ଗଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ଯୁଗ୍ମ କାର୍ଯ୍ୟକାରୀ କମିଟି

ଦକ୍ଷିଣ ଆଫ୍ରିକା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ନୂଆଦିଲ୍ଲୀ: ଶିକ୍ଷାକ୍ଷେତ୍ରରେ ଭାରତ ଓ ଦକ୍ଷିଣ ଆଫ୍ରିକାର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଜଏଣ୍ଟ୍ ୱାର୍କିଂ ଗ୍ରୁପ୍ ଗଠନ ହେବ। ଆଜି ଦକ୍ଷିଣ ଆଫ୍ରିକାର ଉଚ୍ଚଶିକ୍ଷା, ବିଜ୍ଞାନ ଓ ନବସୃଜନ ମନ୍ତ୍ରୀ ଡ. ବି ଇମାନୁଏଲ ବ୍ଲେଡ୍ ନିମାଣ୍ଡେଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବା ପରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା, ଦକ୍ଷତା ବିକାଶରେ ଉଭୟ ରାଷ୍ଟ୍ର ପରସ୍ପରର ସହଯୋଗୀ ହେବା ଏବଂ ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଦକ୍ଷିଣ ଆଫ୍ରିକାର ମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ଫଳପ୍ରଦ ହୋଇଛି। ଜାତୀୟ ଶିକ୍ଷାନୀତିର କ୍ରିୟାନ୍ୱୟନ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଅନ୍ତର୍ଜାତୀୟକରଣ କରିବାର ମାର୍ଗ ପ୍ରଶସ୍ତ କରିଛି। ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ଅନୁଷ୍ଠାନ, ଦକ୍ଷତାଭିତ୍ତିକ ଯୋଗ୍ୟତା ଓ ଦକ୍ଷତା ବିକାଶର କ୍ଷମତା ଗଠନ ଦିଗରେ ଭାରତ ଓ ଦକ୍ଷିଣ ଆଫ୍ରିକା ଆନୁଷ୍ଠାନିକ ଭାବରେ ସହଯୋଗୀ ହେବା ପାଇଁ ଆଲୋଚନା କାଳରେ ସହମତି ପ୍ରକାଶ ପାଇଛି।
ଏହି ବୈଠକ ପରେ ଶ୍ରୀ ପ୍ରଧାନ ବାଲିଠାରେ ଥିବା ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟୋରିଜମ ଆଣ୍ଡ୍ ବିଜ୍‌ନେସ ଅନୁଷ୍ଠାନ ପରିଦର୍ଶନ କରିବା ସହ ଅନୁଷ୍ଠାନର କୁଳପତି ଡ. ଆଇ ମେଡ୍ ସୁଜାନାଙ୍କୁ ଭେଟିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦକ୍ଷତା ବିକାଶ କ୍ଷେତ୍ରରେ ଏଭଳି ଅନୁଷ୍ଠାନଗୁଡ଼ିକ ସହଯୋଗୀ ହେଲେ ପର୍ଯ୍ୟଟନ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ ଏବଂ ପରିଭ୍ରମଣ, ପର୍ଯ୍ୟଟନ, ଆତିଥ୍ୟ, ବ୍ୟବସାୟ ତଥା ବ୍ୟାପାର କ୍ଷେତ୍ରରେ କ୍ଷମତା ବୃଦ୍ଧି ଘଟିବ। ଶିକ୍ଷାନୁଷ୍ଠାନର କୁଳପତି ଡ. ସୁଜାନା ମଧ୍ୟ ଭାରତର ଶିକ୍ଷାନୁଷ୍ଠାନ ସହ ସହଯୋଗୀ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ସାକ୍ଷାତ୍ ପରେ କେନ୍ଦ୍ରମନ୍ତ୍ରୀ ଉକ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭେଟି ମଧ୍ୟ ଆଲୋଚନା କରିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ ଇଣ୍ଡୋନେସିଆର ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ ‘ସୁଗ୍ରୀବ ବିଶ୍ୱବିଦ୍ୟାଳୟ’କୁ ଗସ୍ତ କରିବା ସହ ସେଠାକାର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି ଏହି ବିଶ୍ୱବିଦ୍ୟାଳୟ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କର ପ୍ରତିଫଳନ। ସଂସ୍କୃତ, ଦର୍ଶନଶାସ୍ତ୍ର, ଯୋଗ ଓ ଆୟୁର୍ବେଦ ଭଳି କ୍ଷେତ୍ରରେ ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକ ସହ ସମ୍ପର୍କ ସ୍ଥାପନ କରିବାର ଅପାର ସୁଯୋଗ ରହିଛି। ଭାରତ ବିଶ୍ୱବିଦ୍ୟାଳୟ ଏବଂ ସୁଗ୍ରୀବ ବିଶ୍ୱବିଦ୍ୟାଳୟ ମଧ୍ୟରେ ସମନ୍ୱୟ ରଖିବା ସହ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ କରାଗଲେ ଉଭୟ ଦେଶରେ ଥିବା ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଆର୍ଥିକ ସମ୍ପର୍କ ଟାଣ ହେବ। ଏହି ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ବାଲିଠାରେ ରହୁଥିବା ପ୍ରବାସୀ ଓଡ଼ିଆ ଓ ଭାରତୀୟଙ୍କୁ କେନ୍ଦ୍ରମନ୍ତ୍ରୀ ସାକ୍ଷାତ୍ କରିଥିଲେ।

ସମ୍ବନ୍ଧିତ ଖବର