ଶ୍ରୀଲଙ୍କାକୁ ଚୀନ୍‌ ପ୍ରେମ ମହଙ୍ଗା ପଡ଼ିବ: ଭାରତ ଦେଖାଇଲା ଶତ୍ରୁତାର ପ୍ରଥମ ଟ୍ରେଲର

ଜାତିସଂଘରେ ତାମିଲଙ୍କ ମାନବାଧିକାର ଉପରେ ପ୍ରଥମ ଥର ଘେରିଲା

ନୂଆଦିଲ୍ଲୀ: ଭାରତ ଶ୍ରୀଲଙ୍କାରେ ସଂଖ୍ୟାଲଘୁ ତାମିଲମାନଙ୍କ ମାନବାଧିକାର ଉଲ୍ଲଂଘନକୁ ନେଇ ଜାତିସଂଘରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆର୍ଥିକ ସଂକଟ ସମୟରେ ଶ୍ରୀଲଙ୍କା ଯେତେବେଳେ ଜଳୁଥିଲା ସେତେବେଳେ ଭାରତ ତାକୁ ଖାଦ୍ୟଶସ୍ୟ, ତେଲ ଓ ଆର୍ଥିକ ସାହାଯ୍ୟ ଦେଇଥିଲା। ତଥାପି ଭାରତର ଆପତ୍ତି ସତ୍ତ୍ବେ ଶ୍ରୀଲଙ୍କା ଚୀନ୍‌ର ଗୋଇନ୍ଦା ଜାହାଜକୁ ହମ୍ବନତୋଟା ବନ୍ଦର ଆସିବାକୁ ଅନୁମତି ପ୍ରଦାନ କରିଥିବାରୁ ଶ୍ରୀଲଙ୍କା ପ୍ରତି ଭାରତର ମନୋଭାବରେ ପରିବର୍ତ୍ତନ ଘଟିଥିବା କୁହାଯାଉଛି। ଭାରତ ସୋମବାର ଜାତିସଂଘର ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ର ୫୧ତମ ଅଧିବେଶନରେ ଶ୍ରୀଲଙ୍କାରେ ସଂଖ୍ୟାଲଘୁ ତାମିଲମାନଙ୍କ ପ୍ରତି ହେଉଥିବା ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗ ଉଠାଇଥିଲା। ଏଥି ସହ ଅଭୂତପୂର୍ବ ଆର୍ଥିକ ସଂକଟର ସାମନା କରୁଥିବା ଦେଶ ତୁରନ୍ତ ନିର୍ବାଚନ କରାଇବାକୁ ଭାରତ ପ୍ରସ୍ତାବ ଦେଇଥିଲା। ଭାରତ କହିଥିଲା କି ଶ୍ରୀଲଙ୍କାରେ ତାମିଲମାନଙ୍କର ନ୍ୟାୟ, ମର୍ଯ୍ୟାଦା, ମାନବାଧିକାର ଓ ଶାନ୍ତି ନିମନ୍ତେ ଭାରତ ଜୋର ଦେଉଛି। ଏଥି ସହ ଦେଶରେ ଏକତା, ସ୍ଥିରତା ଓ କ୍ଷେତ୍ରୀୟ ଅଖଣ୍ଡତା ଅକ୍ଷୁଣ୍ଣ ରଖିବାରେ ବି ଏହାର ସାହାଯ୍ୟ କରୁଥିବ।

ଏହି ଅବସରରେ ଚୀନ୍‌କୁ ବି ଭାରତ କଡ଼ା ବାଣୀ ଶୁଣାଇଥିଲା। ଚୀନ୍‌ର ଋଣ-ଆଧାରିତ ଅର୍ଥ ବ୍ୟବସ୍ଥାର ସୀମା କ’ଣ ଏବଂ ଏହା ଲୋକମାନଙ୍କର ଜୀବନ ସ୍ତର ଉପରେ କେତେ ନକାରାତ୍ମକ ପ୍ରଭାବ ପକାଉଛି ସେ ନେଇ ଗୁରୁତ୍ବର ସହ ଚିନ୍ତା କରିବା ଜରୁରୀ ବୋଲି ଭାରତ କହିଛି। ଏ ବର୍ଷ ଭାରତ ଶ୍ରୀଲଙ୍କାକୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ପାଇଁ ୩.୮ ବିଲିଅନ ଡଲାରର ସାହାଯ୍ୟ ଦେଇଛି। ଭାରତ ସବୁବେଳେ ଶ୍ରୀଲଙ୍କାକୁ ସାହାଯ୍ୟ କରିଆସୁଥିବା ବେଳେ ଏଥର ଜାତିସଂଘରେ ତା’ ବିରୋଧରେ କଡ଼ା ବାଣୀ ଶୁଣାଇଛି। ଏହାର ଏକମାତ୍ର କାରଣ ଭାରତର ଉଦ୍‌ବେଗକୁ ନ ବୁଝି ଶ୍ରୀଲଙ୍କା ଚୀନ୍‌ର ଗୋଇନ୍ଦା ଜାହାଜକୁ ହମ୍ବନତୋଟାରେ ଲଙ୍ଗର ପକାଇବାକୁ ଅନୁମତି ଦେବା ବୋଲି କୁହାଯାଉଛି। ଭାରତ ଯେସାକୁ ତେସା ନୀତି ଆପଣାଇଥିବାରୁ ଆଗକୁ ଶ୍ରୀଲଙ୍କା ସହ ସଂପର୍କର ଗତି କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର