ନୂଆଦିଲ୍ଲୀ: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ତାଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିଥିବା ଏନ୍‌ଡିଏ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିଛି। କିନ୍ତୁ ମୋଦୀଙ୍କ ଆଶା ଅନୁଯାୟୀ ଫଳାଫଳ ଆସିନଥିବାରୁ ଏନ୍‌ଡିଏ ଶିବିରରେ ନୈରାଶ୍ୟ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ପାଇଁ ୩୭୦ ଆସନ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏନ୍‌ଡିଏ ପାଇଁ ୪୦୦ରୁ ଅଧିକ ଆସନ ଲକ୍ଷ୍ୟ ରଖିଥିଲେ। କିନ୍ତୁ ନୂଆ ଶକ୍ତି ସଂଗ୍ରହ କରିଥିବା କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ତାଙ୍କର ‘୪୦୦ ପାର୍’ ସ୍ବପ୍ନକୁ ଧୂଳିସାତ କରିଦେଇଛି। ୪୦୦ ପାର୍ ଦୂରର କଥା ଏନ୍‌ଡିଏ ଏଥର ୩୦୦ ଛୁଇଁପାରି ନାହିଁ। ସେହିପରି ବିଜେପି ପାଇଁ ୩୭୦ ଆସନ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ଦଳ ଏକାକୀ ସରକାର ଗଠନ କରିବା ସ୍ଥିତିରେ ନାହିଁ। ସରକାର ଗଠନ ଲାଗି ୨୭୨ ଆସନ ଆବଶ୍ୟକ ଥିବ‌ା ବେଳେ ବିଜେପିକୁ ମିଳିଛି ୨୪୧ଟି ଆସନ। ସରକାର ଗଠନ ପାଇଁ ବିଜେପିକୁ ଏହାର ସହଯୋଗୀ ଦଳଙ୍କ ସମର୍ଥନ ଉପରେ ନିର୍ଭର କରିବାକୁ ପଡ଼ିବ।

Advertisment

ବିଜେପିକୁ ସବୁଠାରୁ ବଡ଼ ଝଟକା ଲାଗିଛି ଉତ୍ତର ପ୍ରଦେଶରେ। ରାଜ୍ୟରେ ୮୦ ଆସନ ଥିବା ବେଳେ ବିଜେପି ମେଣ୍ଟକୁ ମିଳିଛି ମାତ୍ର ୩୨ଟି ଆସନ। ରାଜ୍ୟରେ ବିଜେପିକୁ କଡ଼ା ଟକ୍କର ଦେଇଥିବା ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମେଣ୍ଟ ୪୪ଟି ଆସନରେ ଆଗୁଆ ରହିଛନ୍ତି। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେପିକୁ ଐତିହାସିକ ସଫଳତା ମିଳିଥିଲା। ମହାରାଷ୍ଟ୍ର ଏବଂ ପଶ୍ଚିମ ବଙ୍ଗରେ ମଧ୍ୟ ମେଣ୍ଟକୁ ବପିର୍ଯ୍ୟୟର ସାମନା କରିବାକୁ ପଡ଼ିଛି। କେବଳ ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ବିହାର ଓ ତେଲେଙ୍ଗାନାରେ ଅଧିକ ଆସନ ପାଇବାରେ ସଫଳ ହୋଇଛି।

