ରୁଷିଆରୁ ଭାରତର ତେଲ କିଣାକୁ ନେଇ ରାଜନୀତି କରା ନ ଯାଉ: ତୈଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ବିଭିନ୍ନ ଗଣମାଧ୍ୟମରେ ରୁଷିଆରୁ ଭାରତର ତେଲ କିଣାକୁ ନେଇ ନାନା କଥା ପ୍ରକାଶ ପାଉଛି। ବାସ୍ତବ ତଥ୍ୟକୁ ନ ଯାଇ ଅନେକେ ମନଗଢ଼ା କଥା ପ୍ରଚାର କରୁଛନ୍ତି। ପ୍ରେସ୍ ସ୍ବାଧୀନତା ନାଁରେ ସେମାନେ ଲୋକଙ୍କୁ ଭୁଲ୍ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି। ଏହି ପ୍ରସଙ୍ଗରେ ଭାରତର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କିଛି ସ୍ପଷ୍ଟୀକରଣ ଦିଆଯାଇଛି।

ଭାରତରେ ଦୈନିକ ୫ ନିୟୁତ ବ୍ୟାରେଲ ତେଲର ଆବଶ୍ୟକତା ଥିବା ବେଳେ ୨୫୦ ଏମ୍‌ଏମ୍‌ଟିପିଏର ବିଶୋଧନ କ୍ଷମତା ରହିଛି। ଶକ୍ତି ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କୁ ଶକ୍ତି ମାମଲାରେ ନ୍ୟାୟ ପ୍ରଦାନ ନିମନ୍ତେ ଭାରତୀୟ ତୈଳ କମ୍ପାନିଗୁଡ଼ିକ ବିଶ୍ବର ସମସ୍ତ ପ୍ରମୁଖ ତୈଳ ଉତ୍ପାଦକଙ୍କଠାରୁ ଏହା ଖରିଦ କରିଥାନ୍ତି। ଭାରତରେ ପ୍ରତିଦିନ ପେଟ୍ରୋଲ ପମ୍ପଗୁଡ଼ିକୁ ୬୦ ନିୟୁତରୁ ଅଧିକ ଲୋକ ପେଟ୍ରୋଲ ବା ଡିଜେଲ କିଣିବା ପାଇଁ ଯାଇଥାନ୍ତି। ଭାରତ ତେଲ କିଣୁଥିବା ପ୍ରମୁଖ ୧୦ଟି ସ୍ଥାନ ମଧ୍ୟରୁ ଅଧିକାଂଶ ପଶ୍ଚିମ ଏସିଆରେ ଅବସ୍ଥିତ। ତେବେ ଆଜିକାଲି ଯୁକ୍ତରାଷ୍ଟ୍ର ଆମେରିକା ବି ଭାରତ ପାଇଁ ଅଶୋଧିତ ତୈଳର ଏକ ପ୍ରମୁଖ ଉତ୍ସରେ ପରିଣତ ହୋଇଛି। ଆମେରିକାରୁ ଭାରତ ପ୍ରାୟ ୧୩୦୦ କୋଟି ଡଲାର ମୂଲ୍ୟର ତେଲ କିଣୁଛି ଯାହା ଭାରତ ଆମଦାନି କରୁଥିବା ମୋଟ ତେଲର ପ୍ରାୟ ୭.୩ ପ୍ରତିଶତ।

