ଏଲ୍‌ଏସିରେ ଶକ୍ତି ଦେଖାଇଲା ଭାରତ, ଚୀନ୍‌ ସହ ଶାନ୍ତିର ଗ୍ୟାରେଣ୍ଟି ନାହିଁ

ଇଞ୍ଚେ ବି ଜମି କେହି ନେଇ ପାରିବେ ନାହିଁ: ରାଜନାଥ

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ଭାରତୀୟ ବାୟୁ ସେନା ଏବଂ ସ୍ଥଳ ସେନା ଆଜିଠାରୁ ବଡ଼ ସମରାଭ୍ୟାସ ଆରମ୍ଭ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ୨ ସେନା ଅପୂର୍ବ ପରାକ୍ରମ ଦେଖାଇଛନ୍ତି। ଏଲ୍‌ଏସିରେ ବହୁ ସଂଖ୍ୟକ ଟ୍ୟାଙ୍କ୍‌ ବିଧ୍ବଂସୀ କ୍ଷେପଣାସ୍ତ୍ର , ସାମରିକ ହେଲିକପ୍ଟର, ଅତ୍ୟାଧୁନିକ ତୋପ ଆଦି ଏହି ଯୁଦ୍ଧ କୌଶଳ ପ୍ରଦର୍ଶନରେ ସାମିଲ କରାଯାଇଛି। ଭାରତ-ଚୀନ୍‌ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ଯବାନମାନେ ଅତ୍ୟାଧୁନିକ ମେସିନ୍‌ ଗନ୍‌ ସହ ମୁତୟନ ହୋଇଛନ୍ତି। ପୂର୍ବ ଲଦାଖ୍‌ର ପେଙ୍ଗଙ୍ଗ୍‌ ଆଗୁଆ ଘାଟିରେ ଯବାନଙ୍କୁ ଉଦ୍‌ବୋଧନ ଦେଇ ରାଜନାଥ କହିଛନ୍ତି, ସୀମା ବିବାଦର ସମାଧାନ ପାଇଁ ଚୀନ୍‌ ସହ କଥାବାର୍ତ୍ତା ଜାରି ରହିଛି।

କିନ୍ତୁ ସମାଧାନର କୌଣସି ଗ୍ୟାରେଣ୍ଟି ନାହିଁ। ତେବେ ଭାରତ ନିଜର ଇଞ୍ଚେ ବି ଜମି ଛାଡ଼ିବ ନାହିଁ, ଏବଂ ଭାରତକୁ କେହି ଆଖି ଦେଖାଇବାକୁ ପ୍ରୟାସ କଲେ ଏହାର ଭୟାନକ ଜବାବ ମିଳିବ ବୋଲି ରାଜନାଥ ଚୀନ୍‌କୁ ଚେତାଇ ଦେଇଛନ୍ତି। ଗଲ୍‌ୱାନ୍‌ରେ ଦେଶର ସୁରକ୍ଷାରେ ନିୟୋଜିତ ଆମର କିଛି ଯବାନ ଶତ୍ରୁ ସହ ଲଢ଼େଇରେ ପ୍ରାଣବଳି ଦେଇଛନ୍ତି। ସେମାନଙ୍କ ବଳିଦାନକୁ ଆମେ ବ୍ୟର୍ଥ ହେବାକୁ ଦେବୁନାହିଁ। ଏହି ବୀର ଯବାନଙ୍କ ପାଇଁ ୧୩୦ କୋଟି ଭାରତବାସୀ ଗର୍ବିତ ବୋଲି ରାଜନାଥ କହିଛନ୍ତି। ଭାରତର ସ୍ବାଭିମାନ ଉପରେ ଯଦି କେହି ଆଘାତ ଦେବାକୁ ଚେଷ୍ଟା କରେ ତାହାର ସାମାନ୍ୟତମ ବରଦାସ୍ତ କରାଯିବନାହିଁ ଏବଂ ଅତ୍ୟନ୍ତ କଠୋର ଜବାବ ମିଳିବ ବୋଲି ସେ କହିଛନ୍ତି। ଏହି ଅବସରରେ ରାଜନାଥ ଏକ ଅତ୍ୟାଧୁନିକ ମେସିନ୍‌ ଗନ୍‌ ମଧ୍ୟ ଚଳାଇଥିଲେ।

ସମ୍ବନ୍ଧିତ ଖବର