ବିଶ୍ୱ ଗଣତନ୍ତ୍ର ସୂଚକାଙ୍କ-୨୦୧୯ରେ ୧୦ଟି ପାହାଚ ତଳକୁ ଖସିଲା ଭାରତ

ଲଣ୍ଡନ : ବିଶ୍ୱ ଗଣତନ୍ତ୍ର ସୂଚକାଙ୍କ ୨୦୧୯ରେ ଭାରତ ୧୦ଟି ପାହାଚ ତଳକୁ ଖସି ୫୧ତମ ସ୍ଥାନରେ ପହଞ୍ଚିଛି । ୨୦୧୮ରେ ଭାରତର ସ୍କୋର (ମୋଟ ୧୦ରୁ) ୭.୨୩ ଥିବାବେଳେ ୨୦୧୯ରେ ତାହା ୬.୯କୁ ଖସିଆସିଛି ।

‘ଦ ଇକୋନୋମିଷ୍ଟ’ ଦ୍ୱାରା ୨୦୦୬ଠାରୁ ପ୍ରତିବର୍ଷ ବିଶ୍ୱ ଗଣତନ୍ତ୍ର ସୂଚକାଙ୍କ ପ୍ରକାଶିତ ହୋଇଆସୁଛି । ଏଥର ଭାରତ ପ୍ରଥମ ଥର ପାଇଁ ୫୧ ତମ ସ୍ଥାନକୁ ଖସିଆସିଛି । ଭାରତରେ ବ୍ୟକ୍ତି ସ୍ୱାଧୀନତା କ୍ଷେତ୍ରରେ ଅବନତି ଯୋଗୁଁ ଭାରତର ଗଣତନ୍ତ୍ର ଦୁର୍ବଳ ହୋଇଛି । ଦେଶମାନଙ୍କ ସ୍କୋର ଅନୁସାରେ ସେଗୁଡ଼ିକୁ ସଂପୂର୍ଣ୍ଣ ଗଣତନ୍ତ୍ର, ଫମ୍ପା ଗଣତନ୍ତ୍ର,ହାଇବ୍ରିଡ୍‌ ଶାସନ ଓ ଏକଛତ୍ରବାଦ । ଭାରତର ସ୍କୋର ଅନୁସାରେ ତାହାକୁ ଫମ୍ପା ଗଣତନ୍ତ୍ର ବୋଲି କୁହାଯାଉଛି । ୨୦୧୪ ପରଠାରୁ ଭାରତର ସ୍ଥାନରେ କ୍ରମାଗତ ଅବନତି ହୋଇଚାଲିଛି । ସୂଚନାଯୋଗ୍ୟ ଯେ ୨୦୧୪ଠାରୁ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ରହିଛନ୍ତି ।

ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତରେ ନାଗରିକ ସ୍ୱାଧୀନତାରେ ଅବନତି ହୋଇଛି । ୨୦୧୯ରେ କଶ୍ମୀରରେ ଧାରା ୩୭୦ ପ୍ରତ୍ୟାହାର, ଆସାମରେ ଏନଆରସି ଓ ନିକଟରେ ନାଗରିକତା (ସଂଶୋଧନ) ଆଇନ ଦ୍ୱାରା ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଦୁର୍ବଳ ହୋଇଛି ।
ଦ ଇକୋନୋମିଷ୍ଟ ପକ୍ଷରୁ କୁହାଯାଇଛି ଯେ ବିଶ୍ୱର ପ୍ରାୟ ଅଧା (୪୮.୪%) ଜନତା କୌଣସି ନା କୌଣସି ପ୍ରକାରର ଗଣତନ୍ତ୍ରରେ ବସବାସ କରୁଛନ୍ତି । ତେବେ ମାତ୍ର ୫.୭ % ଜନତା ସଂପୂର୍ଣ୍ଣ ଗଣତନ୍ତ୍ରରେ ବାସ କରୁଛନ୍ତି ।

ସମ୍ବନ୍ଧିତ ଖବର