ଅନ୍ୟପକ୍ଷରେ ଗତ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିବା କଂଗ୍ରେସ ଏଥର ଅପେକ୍ଷାକୃତ ଅଧିକ ଆସନ ହାସଲ କରିଛି। ସମସ୍ତ ଏକଜିଟ୍ ପୋଲ୍ ଆକଳନକୁ ଭୁଲ୍ ପ୍ରମାଣିତ କରି ଶହେ ଆସନ ହାସଲ କରିବାକୁ ଯାଉଥିବା ବେଳେ ଏହା ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟକୁ ୨୩୩ଟି ଆସନ ମିଳିଛି। ଏନଡିଏକୁ କଡ଼ା ଟକ୍କର ଦେଇଥିବା ଏହି ମେଣ୍ଟକୁ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ତାମିଲନାଡ଼ୁ ଏବଂ କେରଳରେ ଉଲ୍ଲେଖନୀୟ ସଫଳତା ମିଳିଛି। ଚଳିତ ନିର୍ବାଚନରେ ଏନ୍‌ଡିଏର ପ୍ରମୁଖ ସହଯୋଗୀ ଜେଡିୟୁ ୧୪ ଏବଂ ଟିଡିପି ୧୬ ଆସନ ହାସଲ କରିଥିବା ବେଳେ ଏଲଜେପି(ଆର୍‌ଭି)କୁ ୫ଟି ଆସନ ମିଳିଛି। ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟର ପ୍ରମୁଖ ଦଳ କଂଗ୍ରେସ ୯୭ ଆସନ ହାସଲ କରିବାକୁ ସକ୍ଷମ ହୋଇଛି ଏବଂ ଏଭଳି ଅପ୍ରତ୍ୟାଶିତ ପ୍ରଦର୍ଶନ କଂଗ୍ରେସରେ ନୂଆ ଶକ୍ତି ସଂଚାର କରିଛି। ଇଣ୍ଡିଆ ମେଣ୍ଟର ଅନ୍ୟ ପ୍ରମୁଖ ସହଯୋଗୀ ଦଳ ସମାଜବାଦୀ ପାର୍ଟି ୩୭ ଆସନ ହାସଲ କରିଥିବା ବେଳେ ଟିଏମ୍‌ସି ୩୨, ଡିଏମ୍‌କେ ୨୧, ଆରଜେଡି ୫, ଏନ୍‌ସିପି(ଏସ୍‌ସି)୮ ଏବଂ ଶିବସେନା ୟୁବିଟିକୁ ୧୦ ଆସନ ମିଳିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ବିଜେପିର ରଣନୀତି ବିଫଳ ହୋଇଥିବା ବେଳେ ଏହି ୩ ରାଜ୍ୟରେ ବିଜେପିର ଆସନ ସଂଖ୍ୟାରେ ଯଥେଷ୍ଟ ହ୍ରାସ ହୋଇଛି।

ନିରାଶ କଲା ଉତ୍ତର ପ୍ରଦେଶ, ମହାରାଷ୍ଟ୍ର
ବିହାର, ପଶ୍ଚିମବଙ୍ଗରେ ଖେଳ ବିଗିଡ଼ିଲା
ତାମିଲନାଡୁକୁ ସୁରକ୍ଷିତ ରଖିଲେ ଷ୍ଟାଲିନ୍

କଂଗ୍ରେସ ୨୦୧୯ରେ ୫୨ଟି ଆସନ ପାଇଥିବା ବେଳେ ଏଥର ଚମକପ୍ରଦ ପ୍ରଦର୍ଶନ କରି ୯୫ ଆସନ ହାସଲ କରିବାକୁ ସକ୍ଷମ ହୋଇଛି। ଗତଥର ବିଜେପି ଏକାକୀ ୩୦୩ ଟି ଆସନ ଜିତିଥିବା ବେଳେ ଏଥର ୟୁପିରେ ଦଳର ଭୋଟ ପ୍ରତିଶତ ହ୍ରାସ ଏହାର ବିଜୟ ଧାରାକୁ ରୋକିଦେଇଛି। ୨୦୧୯ରେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ଏନ୍‌ଡିଏ ମେଣ୍ଟ ଏଥର ପ୍ରାୟ ୪୬ ପ୍ରତିଶତ ଭୋଟ୍‌ରେ ସୀମିତ ରହିଛି। ଅନ୍ୟପକ୍ଷରେ ପ୍ରାୟ ୪୧ ପ୍ରତିଶତ ଭୋଟ୍ ସହ ଇଣ୍ଡିଆ ମେଣ୍ଟ ୟୁପିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ୟୁପିରେ ଶାସକ ବିଜେପି ୩୭ଟି ଆସନରେ ବିଜୟୀ/ଅଗ୍ରଣୀ ଥିବା ବେଳେ ଅନ୍ୟପକ୍ଷରେ କଂଗ୍ରେସ ୮ଟି ଓ ସମାଜବାଦୀ ପାର୍ଟି ୩୫ଟି ଆସନରେ ବିଜୟୀ/ଅଗ୍ରଣୀ ରହିଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଏକଜିଟ୍ ପୋଲ୍‌କୁ ବିଫଳ କରିଦେଇଥିବା ବେଳେ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ମହାରାଷ୍ଟ୍ରରେ ଜୋରଦାର ଲଢ଼େଇ ହୋଇଛି। ବିଜେପି, ଶିବସେନା ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିକୁ ନେଇ ଗଠିତ ଶାସକ ମେଣ୍ଟ ୧୭ଟି ଆସନରେ ଆଗୁଆ ଥିବା ବେଳେ ଇଣ୍ଡିଆ ମେଣ୍ଟ ୩୦ଟିରେ ଆଗୁଆ ରହିଛି।

ତେବେ ଏନ୍‌ଡିଏ ମେଣ୍ଟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପାଇଁ ପ୍ରସ୍ତୁତ ଅଛନ୍ତି । ଅନ୍ୟପକ୍ଷରେ ୪୦ଟି ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆ ମେଣ୍ଟ ମଧ୍ୟ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ କରିଦେଇଛି। ଏନ୍‌ଡିଏର ସହଯୋଗୀ ଦଳ ଜେଡିୟୁ ଏବଂ ଟିଡିପିକୁ ନିଜ ପଟକୁ ଆଣିବା ପାଇଁ କସରତ ଆରମ୍ଭ କରିଛି। ତେବେ ଉଭୟ ଦଳ ଏନ୍‌ଡିଏ ମେଣ୍ଟ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇ ଥିବାରୁ ଇଣ୍ଡି ମେଣ୍ଟର ସରକାର ଗଠନ ଏତେ ସହଜ ନୁହେଁ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ଏପ୍ରିଲ ୧୯ରୁ ଜୁନ୍ ପହିଲା ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ୫୪୩ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସୁରଟ ଓ ଇନ୍ଦୋର ଆସନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜେପି ଦଖଲକୁ ଯାଇଥିଲା। ଏପ୍ରିଲ ୧୯ (ପ୍ରଥମ ପର୍ଯ୍ୟାୟ), ଏପ୍ରିଲ ୨୬ (ଦ୍ୱିତୀୟ ପର୍ଯ୍ୟାୟ), ମେ ୭ (ତୃତୀୟ ପର୍ଯ୍ୟାୟ), ମେ ୧୩ (ଚତୁର୍ଥ ପର୍ଯ୍ୟାୟ), ମେ ୨୦ (ପର୍ଯ୍ୟାୟ ପଞ୍ଚମ), ମେ ୨୫ (ଷଷ୍ଠ ପର୍ଯ୍ୟାୟ) ଏବଂ ଜୁନ୍ ୧ (ପର୍ଯ୍ୟାୟ ୭) ରେ ମତଦାନ ହୋଇଥିଲା। ଭୋଟର ଯୋଗ୍ୟତା ଦୃଷ୍ଟିରୁ ସର୍ବବୃହତ୍ ଏହି ନିର୍ବାଚନରେ ୯୬.୮ କୋଟି ଲୋକ ମତଦାନ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ, ଯାହା କି ମୋଟ ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ। ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଭାରତ ଚଳିତ ବର୍ଷ ୩୧.୨ କୋଟି ମହିଳାଙ୍କ ସମେତ ୬୪.୨ କୋଟି ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି।

ଜେଡିୟୁ ଟିଡିପି ମୁଖ୍ୟଙ୍କ ସହ କଥା ହେଲେ ମୋଦୀ-ଶାହ ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିଜେପି ଏକାକୀ ସରକାର ଗଢ଼ିବାକୁ ମ୍ୟାଜିକ୍‌ ନମ୍ବର ୨୭୨ ହାସଲ କରିବାକୁ ସମର୍ଥ ହୋଇପାରିନଥିବା ବେଳେ ଏବେ ଏନ୍‌ଡିଏ ମେଣ୍ଟକୁ ଏକ୍‌ଜୁଟ ରଖିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ଫୋନ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ଉଭୟ ନାଇଡ଼ୁ ଏବଂ ନୀତୀଶ ଏନ୍‌ଡିଏ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିବା ବେଳେ ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ଯେ ଆମେ ଏନ୍‌ଡିଏର ସଂସ୍ଥାପକ ସଦସ୍ୟ ଏବଂ ଏନ୍‌ଡିଏର ସୁଦୃଢ଼ ସରକାର ପୁଣି ଥରେ କେନ୍ଦ୍ରରେ ଗଠନ ହେବ। ଜେଡିୟୁ ଏବଂ ଟିଡିପି ଏବେ ଏନ୍‌ଡିଏ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକାରେ ଥିବାରୁ ସେମାନଙ୍କୁ ମନାଇ ଇଣ୍ଡି ମେଣ୍ଟକୁ ଆଣିବା ପାଇଁ ଏନ୍‌ସିପିଏସ୍‌ସି ନେତା ଶରଦ ପାୱାର ପ୍ରୟାସ କରୁଥିବା କୁହାଯାଉଛି।