ନୂଆଦିଲ୍ଲୀ: ଆଜି ସାରା ଦେଶରେ ଚାଷୀ ଓ ଶ୍ରମିକ ସଂଗଠନଗୁଡ଼ିକ ଦ୍ୱାରା ଭାରତ ବନ୍ଦ ପାଳିତ ହୋଇଛି। ୧୦ଟି ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ର ମିଳିତ ନେତୃତ୍ୱରେ ଏହି ପ୍ରତିବାଦ କରାଯାଇଥିଲା। ଆୟୋଜକମାନଙ୍କ ଦାବି ଅନୁଯାୟୀ ଧର୍ମଘଟରେ ୨୫ କୋଟିରୁ ଅଧିକ ଶ୍ରମିକ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ କର୍ପୋରେଟ୍-ସମର୍ଥକ, ଶ୍ରମିକ-ବିରୋଧୀ ଓ କୃଷକ-ବିରୋଧୀ ନୀତି ବିରୋଧରେ ପ୍ରତିବାଦ କରିବା ପାଇଁ ଏହି ବନ୍ଦ ଡାକରା ଦିଆଯାଇଥିଲା। ପ୍ରମଖ ଟ୍ରେଡ୍ ୟୁନିୟନଗୁଡ଼ିକ ମଧ୍ୟରେ ଇଣ୍ଡିଆନ ନ୍ୟାସନାଲ ଟ୍ରେଡ୍ ୟୁନିୟନ କଂଗ୍ରେସ, ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ କଂଗ୍ରେସ, ହିନ୍ଦ ମଜଦୁର ସଭା, ସେଣ୍ଟର ଅଫ୍ ଇଣ୍ଡିଆନ ଟ୍ରେଡ୍ ୟୁନିୟନ୍ସ, ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ ସେଣ୍ଟର, ଟ୍ରେଡ୍ ୟୁନିୟନ ସମନ୍ୱୟ କେନ୍ଦ୍ର, ସ୍ୱନିଯୁକ୍ତ ମହିଳା ସଂଘ, ଅଖିଳ ଭାରତୀୟ କେନ୍ଦ୍ରୀୟ ବାଣିଜ୍ୟ ସଂଘ ପରିଷଦ, ଶ୍ରମିକ ପ୍ରଗତିଶୀଳ ସଂଘ ଓ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ୍ କଂଗ୍ରେସ ଏହି ଧର୍ମଘଟରେ ଭାଗ ନେଇଥିଲେ। ଉଲ୍ଲେଖନୀୟ ଯେ, ଆର୍ଏସ୍ଏସ୍ ସହ ଜଡ଼ିତ ଭାରତୀୟ ମଜଦୁର ସଂଘ (ବିଏମ୍ଏସ୍) ଏଥିରେ ଅଂଶଗ୍ରହଣ କରି ନ ଥିଲା।
ସରକାରଙ୍କ ନୂତନ ଶ୍ରମ ସଂହିତା (ଲେବର କୋଡ୍)କୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଥିଲା। ସେମାନଙ୍କ ମତରେ ଏହି ନୂତନ ଲେବର କୋଡ୍ ଶ୍ରମିକମାନଙ୍କ ଅଧିକାରକୁ ଦୁର୍ବଳ କରୁଛି, ସେମାନଙ୍କ ଧର୍ମଘଟ ଅଧିକାରକୁ କ୍ଷୁଣ୍ଣ କରୁଛି ଏବଂ କାର୍ଯ୍ୟ ସମୟ ବୃଦ୍ଧି କରିବା ସହ ଶ୍ରମ ଆଇନ ଉଲ୍ଲଂଘନ ପାଇଁ ଦଣ୍ଡ ହ୍ରାସ କରୁଛି। ସରକାରୀ କ୍ଷେତ୍ରର ୟୁନିଟ୍ଗୁଡ଼ିକରେ ବ୍ୟାପକ ଘରୋଇକରଣ ଓ ଆଉଟ୍ସୋର୍ସିଂ ଯୋଗୁ ଶ୍ରମିକମାନଙ୍କ ନିଯୁକ୍ତି ସୁରକ୍ଷା ଓ ନ୍ୟାଯ୍ୟ ମଜୁରି ବାଧାପ୍ରାପ୍ତ ହେଉଛି। ଦଶନ୍ଧି ଧରି ଭାରତୀୟ ଶ୍ରମ ସମ୍ମିଳନୀ ଡାକିବାରେ ବିଫଳତା ସମେତ ସେମାନଙ୍କର ୧୭-ସୂତ୍ରୀ ଦାବିପତ୍ରକୁ ସରକାର ଅବହେଳା କରିଥିବା ଅଭିଯୋଗ ହୋଇଛି। ବୁଧବାର ଦିବସବ୍ୟାପୀ ବନ୍ଦପାଳନ ଯୋଗୁ ବ୍ୟାଙ୍କିଂ, ବୀମା ତଥା ଡାକସେବାରେ ବାଧା ସୃଷ୍ଟି ହୋଇଛି। କାରଣ ଏହି କ୍ଷେତ୍ରଗୁଡ଼ିକର କର୍ମଚାରୀମାନେ ଧର୍ମଘଟରେ ଯୋଗ ଦେଇଥିଲେ। ଅନେକ ସହରରେ ବସ୍, ଟ୍ୟାକ୍ସି ଓ ଆପ୍-ଆଧାରିତ କ୍ୟାବ୍ ସମେତ ସାର୍ବଜନୀନ ପରିବହନ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ରାସ୍ତା ଅବରୋଧ ଓ ପ୍ରତିବାଦ ଶୋଭାଯାତ୍ରା ଯୋଗୁଁ ଲୋକମାନଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। କୋଇଲା ଖଣି, ଶିଳ୍ପ ଉତ୍ପାଦନ ଓ ଅନ୍ୟାନ୍ୟ ସରକାରୀ କ୍ଷେତ୍ର କାର୍ଯ୍ୟକଳାପ ପ୍ରଭାବିତ ହୋଇଥିଲା।
