଂଗଠନ ଏବେ ଆଫଗାନିସ୍ତାନର ଉତ୍ତର, ପଶ୍ଚିମ ଓ ଦକ୍ଷିଣାଞ୍ଚଳକୁ ଦଖଲକୁ ନେଇସାରିଲାଣି । ତାଲିବାନ ଏବେ ମୋଟ ୧୯ଟି ରାଜ୍ୟର ରାଜଧାନୀକୁ ଦଖଲ କରିସାରିଲାଣି । ଏହା ସହିତ ରାଜଧାନୀ କାବୁଲଠାରୁ ଆଉ ମାତ୍ର ୪୦ କିଲୋମିଟର ଦୂରରେ ରହିଛି ଏହି ସଂଗଠନ ।

ସମ୍ବନ୍ଧିତ ଖବର