ଜଣେ ଦୁଇଜଣଙ୍କ ଦାୟିତ୍ବହୀନ ବୟାନ ପାଇଁ ୫ ହଜାର ବର୍ଷର ସଭ୍ୟତା କାହାରିକୁ କ୍ଷମା ମାଗିବା ଉଚିତ ନୁହେଁ : କେରଳ ରାଜ୍ୟପାଳ

ତିରୁଅନନ୍ତପୁରମ : ନୂପୁର ଶର୍ମା ବିବାଦୀୟ ବୟାନ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଁ । ସେ କହିଛନ୍ତି ଯେ ଭାରତୀୟ ସଂସ୍କୃତି ସହନଶୀଳତା ଓ ବିବିଧତା ଉପରେ ପର୍ଯ୍ୟବେଶିତ । ଜଣେ ଦୁଇଜଣ ବ୍ୟକ୍ତିଙ୍କ ଦାୟିତ୍ବହୀନ ବୟାନ ପାଇଁ ୫ ହଜାର ବର୍ଷର ସଭ୍ୟତା କାହାରିକୁ କ୍ଷମା ମାଗିବା ଉଚିତ ନୁହେଁ । ଆମେ ଆମର ସଭ୍ୟତା ଓ ପରମ୍ପରା ପ୍ରତି ବିଶ୍ବସ୍ତ ରହିବା ଉଚିତ, ବାହାରୁ କିଏ ଆମ ଉପରେ କଣ ମନ୍ତବ୍ୟ ଦେଲା ତାହାକୁ ନେଇ ଚିନ୍ତିତ ହେବା ଉଚିତ ନୁହେଁ ।

ସୂଚନାଯୋଗ୍ୟ ଯେ ଏକ ଟେଲିଭିଜନ ବିତର୍କ ବେଳେ ବିଜେପିର ପୂର୍ବତନ ମୁଖପାତ୍ର ଇସଲାମ ବିରୋଧୀ ମନ୍ତବ୍ୟ ଦେବାପରେ ତାହାକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି । ବିଶ୍ବର ଅଧିକାଂଶ ଦେଶ ଏହାକୁ ନିନ୍ଦା କରିଛନ୍ତି । ଏହା ପରେ ଗତ ରବିବାରଦିନ ବିଜେପି ପକ୍ଷରୁ ଦୁଇ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା । ଏହା ସତ୍ତ୍ବେ ବିଶ୍ବର ମୁସଲିମ ଦେଶମାନେ ଏହାକୁ ନିନ୍ଦା କରିଚାଲିଛନ୍ତି ଓ ଏହି ପ୍ରସଙ୍ଗରେ ଭାରତ ସରକାର କ୍ଷମା ମାଗନ୍ତୁ ବୋଲି ଦାବି କରୁଛନ୍ତି ।

କିନ୍ତୁ ନୂପୁର ଓ ନବୀନ ଦେଇଥିବା ମନ୍ତବ୍ୟ ଭାରତ ସରକାରଙ୍କ ମତ ନୁହେଁ ବୋଲି ଭାରତ ସରକାର ସ୍ପଷ୍ଟ କରିଦେଇଛନ୍ତି ।

ସମ୍ବନ୍ଧିତ ଖବର