ନୂଆଦିଲ୍ଲୀ: ଆତଙ୍କବାଦ କ୍ଷେତ୍ରରେ ଦୋମୁହାଁ ନୀତି ତଥା ଛଳନା କରୁଥିବା ଦର୍ଶାଇ ମଙ୍ଗଳବାର ଦିନ ଜାତିସଂଘର ସୁରକ୍ଷା ପରିଷଦ୍ ବୈଠକରେ ଭାରତ ଚୀନ୍ ଓ ପାକିସ୍ତାନକୁ ସମାଲୋଚନା କରିଛି।
ଜାତିସଂଘ ପ୍ରତି ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କମ୍ବୋଜ୍ କହିଛନ୍ତି,ବଡ଼ ଦୁଃଖର ବିଷୟ ଯେ, ବିଶ୍ବର କେତେକ ସବୁଠୁ ଦୁର୍ଦାନ୍ତ ଆତଙ୍କବାଦୀ ସଂକ୍ରାନ୍ତରେ ବାସ୍ତବ ଓ ପ୍ରମାଣଭିତ୍ତିକ ତଥ୍ୟାବଳୀ କରାଯାଇଥିଲେ ବି ସେମାନଙ୍କୁ ବିଶ୍ବ ଆତଙ୍କବାଦୀ ତାଲିକାଭୁକ୍ତ କରାଯିବାରେ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି।
ଚଳିତ ବର୍ଷ ପ୍ରାରମ୍ଭରେ ଚୀନ୍ ପାକିସ୍ତାନର ଲଶ୍କର୍-ଏ-ତୈବାର ୨ୟ କମାଣ୍ଡ୍ ଅବ୍ଦୁଲ୍ ରେହମାନ୍ ମାକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତିକରଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଚୀନ୍ ଲଗାଇଥିବା ‘ଟେକ୍ନିକାଲ୍’ ପ୍ରତିବନ୍ଧକ ଅନ୍ୟୂନ ୬ ମାସ ଯାଏଁ ବଳବତ୍ତର ରହିବ। ଅତୀତରେ ମଧ୍ୟ ବେଜିଙ୍ଗ୍ ‘ଜୈଶ୍-ଏ-ଅହମଦ୍’ର ମୌଲାନା ମାସୂଦ୍ ଆଝାରଙ୍କୁ ତାଲିକାଭୁକ୍ତିକରଣ କରାଯିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। ଫଳରେ ଆଝାରଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ କରାଇବାରେ ନୂଆଦିଲ୍ଲୀକୁ ପ୍ରାୟ ୧୦ ବର୍ଷ ଲାଗିଥିଲା।
/sambad/media/post_attachments/wp-content/uploads/2022/08/UNSC.jpg) Image Courtesy of MSN
 Image Courtesy of MSNରାଷ୍ଟ୍ରଦୂତ ରୁଚିରା ବୁଝାଇ କହିଛନ୍ତି ଯେ, ଦୋମୁହାଁ ନୀତି ଏବଂ ରାଜନୀତିକରଣ ଚାଲିଥିବାରୁ କଟକଣା ଲାଗୁ ହେବା କଷ୍ଟକର ହେଉଛି। ମୋର ଆଶା ଅନ୍ତର୍ଜାତୀୟ ଆତଙ୍କବାଦ ବିରୋଧରେ ସମ୍ମିଳିତ ସଂଗ୍ରାମ ପରିସ୍ଥିତି ଉପୁଜିଲେ ଜାତିସଂଘ ନିରାପତ୍ତା ପରିଷଦ୍ର ସମସ୍ତ ସଦସ୍ୟ ଅବିଳମ୍ବେ ଏକଜୁଟ ହୋଇ ସମ୍ମତି ପ୍ରଦାନ କରିବା ଉଚିତ।
ପାକିସ୍ତାନ ବିଷୟରେ କହିବାକୁ ଯାଇ ରୁଚିରା ପରୋକ୍ଷରେ କହିଛନ୍ତି ଯେ, ପଡ଼ୋଶୀ ଦେଶ ଜାତିସଂଘ ସୁରକ୍ଷା ପରିଷଦ୍ର ୧୨୬୭ ‘ସାଙ୍କ୍ସନ୍ସ୍ କମିଟି’ରେ ତାଲିକାଭୁକ୍ତ ହୋଇ ସୁଦ୍ଧା ଆତଙ୍କବାଦୀଙ୍କୁ ଆତିଥେୟତା ପ୍ରଦାନ କରୁଛି।
ସୂଚନା ଯୋଗ୍ୟ, ଜାତିସଂଘର ୧୨୬୭ କମିଟି ସବୁଠୁ ଅଧିକ ସଂଖ୍ୟକ ପାକିସ୍ତାନୀଙ୍କୁ ଆନ୍ତର୍ଜାତିକ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରିଛି। ଏଥିରେ ମସୂଦ୍ ଆଝାର୍, ହାଫିଜ୍ ସୟୀଦ୍, ଜାକି ଉର୍ ରେହ୍ମାନ୍ ଲଖ୍ୱିଙ୍କ ଭଳି ଅନେକ ଆତଙ୍କବାଦୀଙ୍କୁ ତାଲିକାଭୁକ୍ତ କରାଯାଇଛି। ସେଥିରୁ ଅଧିକାଂଶ ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇଛନ୍ତି।
ଜାତିସଂଘ ସୁରକ୍ଷା ପରିଷଦ୍ ବୈଠକରେ ଭାଷଣ ଦେବା ବେଳେ ରୁଚିରା ଘୋଷଣା କରିଛନ୍ତି ଯେ, ଅକ୍ଟୋବର ୨୮ ଏବଂ ୨୯ରେ ଭାରତ ମୁମ୍ବାଇ ଓ ଦିଲ୍ଲୀରେ ଜାତିସଂଘର ଆତଙ୍କବାଦ ମୁକାବିଲା ପ୍ରସଙ୍ଗରେ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ruchira.jpg)
