ରାଜଧାନୀ ରାଜପଥରୁ ବିଶ୍ୱ ଦେଖିଲା ଭାରତର ଶକ୍ତି ଓ ସାମର୍ଥ୍ୟ

ଗଣତନ୍ତ୍ର ଦିବସରେ ଦମ୍ ଦେଖାଇଲା ଭାରତୀୟ ସେନା; ଦିଲ୍ଲୀରେ ନାରୀ ଶକ୍ତି, ମିଜାଇଲ ଶକ୍ତି ଓ ଅଦମ୍ୟ ଶକ୍ତିର ପ୍ରଦର୍ଶନ

ନୂଆଦିଲ୍ଲୀ : ଭାରତ ଦେଖାଇଲା ଦମ୍ । ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ତିନି ସେନା କରିଛନ୍ତି ଶକ୍ତି ପ୍ରଦର୍ଶନ । ବାୟୁ ସେନାର ଯବାନ ଆକାଶ ମାର୍ଗରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ସ୍ଥଳସେନା ଓ ନୌସେନା ଲଢ଼ୁଆ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରି ସେନାର ସାମର୍ଥ୍ୟ ଦେଖାଇଛନ୍ତି । ଆଉ ଏସବୁ ଭିତରେ ପୁଣି ଦେଖିବାକୁ ମିଳିଛି ଭାରତୀୟ ଯବାନଙ୍କ ଦୁଃସାହସିକ କଳା କୌଶଳ ପ୍ରଦର୍ଶନ ।

ଦୁନିଆ ଦେଖିଲା ଭାରତର ଶକ୍ତି । ଦିଲ୍ଲୀରେ ସେନାର ସାମର୍ଥ୍ୟ ପ୍ରଦର୍ଶନ । ରାଜଧାନୀ ରାଜପଥରୁ ସାରା ବିଶ୍ୱ ଦେଖିଛି ଭାରତର ଶକ୍ତି ଓ ସାମର୍ଥ୍ୟର ଏକ ପ୍ରତିଛବି । ତିନି ସେନା, ସ୍ଥଳ ସେନା, ବାୟୁସେନା ଏବଂ ଜଳସେନାର ଯବାନଙ୍କ ସହ ସେନା ବ୍ୟବହାର କରୁଥିବା ଯୁଦ୍ଧାସ୍ତ୍ରର ପ୍ରଦର୍ଶନ ହିଁ ପ୍ରମାଣିତ କରୁଥିଲା ଭାରତର ଶକ୍ତି । ସେନାର ଯୁଦ୍ଧ ଟ୍ୟାଙ୍କ, ଟି ୯୦ ଟ୍ୟାଙ୍କ, କେ-୯ ବଜ୍ର-ଟି ଟ୍ୟାଙ୍କ ସମେତ ବାୟୁସେନାର ଆଂଟି ଏୟାରକ୍ରାଫ୍ଟ ମିଶାଇଲ୍ ପ୍ରଦର୍ଶିତ ହୋଇଛି ।

Hindustan Times

ତେଜସ୍ ଏୟାରକ୍ରାଫ୍ଟ, ଆକାଶ ଏବଂ ଅସ୍ତ୍ର ଭଳି ମିଶାଇଲ ଗଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହୋଇଛି । ସେହିପରି ଫ୍ରାନ୍ସ ନିର୍ମିତ ରାଫେଲ୍ ଫାଇଟର୍ ଜେଟର ଏକ ମଡେଲ୍ ମଧ୍ୟ ପ୍ରଦର୍ଶିତ ହୋଇଛି । ବାୟୁସେନାର କଣ୍ଟିଜେଣ୍ଟରେ ସାମିଲ ହୋଇଥିଲେ ୧୪୪ ଯବାନ । ଯାହାର ନେତୃତ୍ୱ ନେଇଥିଲେ ଶ୍ରୀକାନ୍ତ ଶର୍ମା ।

କାଲଭାରୀ କ୍ଲାସ୍ ସବମେରାଇନ୍, ବୋଇଂ ପି-ଏଇଟ୍-ଆଇ୍, କୋଲକତା କ୍ଲାସ୍ ଡେସଡ୍ରୟର ଆଦି ପ୍ରଦର୍ଶନ କରି ନୌସେନାର ଶକ୍ତି ଦେଖାଇଥିଲେ ନୌସେନାର ଯବାନ । ନୌସେନାର କଂଟିଜେଂଟରେ ସାମିଲ ହୋଇଥିଲେ ୧୪୪ ଯବାନ । ଯାହାର ନେତୃତ୍ୱ ନେଇଥିଲେ ଜୀତିନ୍ ମାଲକଟ୍ ।

Livemint

ଡିଆରଡିଓ ପକ୍ଷରୁ ପରେଡରେ ପ୍ରଦର୍ଶିତ ହୋଇଥିଲା ଆଂଟି ସାଟେଲାଇଟ୍ ୱେପନ୍, ମିଶନ୍ ଶକ୍ତି । ଯାହା ତିନି ସେନା ପାଇଁ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଏ । ଏପଟେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ସେନାର ପୁରୁଷ କଂଟିଜେଂଟର ନେତୃତ୍ୱ ନେଇଛନ୍ତି ତାନିଆ ସେରଗିଲ୍ ।

iamgujarat.com

ଶେଷରେ ଦେଖିବାକୁ ମିଳିଥିଲା ଡେୟାର ଡେଭିଲ ସୋ । ସିଆରପିଏଫର ମହିଳା ଯବାନମାନେ ଦେଖାଇଥିଲେ ଦୁଃସାହସିକ ପ୍ରଦର୍ଶନ । ୫ଟି ମୋଟର ସାଇକେଲରେ ୨୧ ଜଣ ମହିଳା ଯବାନ ଗୋଟିଏ ପରେ ଗୋଟିଏ ଷ୍ଟଣ୍ଟ ଦେଖାଇଥିଲେ ।

ଆଉ ଏସବୁ ଭିତରେ ବାୟୁ ସେନାର ଯବାନମାନେ ଆକାଶ ମାର୍ଗରେ ଦେଖାଇଥିଲେ ଦୁଃସାହସିକ ପ୍ରଦର୍ଶନ । ୩ଟି ହେଲିକପ୍ଟରରେ ତ୍ରିସୁଲ ଫର୍ମେସନ୍ କରି, ରାଜପଥରେ ଉପସ୍ଥିତ ଥିବା ସମସ୍ତଙ୍କୁ ଚକିତ କରିଦେଇଥିଲେ ବାୟୁସେନାର ଯବାନ ।

ସମ୍ବନ୍ଧିତ ଖବର