ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ସଂସଦରେ ଗତବର୍ଷ ଗୃହୀତ ୩ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଭାରତ ବନ୍ଦ ପାଳିତ ହୋଇଯାଇଛି। ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲେ ମଧ୍ୟ ଜୀବନଯାତ୍ରାକୁ ଏହା ପ୍ରଭାବିତ କରିଛି। ପଂଜାବ ଓ ହରିୟାଣା ଭଳି ରାଜ୍ୟରେ ବନ୍ଦର ପ୍ରଭାବ ଅଧିକ ରହିଛି। ଦିଲ୍ଲୀ ସୀମାରେ ଉତ୍ତର ପ୍ରଦେଶ ଏବଂ ହରିୟାଣାକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ୍ ହୋଇଛି। କାର୍ଗୁଡ଼ିକ ଘଣ୍ଟା ଘଣ୍ଟା ଧରି କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଛିଡ଼ା ହୋଇ ରହିଥିଲା। ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀରେ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଖୋଲା ରହିଥିବା ଦେଖିବାକୁ ମିଳିଛି। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ କେରଳରେ ବନ୍ଦର ପ୍ରଭାବ ଅପେକ୍ଷାକୃତ ଭାବେ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ବନ୍ଦ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଟ୍ରେନ୍ ଏବଂ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପଶ୍ଚିମ ଭାରତର ଗୁଜରାଟରେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି। ବିଭିନ୍ନ ରାଜ୍ୟରେ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇ ପରେ ଛାଡ଼ି ଦିଆଯାଇଛି।
ଲୁଧିଆନା ଚଣ୍ଡିଗଡ଼ ରାଜପଥର ଗୁଲାଲ ଟୋଲ ପ୍ଲାଜା ନିକଟରେ ଆଜି ଜଣେ କୃଷକ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରୁ ଆଜି ଜଣକଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ପଞ୍ଜାବର ଖେଲା ଗ୍ରାମର ବୋଲି ଜଣାପଡ଼ିଛି। ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ୧୦ ଘଣ୍ଟା ପାଇଁ ହୋଇଥିବା ଏହି ବନ୍ଦ କିନ୍ତୁ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଛି। କୌଣସି ସ୍ଥାନରେ ବଡ଼ ଧରଣର ସଂଘର୍ଷ ହୋଇନାହିଁ କିମ୍ବା କେହି ଆହତ ହୋଇନାହାନ୍ତି। ବନ୍ଦ ପ୍ରଭାବ ଦିଲ୍ଲୀ, ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତର ପ୍ରଦେଶରେ ଅଧିକ ମାତ୍ରାରେ ଅନୁଭୁତ ହୋଇଥିବାବେଳେ କେରଳ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ଅପେକ୍ଷାକୃତ କମ୍ ରହିଛି। ବନ୍ଦ ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ କୁହାଯାଇଛି, କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀ ଚିନ୍ତା କରିବା ଆବଶ୍ୟକ। କୃଷକ ନେତା ରାକେଶ ଟିକାୟତ ବନ୍ଦ ସଫଳ ହୋଇଥିବା ଦାବି କରିଛନ୍ତି। ଲୋକମାନେ ବନ୍ଦକୁ ସମର୍ଥନ କରିଛନ୍ତି। ଯଦି ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ତା’ହେଲେ ଗତ ୧୦ ମାସ ହେଲେ ଖରା, ଶୀତ ଏବଂ କାକରରେ ଆନ୍ଦୋଳନ ଚଳାଇ ଅସୁବିଧାରେ ଥିବା କୃଷକଙ୍କୁ ଦିନଟିଏ ସମର୍ଥନ କରନ୍ତୁ ବୋଲି ଟିକାୟତ କହିଛନ୍ତି। ବିରୋଧୀ କଂଗ୍ରେସ ସମେତ, ବାମଦଳ, ଆରଜେଡି, ୱାଇଏସଆର କଂଗ୍ରେସ, ଟିଡିପି ଆଦି ଦଳ ବନ୍ଦକୁ ସମର୍ଥନ ଜଣାଇଥିଲେ।