କେରଳ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଅନେକ ଦୋକାନ ଓ ସପିଂ ମଲ୍ ବନ୍ଦ ରହିଥିଲା। ଯଦିଓ ରେଳ ୟୁନିୟନଗୁଡ଼ିକ ଆନୁଷ୍ଠାନିକ ଭାବରେ ଯୋଗ ଦେଇ ନ ଥିଲେ, ରେଳ ଷ୍ଟେସନ୍ ନିକଟରେ ପ୍ରତିବାଦ ଓ ରାସ୍ତା ଅବରୋଧ କିଛି ଅଞ୍ଚଳରେ ବିଳମ୍ବ ଓ ବାଧା ସୃଷ୍ଟି କରିଥିଲା। ଆଜି ଦେଶବ୍ୟାପୀ ଅଧିକାଂଶ ଶିକ୍ଷାନୁଷ୍ଠାନ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିଥିଲା, ଯଦିଓ ପରିବହନ ବାଧା ଯୋଗୁଁ କିଛି ଅଞ୍ଚଳରେ ବିଳମ୍ବ ହୋଇଥିଲା ଓ ଉପସ୍ଥାନ ହ୍ରାସ ପାଇଥିଲା। ହସ୍ପିଟାଲ କିମ୍ବା ଜରୁରିକାଳୀନ ସେବା ପାଇଁ କୌଣସି ସରକାରୀ ବନ୍ଦ ନୋଟିସ ନ ଥିଲା। କୋଲକାତାରେ ବ୍ୟାପକ ରାସ୍ତା ଅବରୋଧ, ଦୋକାନ ବନ୍ଦ ଓ ପୋଡ଼ାଜଳାର ରିପୋର୍ଟ ମିଳିଛି। କେରଳର କୋଟାୟମରେ ଅଧିକାଂଶ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ଥିଲା। ବିହାରରେ ବନ୍ଦ ପାଳନ ଯୋଗୁ ଜନଯାତ୍ରା ଠପ୍ ହୋଇଯାଇଥିଲା। ଦିଲ୍ଲୀ-ଏନ୍ସିଆର୍, ମୁମ୍ବାଇ, ଚେନ୍ନାଇ, ପାଟ୍ନା, ଭୋପାଳ, ଜୟପୁରରେ ପ୍ରତିବାଦ ଓ ରାଲି ଯୋଗୁଁ ଟ୍ରାଫିକ୍ ସମସ୍ୟା ଦେଖାଯାଇଥିଲା, କିନ୍ତୁ ଅତ୍ୟାବଶ୍ୟକ ସେବା ଜାରି ରହିଥିଲା।
ଭୁବନେଶ୍ବର: ଭାରତ ବନ୍ଦର ଆଂଶିକ ପ୍ରଭାବ ଓଡ଼ିଶାରେ ପଡ଼ିଛି। ବିଶେଷ କରି ବ୍ୟାଙ୍କିଂ ସେବା, କୋଇଲା ଖନନ, ଡାକ ସେବା, ବିଭିନ୍ନ କାରଖାନା ପ୍ରଭାବିତ ହୋଇଥିଲା। ବନ୍ଦ ଫଳରେ ଆଂଶିକ ଭାବେ ଜନଜୀବନ ପ୍ରଭାବିତ ହୋଇଥିଲା। ଆନ୍ଦୋଳନକାରୀମାନେ ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ କାରଖାନା ଫାଟକ ସାମ୍ନାରେ ବିକ୍ଷୋଭ ଓ ପିକେଟିଂ ପ୍ରଦର୍ଶନ ସହ ରାସ୍ତାରୋକ କରିଥିଲେ। ରାଜ୍ୟରେ ବନ୍ଦ ସଫଳ ହୋଇଥିବା ନେଇ ଶ୍ରମିକ ଓ କର୍ମଚାରୀ ସଂଗଠନମାନେ ଦାବି କରିବା ସହିତ ସହଯୋଗ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଆନ୍ଦୋଳନକାରୀମାନଙ୍କ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ମଧ୍ୟରେ ୪ ଶ୍ରମ କୋଡ୍ ବାତିଲ, ସ୍କିମ ୱାର୍କରଙ୍କୁ ଶ୍ରମିକର ମାନ୍ୟତା, ରାଷ୍ଟ୍ରୀୟ ଉଦ୍ୟୋଗକୁ ଘରୋଇକରଣ ବନ୍ଦ ଇତ୍ୟାଦି।
ଆଜି ସକାଳୁ ଭୁବନେଶ୍ବର ରେଳ ଷ୍ଟେସନରେ ବିଭିନ୍ନ ସଂଗଠନ ରେଳରୋକ କରାଯାଇଥିଲା। ଆନ୍ଦୋଳନକାରୀମାନେ ସେଠାରେ ପ୍ରତିବାଦ କରିବା ସହ ଭୁବନେଶ୍ୱର- ନୂଆଦିଲ୍ଲୀ ଦୂରନ୍ତ ଏକ୍ସପ୍ରେସ୍ ସମେତ ଅନ୍ୟାନ୍ୟ ଯାତ୍ରୀ ଓ ମାଲ ପରିବହନ କରୁଥିବା ରେଳ ଗାଡ଼ିଗୁଡ଼ିକ ଅଟକାଇଥିଲେl କିନ୍ତୁ କିଛି ସମୟ ପରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ରେଳ ଧାରଣାରୁ ଉଠାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ରେଳରୋକ ଉଦ୍ୟମ କରାଯାଇଥିଲା। ଫଳରେ କିଛି ସ୍ଥାନରେ ରେଳ ଚଳାଚଳ ବ୍ୟାହତ ହୋଇଥିଲା। ରାଜ୍ୟର ପ୍ରମୁଖ ସ୍ଥାନମାନଙ୍କରେ ଆନ୍ଦୋଳନକାରୀମାନେ ପିକେଟିଂ କରି ରାସ୍ତାରୋକ କରିଥିଲେ। ଜାତୀୟ ରାଜପଥ ବନ୍ଦ ଉଦ୍ୟମ କରିବା ସମୟରେ ପୁଲିସ ଦ୍ବାରା ବହୁ ଆନ୍ଦୋଳନକାରୀ ଗିରଫ ହୋଇଥିଲେ। ରାଜଧାନୀ ସମେତ କଟକ, ପୁରୀ, ବାଲେଶ୍ବର, ତାଳଚେର, ସୁନ୍ଦରଗଡ଼, ଢେଙ୍କାନାଳ, ପାରଳାଖେମୁଣ୍ଡି, ଗଞ୍ଜାମ ଆଦି ସ୍ଥାନମାନଙ୍କରେ ରାସ୍ତାରୋକ କରି ବିକ୍ଷୋଭକାରୀମାନେ ପୁଲିସ ଦ୍ବାରା ଅଟକ ରହିଥିଲେ। ଏହା ବାଦ ବିଭିନ୍ନ ସ୍ଥାନରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା। ତେବେ ମଧ୍ୟାହ୍ନ ୧୨ଟା ପରେ ଜନଜୀବନ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଥିଲା। କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା। ଭାରତ ବନ୍ଦ ଆନ୍ଦୋଳନରେ ରିଜର୍ଭ ବ୍ୟାଙ୍କ, ସିଟି ବସ୍ଷ୍ଟାଣ୍ଡ ସମେତ ସମସ୍ତ ଜାତୀୟକରଣ ବ୍ୟାଙ୍କ ଓ ବୀମା କମ୍ପାନି ଅଫିସ, ବିଏସ୍ଏନ୍ଏଲ୍ ମୁଖ୍ୟ ଦପ୍ତର, ପିଏମ୍ଜି, ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର, ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ, ନାଲ୍କୋ ମୁଖ୍ୟ ଦପ୍ତର ଫାଟକ ଆଦି ସ୍ଥାନରେ ବିଭିନ୍ନ ଶ୍ରମିକ ୟୁନିୟନର ରାଜ୍ୟ ନେତୃତ୍ୱ ଏବଂ ଶହ ଶହ କର୍ମୀ ଧର୍ମଘଟ କରିଥିଲେ। ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିଭିନ୍ନ ଶ୍ରମିକ ସଂଗଠନ ଏକାଠି ହୋଇ ବିଧାନସଭା ଘେରାଉ ଉଦ୍ୟମ କରିଥିଲେ। ପୁଲିସ ପକ୍ଷରୁ ବ୍ୟାରିକେଡ୍ କରି ଆନ୍ଦୋଳନକାରୀଙ୍କୁ ଅଟକାଯାଇଥିଲା। ଫଳରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା। ଏହି ଧର୍ମଘଟରେ ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଗଠନ ସହିତ କଂଗ୍ରେସ, ସିପିଆଇଏମ, ସିପିଆଇ ସମେତ ସମସ୍ତ ବାମପନ୍ଥୀ ଦଳ, ସଂଯୁକ୍ତ କିଷାନ ମୋର୍ଚ୍ଚା, ବିଜୁ ଶ୍ରମିକ ସଂଗଠନ ସାମିଲ ହୋଇଥିଲେ।