କରୋନା ସଙ୍କଟକୁ ଭାରତ ଏକ ସୁଯୋଗରେ ପରିଣତ କରିବ,ଏହା ଆମକୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆତ୍ମନିର୍ଭର ଭାରତ ଅଭିଯାନର ଅଂଶ ଭାବେ ବାଣିଜ୍ୟିକ ଉପଯୋଗ ଲାଗି ଉଦ୍ଦିଷ୍ଟ କୋଇଲା ଖଣିଗୁଡ଼ିକର ଖୋଲା ନିଲାମୀ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ୪୧ଟି କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ଉଦଘାଟନ କରିଛନ୍ତି ମୋଦୀ। ଏହି ଅବସରରେ ସେ କହିଛନ୍ତି, ଭାରତ ଏହି କରୋନା ସଙ୍କଟକୁ ଏକ ସୁଯୋଗରେ ପରିଣତ କରିବ | ଏହା ଭାରତକୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି। ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଭାରତ ଯୋଜନା କରିଛି। ଏଥିସହ ମୋଦୀ କହିଛନ୍ତି, ଦେଶର ଖଣିଜ ଭଣ୍ଡାରର ଆକାରକୁ ବିଚାର କଲେ ଭାରତ ବିଶ୍ୱର ସର୍ବବୃହତ କୋଇଲା ରପ୍ତାନୀକାରୀ ହେବା ଉଚିତ୍ |

ଦଶନ୍ଧି ଦଶନ୍ଧି ଧରି ଦେଶର କୋଇଲା କ୍ଷେତ୍ର ଏକ ପ୍ରକାର କ୍ୟାପଟିଭ ଓ ଅଣକ୍ୟାପଟିଭ୍ ବ୍ୟବସ୍ଥା ଭିତରେ ବନ୍ଧା ହୋଇଥିଲା | ଏହାକୁ ପ୍ରତିଯୋଗିତାରୁ ବାଦ ଦିଆଯାଇଥିଲା, ସ୍ୱଚ୍ଛତାର ଏକ ବଡ଼ ସମସ୍ୟା ଥିଲା | ୨୦୧୪ ପରେ ଏହି ପରିସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା | ନିଆଯାଇଥିବା ପଦକ୍ଷେପ ଯୋଗୁଁ କୋଇଲା କ୍ଷେତ୍ର ମଜବୁତ ହେବାରେ ଲାଗିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରତିଯୋଗିତା, ପୁଞ୍ଜି, ଅଂଶଗ୍ରହଣ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ କୋଇଲା ଏବଂ ଖଣି କ୍ଷେତ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।୨୦୩୦ ସୁଦ୍ଧା ଆମେ ପ୍ରାୟ ୧୦୦ ନିୟୁତ ଟନ୍ କୋଇଲା ଗ୍ୟାସ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ସ୍ଥିର କରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର