ପାଟନା: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବିରୋଧୀ ଇଣ୍ଡିଆ ମେଣ୍ଟର ଅଧ୍ୟକ୍ଷା ହୋଇପାରନ୍ତି। ସେହିଭଳି ୧୧ ଜଣିଆ ସମନ୍ବୟ କମିଟିର ଆବାହକ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କୁ କରାଯାଇପାରେ। ମୁମ୍ବାଇରେ ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଇଣ୍ଡିଆ ନେତାମାନଙ୍କ ଦୁଇ ଦିନିଆ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇପାରେ। ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରକୁ କିଭଳି ମୁକାବିଲା କରାଯିବ ସେ ନେଇ ଆଗାମୀ ବୈଠକରେ ଯୋଜନା ପ୍ରସ୍ତୁତ ହେବ।
ବିହାରରେ ମହାମେଣ୍ଟ ସୂତ୍ରରୁ ସୂଚନା ମିଳିଛି ଯେ ଇଣ୍ଡିଆ ମେଣ୍ଟର ସମସ୍ତ ପ୍ରମୁଖ ରାଜନୈତିକ ଦଳର ଶୀର୍ଷ ନେତା ଏବଂ କଂଗ୍ରେସ ନେତୃତ୍ବ ନୀତୀଶଙ୍କୁ ଆବାହକ କରିବା ପାଇଁ ରାଜି ଅଛନ୍ତି। ଏ ସଂପର୍କରେ ଆନୁଷ୍ଠାନିକ ଘୋଷଣା ଆସନ୍ତା ମୁମ୍ବାଇ ବୈଠକରେ ହେବ ବୋଲି କୁହାଯାଇଛି। ସେହିଭଳି କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ସୋନିଆଙ୍କୁ ସମନ୍ବୟ କମିଟିର ଅଧ୍ୟକ୍ଷା କରିବାକୁ ଆଗ୍ରହୀ ଅଛନ୍ତି। ସେ ୟୁପିଏର ଅଧ୍ୟକ୍ଷା ରହିଥିଲେ। ତେଣୁ ସୋନିଆ କିମ୍ବା ସୋନିଆଙ୍କ ଦ୍ବାରା ମନୋନୀତ କୌଣସି ବ୍ୟକ୍ତି ସମନ୍ବୟ କମିଟିର ଅଧ୍ୟକ୍ଷା ହେବେ। ଚୂଡ଼ାନ୍ତ ନିଷ୍ପତ୍ତି ସୋନିଆଙ୍କ ଉପରେ ଛଡ଼ାଯାଇଛି ବୋଲି ବିହାର ମହାମେଣ୍ଟର ଜଣେ ବରିଷ୍ଠ ନେତା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବିରୋଧୀ ଦଳଙ୍କ ପ୍ରଥମ ବୈଠକ ପାଟନାରେ ଏବଂ ଦ୍ବିତୀୟ ବୈଠକ ବେଙ୍ଗାଲୁରୁଠାରେ ହୋଇଥିଲା। ଦ୍ବିତୀୟ ବୈଠକ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଘୋଷଣା କରିଥିଲେ ମୁମ୍ବାଇରେ ହେବାକୁ ଥିବା ଆଗାମୀ ବୈଠକରେ ସମନ୍ବୟ କମିଟିର ୧୧ ଜଣିଆ ସଦସ୍ୟଙ୍କୁ ନିର୍ବାଚିତ କରାଯିବ। ନୀତୀଶ କୁମାରଙ୍କର ଦୀର୍ଘ ରାଜନୈତିକ ଏବଂ ପ୍ରଶାସନିକ ଅଭିଜ୍ଞତା ରହିଛି। ତେଣୁ ସରକାର କିମ୍ବା ସଂଗଠନରେ ଯେକୌଣସି ବଡ଼ ପଦବି ପାଇଁ ସେ ଉପଯୁକ୍ତ। ଏହା ସତ୍ତ୍ବେ ଜେଡିୟୁ ବିରୋଧୀ ଏକତା କ୍ଷେତ୍ରରେ କୌଣସି ପ୍ରକାର ପ୍ରତିବନ୍ଧକ ହେବନାହିଁ ବୋଲି ଜେଡିୟୁର ମୁଖ୍ୟ ପ୍ରବକ୍ତା କେସି ତ୍ୟାଗୀ କହିଛନ୍ତି। ତେବେ ଆସନ ଭାଗବଣ୍ଟା କିଭଳି ହେବ ବୋଲି ପ୍ରଶ୍ନରେ ସେ କହିଛନ୍ତି ଇଣ୍ଡିଆ ମେଣ୍ଟର ନେତାମାନେ ପ୍ରତ୍ୟେକ ରାଜ୍ୟରେ ଏକାଠି ବସି ଏ ସଂପର୍କରେ ନିଷ୍ପତ୍ତି ନେବେ।