କିଛି ତୈଳ ଉତ୍ପାଦକ ବିଭିନ୍ନ ସମୟରେ ଅଶୋଧିତ ତୈଳର ମୂଲ୍ୟ ବଢ଼ାଉଥିବା ଯୋଗୁ ଭାରତ ଅଧିକ ଦାମ୍ ଦେଇ ତେଲ କିଣିବାକୁ ବାଧ୍ୟ ହେଉଛି। ସେଥିପାଇଁ ଭାରତ ଗୋଟିଏ ଦୁଇଟି ସଂସ୍ଥା ବଦଳରେ ବିଭିନ୍ନ ଦେଶର ଅନେକ ଉତ୍ପାଦକଙ୍କଠାରୁ ତେଲ କିଣୁଛି। ଯାହା ଫଳରେ ଗୋଟିଏ ଉତ୍ପାଦକ ହଠାତ୍ ଦାମ୍ ବଢ଼େଇଦେଲେ ତା’ଠୁ କମ୍ ତେଲ କିଣି ଭାରତ ଅପେକ୍ଷାକୃତ ଶସ୍ତାରେ ମିଳୁଥିବା ଅନ୍ୟ ସଂସ୍ଥାଠାରୁ ଅଧିକ କିଣିପାରିବ। ନିକଟରେ ତୈଳ ମୁଦ୍ରାସ୍ଫୀତି ବୃଦ୍ଧି କାରଣରୁ କିଛି ପଡ଼ୋଶୀ ଦେଶ ନିଜ ନାଗରିକଙ୍କୁ ଉଚିତ ଦରରେ ଓ ଯଥେଷ୍ଟ ପରିମାଣରେ ତେଲ ଯୋଗାଇ ନ ପାରି ଅରାଜକତାର ସମ୍ମୁଖୀନ ହୋଇଛନ୍ତି।

ଭାରତୀୟ ତୈଳ କମ୍ପାନିଗୁଡ଼ିକ କିଛି ବର୍ଷ ହେଲା ରୁଷିଆରୁ ନିୟମିତ ତେଲ କିଣୁଛନ୍ତି। ପରିଚାଳନା ସମ୍ବନ୍ଧୀୟ ଆବଶ୍ୟକତା ସହିତ ନାନା କାରଣରୁ ଭାରତ ରୁଷିଆଠାରୁ ବାର୍ଷିକ କିଣୁଥିବା ତେଲର ପରିମାଣ ଭିନ୍ନ ଭିନ୍ନ ହୋଇପାରେ। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆଶାତୀତ ବୃଦ୍ଧି ପାଇଥିବା ବେଳେ ଏବଂ ରୁଷିଆ ଭାରତକୁ ଅପେକ୍ଷାକୃତ ଶସ୍ତା ଦରରେ ତେଲ ଯୋଗାଇବ ବୋଲି କହିବା ପରେ ଭାରତ ଯଦି ଅନ୍ୟ ସବୁ ଦେଶରୁ ତେଲ କିଣିବା ବନ୍ଦ କରି କେବଳ ରୁଷିଆରୁ କିଣେ ତେବେ ଏହା ତୈଳ ବଜାରରେ ଅଧିକ ଅସ୍ଥିରତା ସୃଷ୍ଟି କରିବ ଏବଂ ଅନ୍ତର୍ଜାତୀୟ ମୂଲ୍ୟ ଆହୁରି ବୃଦ୍ଧି ପାଇବ। ତେଣୁ ଭାରତ ରୁଷିଆରୁ ଯେଉଁ ତେଲ କିଣୁଛି ତାହା ଏବେ ବି ରୁଷିଆରୁ ତେଲ ଓ ଗ୍ୟାସ୍ କିଣୁଥିବା ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ତୁଳନାରେ ବହୁତ କମ୍। କେଉଁ ଦେଶ ରୁଷିଆରୁ କେତେ ତେଲ କିଣୁଛନ୍ତି, ମନଇଚ୍ଛା ଖବର ପରିବେଷଣ କରୁଥିବା ଗଣମାଧ୍ୟମଗୁଡ଼ିକ ତା’ର ତଥ୍ୟ ଓ ପରିସଂଖ୍ୟାନ ନେବା ଉଚିତ। ଭାରତର ଶକ୍ତି ସମ୍ବନ୍ଧୀୟ ବୈଧ ଲେଣଦେଣ କାରବାରର ରାଜନୀତୀକରଣ କରାଯାଇପାରିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର