ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ବିଲାଓ୍ବଲଙ୍କୁ ଭାରତର କଡ଼ା ସମାଲୋଚନା

ନ୍ୟୁୟର୍କ : ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦାରି ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ତାହାର ସମାଲୋଚନା କରିଛି । ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ମିଶନର କାଉନସେଲର ରାଜେଶ ପରିହାର କହିଛନ୍ତି ଯେ ପାକିସ୍ତାନର ପ୍ରତିନିଧି ଅନାବଶ୍ୟକ ବୟାନ ଦେଇଛନ୍ତି ଓ ଏହା ଆଉ କିଛି ନୁହେଁ ମୋ ଦେଶ ବିରୋଧରେ ମିଥ୍ୟା ଓ ଦୁର୍ଭାବନାପୂର୍ଣ୍ଣ ପ୍ରଚାର ପାଇଁ ଯେକୌଣସି ମଂଚ ଓ ପ୍ରସଙ୍ଗର ଅପବ୍ୟବହାର କରିବା ।

ଜାତିସଂଘର ନିଜରେ ଉତ୍ତର ଦେବାର ଅଧିକାରର ଉପଯୋଗ କରି ସେ କହିଛନ୍ତି ଯେ ଜମ୍ମୁ ଓ କଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଂଗ ଥିଲା ଓ ରହିବ । ଏହା ମଧ୍ୟରେ ପାକ-ଅଧିକୃତ କଶ୍ମୀର ଅନ୍ତର୍ଭୁକ୍ତ ।

ନିରାପତ୍ତା ପରିଷଦରେ ଅନୁଷ୍ଠିତ ‘ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା : ବିବାଦ ଓ ଖାଦ୍ୟ ସୁରକ୍ଷା’ ଶୀର୍ଷକ ଆଲୋଚନା ବେଳେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରି ବିଲାଓ୍ବଲ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗ, ଧାରା ୩୭୦ ଉଚ୍ଛେଦ ଓ ନିକଟରେ ପରିସୀମନ କମିଶନ ଦେଇଥିବା ସୁପାରିଶ ପ୍ରସଙ୍ଗ ଉଠାଇଥିଲେ । ଏସବୁ କାର୍ଯ୍ୟ ଯୋଗୁଁ ଭାରତ ସହ ପାକିସ୍ତାନର ସମ୍ପର୍କ ଜଟିଳ ହୋଇପଡ଼ିଛି । ଭାରତର ଏହି କାର୍ଯ୍ୟ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ଓ ଜେନେଭା କନଭେନସନର  ବିପରୀତ ବୋଲି ସେ କହିଥିଲେ । ଏହାର ଜବାବରେ ଭାରତ ଉପରୋକ୍ତ ବୟାନ ଦେଇଛି ।

ସମ୍ବନ୍ଧିତ ଖବର