ସିଂଘୁ ସୀମାରେ ହୃଦ୍ଘାତରେ ଆନ୍ଦୋଳନକାରୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ ଦିଲ୍ଲୀର ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସହ ଆନ୍ଦୋଳନରେ ଯୋଗ ଦେଇଥିବା ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ହୋଇଯାଇଛି। ୫୪ ବର୍ଷୀୟ ଏହି ଆନ୍ଦୋଳନକାରୀ କୀର୍ତ୍ତି କିଷାନ ସଂଗଠନର ଜଣେ ସଦସ୍ୟ। ଆଜି ଦେଶବ୍ୟାପୀ ଭାରତ ବନ୍ଦ ପାଳନ କରାଯାଇଥିବାବେଳେ ୫୪ ବର୍ଷୀୟ ବାଗେଲ ରାମ ସିଂଘୁ ସୀମାରେ ଆନ୍ଦୋଳନରେ ବସିଥିଲେ। ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି। କୀର୍ତ୍ତି କିଷାନ ସଂଗଠନର ଜଣେ ନେତା କହିଛନ୍ତି, ବାଗେଲ ରାମ ଚାଷୀ ନୁହନ୍ତି। ସେ ଜଣେ ଶ୍ରମିକ। ସେ ଗତ ୧୮ ତାରିଖରେ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ କରି ସିଂଘୁ ସୀମାରେ ପହଞ୍ଚିଥିଲେ। ଗତକାଲି ଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲନଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟ ଏକ ଘଟଣାରେ ଲୁଧିଆନାରେ ଜଣେ ଶ୍ରମିକ ଗତକାଲି ଆତ୍ମହତ୍ୟା କରିଦେଇଛନ୍ତି। ଭାରତ ବନ୍ଦର କିଛି ଘଣ୍ଟା ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି। ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନି।
ଆନ୍ଦୋଳନରତ କୃଷକଙ୍କ ସହ ମୋଦୀ କଥା ହୁଅନ୍ତୁ: କଂଗ୍ରେସ
ନୂଆଦିଲ୍ଲୀ : କୃଷକମାନେ ଆଜି ଦେଶବ୍ୟାପୀ ବନ୍ଦ ପାଳନ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଦୋଳନରତ କୃଷକଙ୍କ ସହ କଥା ହୁଅନ୍ତୁ ବୋଲି କଂଗ୍ରେସ ଅନୁରୋଧ କରିଛି। କୃଷକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସରକାର ସେମାନଙ୍କୁ ଦେଶର ଶତ୍ରୁ ଭାବୁଛନ୍ତି। ତେଣୁ କୃଷକମାନେ ରାସ୍ତା ଉପରେ ଆନ୍ଦୋଳନ କରୁଛନ୍ତି। କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, କୃଷକମାନଙ୍କ ଅହିଂସା ‘ସତ୍ୟାଗ୍ରହ’ ଜାରି ରହିଛି, କିନ୍ତୁ ଶୋଷଣକାରୀ ସରକାର ଏହାକୁ ପସନ୍ଦ କରୁନାହାନ୍ତି। ତେଣୁ ଭାରତ ବନ୍ଦ ଡାକରା ଦିଆଗଲା। କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା କହିଛନ୍ତି, କୃଷକମାନେ ଅସହାୟ ହୋଇପଡ଼ିଛନ୍ତି। ତେଣୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଆମକୁ କୃଷକମାନଙ୍କ ସହ ରହିବାକୁ ପଡ଼ିବ ନଚେତ ଆମ ଦେଶର ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ୧୧ ପର୍ଯ୍ୟାୟ କଥାବାର୍ତ୍ତା ହୋଇଥିଲେ ସୁଦ୍ଧା ସମାଧାନ ବାହାରି ପାରିନାହିଁ। ଗତ ଜାନୁଆରି ୨୬ରେ ଟ୍ରାକ୍ଟର ରୢାଲିରେ ବ୍ୟାପକ ହିଂସା ହେବା ପରେ ଆଉ ଆଲୋଚନା ହୋଇନାହିଁ।
କୃଷକମାନଙ୍କ ପୂର୍ଣ୍ଣ ସମର୍ଥନ ରହିଛି: ଟିକାୟତ
ନୂଆଦିଲ୍ଲୀ : ଆଜି ଦେଶବ୍ୟାପୀ ହୋଇଥିବା ବନ୍ଦ ପାଳନ ସଫଳ ହୋଇଛି। କୃଷକମାନଙ୍କଠାରୁ ବନ୍ଦ ପାଳନ ଦିଗରେ ପୂର୍ଣ୍ଣ ସମର୍ଥନ ମିଳିଛି ବୋଲି ବିକେୟୁ (ଭାରତୀୟ କିଷାନ ସଂଗଠନ) ନେତା ରାକେଶ ଟିକାୟତ କହିଛନ୍ତି। ଆଜିର ବନ୍ଦ ପାଳନକୁ ସେ ପ୍ରଶଂସା କରିଛନ୍ତି। ଟିକାୟତ କହିଛନ୍ତି, ଆମେ ସରକାରଙ୍କ ସହ କଥା ହେବାକୁ ପ୍ରସ୍ତୁତ ଅଛୁ। କିନ୍ତୁ ଏଯାବତ କିଛି କଥାବାର୍ତ୍ତା ଆରମ୍ଭ ହୋଇନାହିଁ। ଟିକାୟତ ନିର୍ଦ୍ଦିଷ୍ଟ ଭାବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବର୍ଷିଛନ୍ତି। ବିଜେପି ଏହାର ନିର୍ବାଚନୀ ଇସ୍ତାହାରରେ ଆଖୁର ମୂଲ୍ୟ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଯୋଗୀ ସରକାର ଏହି ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି । ଏମ୍ଏସପି ମୂଲ୍ୟରେ ଶସ୍ୟ ବିକ୍ରି ହେଉନାହିଁ। ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ଆଜିର ବନ୍ଦ ପାଳନର ପ୍ରଭାବ ଦେଶବ୍ୟାପୀ ରହିଛି। ବନ୍ଦ ଯୋଗୁଁ ୨୫ଟି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ବୋଲି ଜଣେ ରେଳ ଅଧିକାରୀ କହିଛନ୍ତି।